ଭୁବନେଶ୍ବର: ସାରା ଦେଶ ୨୧ ଦିନ ଲକ୍ଡାଉନ୍ ଥିବା ବେଳେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (MGNREGA)ରେ ସାମିଲ ବ୍ୟକ୍ତିଙ୍କୁ ଏହି ୨୧ ଦିନର ବେରୋଜଗାର ଭତ୍ତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଚିଠିରେ ନବୀନ ଲେଖିଛନ୍ତି ସମାଜର ତଳ ସ୍ଥରରେ ଥିବା ଲୋକେ ଲକ୍ଡାଉନ୍ ଦ୍ବାରା ସର୍ବାଧିକ ପ୍ରଭାବିତ ହେଉଛନ୍ତି । ବିଶେଷକରି MGNREGA କର୍ମୀଙ୍କୁ ଏହାର ପ୍ରଭାବ ଅଧିକ ରହିଛି । ଓଡ଼ିଶାରେ ଚଳିତ ବର୍ଷ ୩୬,୧୦,୭୯୭ ଜଣ MGNREGA ଯୋଜନାରେ କାର୍ଯ୍ୟ କରିଛନ୍ତି । ସେମାନଙ୍କର ଜୀବନଜୀବିକା ବଞ୍ଚାଇବା ପାଇଁ ୩୮୦.୩୯ କୋଟି ଟଙ୍କା ବେରୋଜଗାର ଭତ୍ତା ଆକାରରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି ।
ମାର୍ଚ୍ଚ ୨୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଦୈନିକ ୧୮୮ ଟଙ୍କା ମଜୁରୀ ହିସାବରେ ୧୧୮.୭୯ କୋଟି ସହ ଏପ୍ରିଲ ୧ରୁ ୧୪ ପର୍ଯ୍ୟନ୍ତ ବର୍ଦ୍ଧିତ ମଜୁରୀ ୨୦୭ ଟଙ୍କା ହାରରେ ୨୬୧.୬୦ କୋଟି ଟଙ୍କା, ଏହିପରି ଓଡ଼ିଶା ପାଇଁ ମୋଟ ୩୮୦.୩୯ କୋଟି ଟଙ୍କାର ଅର୍ଥ ବରାଦ କରିବା ପାଇଁ ନବୀନ ଚିଠିରେ କେନ୍ଦ୍ରକୁ ଅନୁରୋଧ ଜଣାଇଛନ୍ତି ।
