ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, କିଏ ଏହି ଶ୍ରଦ୍ଧାଞ୍ଜଳି ବେହେରା?
ନାଗୁଣୀ ଅର୍ଚ୍ଚନା ସହିତ ତାଙ୍କର କଣ ସମ୍ପର୍କ ରହିଛି?
କାହାଣୀର ମୂଳ ଖୋଜୁ ଖୋଜୁ ଆମକୁ ଫେରିବାକୁ ପଡିବ, ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କ ପାଖକୁ। ଅକ୍ଷଙ୍କ ଏକ ନ୍ୟୁଡ ଭିଡିଓ ଭାଇରାଲ ହୁଏ। ଥାନାରେ ମାମଲା ପହଞ୍ଚିବା ପରେ, ବ୍ଲାକମେଲିଂ ଅଭିଯୋଗ ଆଣନ୍ତି ଅକ୍ଷୟ। ନାଁ ପଡେ ଦୁଇ ଜଣଙ୍କର। ଅର୍ଚ୍ଚନା ଏବଂ ଶ୍ରଦ୍ଧାଞ୍ଜଳୀ।
ଶ୍ରଦ୍ଧାଞ୍ଜଳି ଓ ଅର୍ଚ୍ଚନାଙ୍କ ବିରୋଧରେ ବ୍ଲାକମେଲିଂ ଓ ହତ୍ୟା ଧମକ ଅଭିଯୋଗ ଆଣି ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ ଅକ୍ଷୟ ପରିଜା। କିନ୍ତୁ ଏପଟେ ଶ୍ରଦ୍ଧାଞ୍ଜଳି ଖଣ୍ଡଗିରି ଥାନାକୁ ଯାଇ ଅର୍ଚ୍ଚନା ଓ ସ୍ବାମୀ ଜଗବନ୍ଧୁଙ୍କ ବିରୋଧରେ ହନିଟ୍ରାପ୍ ମାମଲାରେ ତାକୁ ମୋହରା କରାଯାଉଥିବା ଦର୍ଶାଇ ଏତଲା ଦେଲେ। ସେହି ଏତଲା ଆଧାରରେ ଅର୍ଚ୍ଚନା ଓ ଜଗବନ୍ଧୁ ଗିରଫ ହେଲେ। ମିଡିଲମ୍ୟାନ୍ ଖଗେଶ୍ୱରକୁ ବାନ୍ଧାହେଲା।
ଘଟଣା ଆରମ୍ଭରେ ପ୍ରମୁଖତାର ସହ ପ୍ରଥମେ ଅର୍ଚ୍ଚନାଙ୍କ ଚର୍ଚ୍ଚା ଜୋର ଧରେ। କିନ୍ତୁ ପାଖାପାଖି ଗୌଣ ହୋଇ ଯାଆନ୍ତି ଘଟଣାର ୨ୟ ପ୍ରମୁଖ ଚରିତ୍ର ଶ୍ରଦ୍ଧାଞ୍ଜଳୀ। ଅର୍ଚ୍ଚନାର ନାଗ ପେଡି ଖୋଲିବା ପରେ, ରାଜ୍ୟର ପ୍ରମୁଖ ନେତା ମନ୍ତ୍ରୀ ଆସନ୍ତି ସ୍କାନରକୁ। ଏତିକି ବେଳେ ଉତ୍ତର ଖୋଜେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସାମ୍ନାକୁ ଆସନ୍ତି ଶ୍ରଦ୍ଧାଞ୍ଜଳୀ ବେହେରା। ଅର୍ଚ୍ଚନାଙ୍କ ସବୁ ଦୋ ନମ୍ବରି କାମର ଇଏ ଅସଲ କାଡପଦଗାର। ତାଙ୍କ ସହ ରହିଛନ୍ତି ମିଡିଲ ମ୍ୟାନ୍ ଖଗେଶ୍ବର। ହେଲେ ଇଡି ଜେରା ବେଳେ ଖଗେଶ୍ବର କହିଛନ୍ତି, ସେ ଶ୍ରଦ୍ଧାଞ୍ଜଳୀଙ୍କୁ ଚିହ୍ନନ୍ତି ନାହିଁ।
ବୁଧବାର ଶ୍ରଦ୍ଧାଞ୍ଜଳିଙ୍କୁ ୧୪ ଘଣ୍ଟା ଜେରା କରିଛି ଇଡି। କାହାଠାରୁ ଟଙ୍କା ଆଦାୟ କରାଯାଉଥିଲା, କେତେ ଟଙ୍କା ଆଦାୟ କରାଯାଉଥିଲା ଓ କେଉଁ କେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି, ଏପରି ଅନେକ ପ୍ରଶ୍ନ ଇଡି ଅଧିକାରୀମାନେ ପ୍ରଶ୍ନ କରିଥିଲେ। ଶ୍ରଦ୍ଧାଞ୍ଜଳି ଅନେକ ଗୁମର ଓଗାଳିଥିଲେ।