ଅର୍ଗସ ବ୍ୟୁରୋ: ଶେଷରେ ନିଜ ଭୂଲ୍ ସ୍ୱୀକାର କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଓବିସି କୋଟା ପ୍ରଦାନ ନକରି ତାଙ୍କ ସରକାର ଅନ୍ୟାୟ କରିଛନ୍ତି । ଆଉ ଏହାକୁ ନେଇ ରାହୁଲଙ୍କୁ ଆଇନା ଦେଖାଇଛନ୍ତି ଧର୍ମେନ୍ଦ୍ର । ଟ୍ୱିଟ୍ କରି ରାହୁଲଙ୍କୁ ଜାବାବ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏକ ପ୍ରେସ୍ ମିଟ୍ ରେ ଯେତେବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ପଚରାଯାଇଥିଲା ଯେ 2010 ରେ ୟୁପିଏ ସରକାର ଆଣିଥିବା ବିଲ୍ ଅନୁଯାୟୀ ଓବିସି କୋଟା ପ୍ରଦାନ କରାଯାଇ ନ ଥିବାରୁ ସେ ଦୁଃଖିତ କି । ଏହି ପ୍ରଶ୍ନରେ ରାହୁଲ ଗାନ୍ଧୀ କହିଛନ୍ତି ସେ ଶହେ ପ୍ରତିଶତ ଦୁଃଖି । ଏହା ସେତେବେଳେ କରିବାର ଥିଲା । ହେଲେ ବର୍ତ୍ତମାନ ଆମେ ଏହା କରିବୁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।
ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ, ପ୍ରକୃତ କଥା ହେଉଛି 60 ବର୍ଷ ଧରି କଂଗ୍ରେସ ଦେଶକୁ ଶାସନ କରିଥିବାରୁ ଦେଶ ଆଜି ଦୁଃଖିତ । କଂଗ୍ରେସ ଯେତେବେଳେ କ୍ଷମତାରେ ଥିଲା ସେତେବେଳେ ଓବିସି ଏବଂ ପଛୁଆବର୍ଗର ବିକାଶକୁ ବିରୋଧ କରୁଥିଲା । ଦଶନ୍ଧି ପରେ ଦଶନ୍ଧି ଧରି କଂଗ୍ରେସ ଓବିସିର ସ୍ୱାର୍ଥର ବିରୋଧ କରିଥିଲା । କଂଗ୍ରେସ ଶାସନ କାଳର ଏମିତି ଅନେକ କଥା ଅଛି । ଯଦି ଚର୍ଚ୍ଚା ଚାଲିଛି ତେବେ ରାହୁଲ ଗାନ୍ଧୀ ବି ସେ ସବୁ କଥାର ଖୁଲାସା କରିଦିଅନ୍ତୁ ।
ମହିଳା ସଂରକ୍ଷଣ ବିଲ୍ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଯାଇଛି । ରାଷ୍ଟ୍ରପତିଙ୍କ ମୋହର ସହ ନାରୀଶକ୍ତି ବନ୍ଦନ ବିଧେୟକ କାର୍ଯ୍ୟକାରୀ ହେଲେ ଲୋକସଭା ସମେତ ସବୁ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ 33 ପ୍ରତିଶତ ଆସନ ସଂରକ୍ଷିତ ରହିବ । ଏହି ବିଲ୍ ଆଧାରରେ ଏସି ଓ ଏସଟି ସମୁଦାୟ ମହିଳାଙ୍କ ପାଇଁ କୋଟା ମଧ୍ୟରେ ମଧ୍ୟ କୋଟାର ବ୍ୟବସ୍ଥା ରହିଛି । ଯେତେବେଳେ କି ଓବିସି ସମୁଦାୟର ମହିଳାଙ୍କ ପାଇଁ ଅଲଗା କୌଣସି ବ୍ୟବସ୍ଥା କରାଯାଇନାହିଁ । ଯାହାକୁ ନେଇ ଯୋଜନା ମଧ୍ୟ ହେଉଛି । ତେବେ ଏହାରି ମଧ୍ୟରେ ଲୋକସଭାରେ ରାହୁଲ ଗାନ୍ଧୀ ଏହି ମୁଦ୍ଦାକୁ ଉଠାଇଥିଲେ ।