ସୁକ-ପାଇକା ନଦୀର ପୁନରୁଦ୍ଧାର କାର୍ଯ୍ୟ ୨୦୨୩ ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ଶେଷ କରିବା ପାଇଁ ଏନ୍ଜିଟି ନିର୍ଦ୍ଦେଶ ଦେଇଛନ୍ତି । ଏନ୍ଜିଟିର କଲିକତାସ୍ଥିତ ପୂର୍ବ ଜୋନ୍ରେ ଦାଏର ହୋଇଥିବା ମାମଲାର ଶୁଣାଣି କରି ଜଷ୍ଟିସ ବି. ଅମିତ୍ ସ୍ଥାଲେକର ଓ ସଦସ୍ୟ ସୈବାଲ୍ ଦାସଗୁପ୍ତା ଏ ସଂପର୍କରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସୁକ-ପାଇକା ପୁନରୁଦ୍ଧାର ପାଇଁ ଅଟକଳ କରାଯାଇଥିବା ୪୯.୬୭ କୋଟି ଟଙ୍କାର ବ୍ୟୟବରାଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି। ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ପ୍ରତାପଚନ୍ଦ୍ର ରଥଙ୍କ ନେତୃତ୍ୱରେ ପ୍ରାୟ ୩ ବର୍ଷ ଧରି ସୁକ-ପାଇକା ବଞ୍ଚାଅ ଆନ୍ଦୋଳନ ଜାରି ରହିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ ସତ୍ତ୍ବେ ସୁଫଳ ନ ମିଳିବାରୁ ରାଜ୍ୟ ମାନବାଧିକାର କମିଶନ ଓ ପରେ ଏନ୍ଜିଟିରେ ମାମଲା ରୁଜୁ ହୋଇଥିଲା । ଜଳ ପ୍ରଦୂଷଣ ଓ ରାଜ୍ୟ ସରକାରଙ୍କ ସେଚ ଆଇନ ୧୯୫୯ର ବିଭିନ୍ନ ଧାରା ଅନୁଯାୟୀ ସ୍ଥାନୀୟ ବୋଧପୁର ଗ୍ରାମର ସ୍ୱରୂପ କୁମାର ରଥଙ୍କ ସମେତ ୬ ଜଣ ଅଞ୍ଚଳବାସୀ ଏନଜିଟିରେ ମାମଲା ଦାୟର କରିଥିଲେ। କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟ ସଚିବ, ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ, ସେଚ ବିଭାଗ ସଚିବ, ରାଜସ୍ବ ଓ ବିପତ୍ତି ପରିଚାଳନା ବିଭାଗ ସଚିବ, ସେଚ ବିଭାଗର ପ୍ରମୁଖ ଯନ୍ତ୍ରୀ, ଡ୍ରେନେଜ୍ ବିଭାଗର ମୁଖ୍ୟ ଯନ୍ତ୍ରୀ, କଟକ ଜିଲ୍ଲାପାଳ, କଟକ ସଦର ଓ କିଶନନଗର ତହସିଲଦାର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପ୍ରମୁଖ ୧୨ଜଣଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଥିଲା ।
ଉକ୍ତ ନଦୀର ଉତ୍ପତ୍ତିସ୍ଥଳକୁ ଖୋଲିବା ସହ ଏହି ପ୍ରାକୃତିକ ଜଳଉତ୍ସର ପୁନରୁଦ୍ଧାର ଓ ପୁନଃ କାର୍ଯ୍ୟକ୍ଷମ କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ଆବେଦନକାରୀ ନିବେଦନ କରିଥିଲେ। ନଦୀରେ ଜଳପ୍ରବାହ ବନ୍ଦ ହେବାରୁ ସୃଷ୍ଟ ସମସ୍ୟାଗୁଡ଼ିକ ମଧ୍ୟ ଆବେଦନରେ ଦର୍ଶାଯାଇଥିଲା। ନଦୀ ମୁହାଣ ବନ୍ଦ ହେବାରୁ ୨୬ଟି ପଞ୍ଚାୟତ ତଥା ୪୨୫ ଗ୍ରାମର ୨୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲା ବେଳେ ନଦୀ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ଲୋକମାନେ ଜୀବିକା ହରାଇଥିବା, ନଦୀ ଅବବାହିକା କ୍ଷୟ ହେଉଥିବା, ନଦୀରେ ପଶୁପକ୍ଷୀଙ୍କ ମୃତଦେହ ସହ ଅଳିଆ ଆବର୍ଜନା ପକାଯିବା ଦ୍ୱାରା ପରିବେଶ ପ୍ରଦୂଷଣ, ନଦୀରେ ଜଳପ୍ରବାହ ବନ୍ଦ ହେବାରୁ ଜଳସ୍ତର ହ୍ରାସ, ନଦୀଗର୍ଭ ଜବରଦଖଲ ସହ ବାଲି, ମାଟି ଆଦି ଚୋରି ହେବା ଆଦି ସମସ୍ୟା ଏନ୍ଜିଟିରେ ଉପସ୍ଥାପନ କରାଯାଇଥିଲା ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।