ମାତ୍ର ସରକାରଙ୍କ ନିୟମକୁ ବେଖାତିର କରିଛନ୍ତି ସିନେମା ହଲ ମାଲିକ । ହିନ୍ଦୀ ସିନେମା ବିକ୍ରମ ବେଧା ମୁକ୍ତିଲାଭ କରିବାରୁ ଓଡ଼ିଆ ସିନେମା ଦମନ ଚଲେଇବାକୁ ହଲ ମାଲିକ ରାଜି ହୋଇନଥିବା ଜଣା ପଡ଼ିଛି । ତେବେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ନୀତି - 2019 ଅନୁଯାୟୀ ହଲ ମାଲିକମାନେ ଅତିକମରେ 56 ଦିନ ଓଡ଼ିଆ ଚଳଚ୍ଚିତ୍ର ଚଲେଇବାକୁ ବାଧ୍ୟ । ଏଥିପାଇଁ ହଲ ମାଲିକମାନଙ୍କୁ ଆନୁସଙ୍ଗିକ ସହାୟତା ରାଜ୍ୟ ସରକାର ପ୍ରଦାନ କରୁଛନ୍ତି । କିନ୍ତୁ ପାର୍ବଣରେ ଓଡ଼ିଆ ସିନେମା ମୁକ୍ତିଲାଭ କରିବାକୁ ପ୍ରଯୋଜକମାନେ ପ୍ରୟାସ କରିଥିଲେ ହେଁ ନିରାଶ ହୋଇଛନ୍ତି । ଚଳିତ ବର୍ଷ, ପାର୍ବଣରେ ହଲରେ ଭିଡ଼ ଲାଗିବ ସତ କିନ୍ତୁ ଓଡ଼ିଆ ସିନେମା ଦେଖିବାରୁ ଦର୍ଶକ ବଞ୍ଚିତ ହେବେ ।
ହଲ ନମିଳିବାରୁ ଦମନର ରିଲିଜ ତାରିଖ ଘୁଞ୍ଚାଇ ଦିଆଯାଇଥିବା ସୂଚନା ମିଳିଛି ।ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ନିର୍ମିତ ଦମନ ହଲରେ ମୁକ୍ତିଲାଭ କରି ପାରିଲା ନାହିଁ । ସେହିପରି ଆଉ ଏକ ସିନେମା ରୁଦ୍ରାଣୀକୁ ମଧ୍ୟ ପାର୍ବଣ ହଲରେ ସ୍ଥାନ ମିଳି ପାରିନାହିଁ । ଏହାସହ ଆଉ ଏକ ଓଡ଼ିଆ ସିନେମା ତିତଲିକୁ ହଲରେ ସ୍ଥାନ ନମିଳିବାରୁ ବାଧ୍ୟ ହୋଇ ମଲ୍ଟିପ୍ଲେକ୍ସରେ ରିଲିଜ କରିବାକୁ ଯୋଜନା ରହିଛି । ଲୋକେ ଦୁର୍ଗାପୂଜା ଓ ରଜରେ ବିଶେଷ ଭାବେ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରିଥାନ୍ତି । ପାର୍ବଣରେ ପାଖାପାଖି 6, 7 ଟି ଓଡ଼ିଆ ସିନେମା ମୁକ୍ତଲାଭ କରିଥାଏ ।
ସୋ ମଧ୍ୟ ପ୍ରାୟ ହାଉସଫୁଲ ଥିବାରୁ ପ୍ରଯୋଜକ ଭଲ ରୋଜଗାର ମଧ୍ୟ କରୁଥିଲେ । କିନ୍ତୁ କରୋନା ପରେ ଓଡ଼ିଆ ସିନେମାର ଅଣ୍ଟା ଏକ ରକମର ଦୋହଲି ଯାଇଛି । ଅଣ୍ଟା ସଳଖି ଛିଡ଼ା ହେବାକୁ ଚେଷ୍ଟା କରୁଥିବା ଓଡ଼ିଆ ସିନେମାର ଅଣ୍ଟା ଏଥର ଖୋଦ ହଲ ମାଲିକମାନେ ଭାଙ୍ଗି ଦେଇଛନ୍ତି ।
ଦମନ ଚଳଚ୍ଚିତ୍ର ପ୍ରଯୋଜକ ଦୀପେନ୍ଦ୍ର ସାମଲ କହିଛନ୍ତି, 4 ଟି ପ୍ରମୁଖ ଜିଲ୍ଲାରେ ସିନେମା ନିର୍ମାଣ ପାଇଁ କୌଣସି ସୁଯୋଗ ମିଳିଲା ନାହିଁ । ବାରବାର ବୈଠକ ପରେ ମଧ୍ୟ ହଲ ମାଲିକ ଓ ବିତରକଙ୍କ କଥା ମାନିବାକୁ ବାଧ୍ୟ ହେଲୁ । ମଲ୍ଟିପ୍ଲେକ୍ସ ମିଳିଥିବା ବେଳେ ସିଙ୍ଗିଲ ହଲ କିନ୍ତୁ ମିଳୁନାହିଁ । ଦୁଇମାସରୁ ଉର୍ଦ୍ଧ୍ବ ସମୟ ଧରି ଚେଷ୍ଟା କରିବା ପରେ ବାଧ୍ୟ ହୋଇ ରିଲିଜ ତାରିଖକୁ ଘୁଞ୍ଚାଇ ଦିଆ ଯାଇଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।