ଭୁବନେଶ୍ବର: ରାଜ୍ୟ ସରକାର ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଥିବା ବେଳେ ଏବେ ଏହାକୁ ସମର୍ଥନ ଜଣାଇଛି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ। ଏବେ ମାସ୍କ ପିନ୍ଧି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି ବୋଲି ନିଷ୍ପତ୍ତି ନେଇଛି ସଂଘ। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ତଥା ଗ୍ରାହକ ଓ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସଂଘ ଏଭଳି ନିଷ୍ପତ୍ତି ନେଇଛି ସୂଚନା ଦେଲେ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ। ସେ କହିଲେ କରୋନା ମୁକାବିଲା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏପ୍ରିଲ 9ରୁ ଘରୁ ବାହାରିଲେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ।
ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହାଛଡ଼ା ପେଟ୍ରୋଲ ପମ୍ପରେ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ଗ୍ରାହକଙ୍କୁ ସେବା ଯୋଗାଉଛନ୍ତି । ଏଣୁ ଉଭୟ ଗ୍ରାହକ ଓ କର୍ମଚାରୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ପେଟ୍ରୋଲ ପମ୍ପଗୁଡ଼ିକ ପକ୍ଷରୁ ବିନା ମାସ୍କରେ ତେଲ ନ ଦେବାକୁ ନିଷ୍ପତ୍ତି ନେଇଥିବା ଶ୍ରୀ ଲାଠ କହିଛନ୍ତି ।
କହି ରଖୁଛୁ ଯେ ବର୍ତ୍ତମାନ କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାର ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି। ଘରୁ ଆବଶ୍ଯକୀୟ ସମାଗ୍ରୀ ତଥା ଜରୁରୀକାଳୀନ କାର୍ଯ୍ୟ ପାଇଁ ବାହାରକୁ ଆସିଲେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ଖାଲି ଏତିକି ନୁହେଁ ଉଲ୍ଲଂଘନ କଲେ ଜୋରିମାନା ଆଦାୟ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସରକାର।
