କନ୍ଧମାଳ ଜିଲ୍ଲା କ.ନୁଆଗାଁ ବ୍ଲକ୍ ଆଡ଼ିମାହା ଗ୍ରାମ ପଞ୍ଚାୟତର ଗଡିପଦର ଗ୍ରାମ ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ। ଏହି ଗାଁକୁ ସହର ସହିତ ସଂଯୋଗ କରିବା ପାଇଁ ରାଜ୍ୟ ସରକାରଙ୍କ ଅନେକ ଯୋଜନା ରହିଛି। କିନ୍ତୁ ଯୋଜନା ଯୋଜନା ହୋଇ ରହିଛି। ଆଜକୁ ପ୍ରାୟ 6 ବର୍ଷ ପୂର୍ବେ 2016 ମସିହାରେ ଏ ଅଞ୍ଚଳ ର ବିକାଶ ପାଇଁ ଏକ ସ୍ଥାୟୀ ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିଲା। କିନ୍ତୁ ପୋଲ କୁ ଅଧା ନିର୍ମାଣ କରି ଠିକାଦାର ଛୁ, କିନ୍ତୁ ନୂଆଗାଁ ବ୍ଲକ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ। ଗଡି ପଦରର ସ୍ଥାନୀୟ ଜନସାଧାରଣ ନିଜେ ନିଜ ଚେଷ୍ଟାରେ ଅର୍ଦ୍ଧ ନିର୍ମିତ ପୋଲ ଉପରେ ଦୁଇ ଖଣ୍ଡ କାଠ ପକାଇ ଯିବା ଆସିବା କରୁଛନ୍ତି।
ଏ ପୋଲର ଅତି ନିକଟରେ ଗଡି ପଦର ପ୍ରାଥମିକ ବିଦ୍ୟାଳୟ ଅବସ୍ଥିତ। ଏହି ବିଦ୍ୟାଳୟରେ ସମୁଦାୟ 21ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରନ୍ତି ଓ ପ୍ରତ୍ୟେକ ଦିନ ଏ ପୋଲ ଉପରେ ବିପଦ ସଙ୍କୁଳ ଭାବେ ଯିବା ଆସିବା କରୁଛନ୍ତି। ଯାହାକୁ ଯେତେ ଅଭିଯୋଗ କଲେ ବି କିଛି ସୁଫଳ ମିଳୁ ନାହିଁ। ସେହିପରି କ.ନୂଆଗାଁ ବ୍ଲକ ସଦର ମହକୁମା ଠାରୁ ଗଡି ପଦର ଗ୍ରାମ 25 କିଲୋମିଟର ଦୂର ଓ ପ୍ରତ୍ୟେକ କାମରେ ବାଲିଗୁଡ଼ା ଦେଇ ନୂଆଗାଁ ବ୍ଲକ ଯିବାକୁ ପଡ଼େ। ଆଜି ବି ଚୁଆ ଓ ନାଳ ପାଣି ଉପରେ ନିର୍ଭର କରିଥାନ୍ତି ଗାଁ ଲୋକେ, ବିଶୁଦ୍ଧ ପାନୀୟ ଜଳ ସାତ ସପନ।