ଅର୍ଗସ ବ୍ୟୁରୋ: ଗୋଟେ ପଟେ ଚନ୍ଦ୍ରଯାନ, ଆଦିତ୍ୟ L-1 କୁ ନେଇ ଚର୍ଚ୍ଚା, ଅନ୍ୟପଟେ ଜାତିପ୍ରଥା ପାଇଁ ମିଳିଲାନି କାନ୍ଧ । ଏକବିଂଶ ଶତାବ୍ଦୀରେ ମଣିଷ ଜହ୍ନରେ ଘର କରିବାକୁ ସ୍ବପ୍ନ ଦେଖୁଛି । କିନ୍ତୁ ସମାଜ ବର୍ତ୍ତମାନ ପର୍ଯ୍ୟନ୍ତ କୁସଂସ୍କାର, ଅନ୍ଧବିଶ୍ବାସରୁ ବାହାରି ନାହିଁ । ମୃତ୍ୟୁ ପରେ ମଧ୍ୟ ଜାତିପ୍ରଥା ପାଇଁ ମିଳିଲାନି କାନ୍ଧ । ଶବକୁ ଛୁଇଁଲେନି ଲୋକେ । ସତ୍କାର କଲେ ସମାଜସେବୀ । ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗିଧମାଲ ଗ୍ରାମରେ ଘଟି ଯାଇଛି ଘଟଣା । ବାର୍ଦ୍ଧକ୍ୟ ଜନିତ ରୋଗରେ ଧୁବୁନୀ ସେଠଙ୍କର ମୃତ୍ୟୁ ହୋଇ ଯାଇଥିଲା । ଶବକୁ ନିଆଁ ଦେବାକୁ କେହି ଆସିଲେନି । ଧୁବୁନୀଙ୍କ ଜାତି ତାଙ୍କ ମଶାଣି ଯିବା ରାସ୍ତାରେ ପ୍ରତିବନ୍ଧକ ସାଜିଲା ।
କୋକେଇକୁ କାନ୍ଧ କେହି ନଥିଲେ । ଜାତି ପ୍ରଥାକୁ ନେଇ ଶବକୁ କେହି ଛୁଇଁଲେନି । ଖବର ମିଳିବା ପରେ ସମାଜସେବୀଙ୍କ ସହ କେତେ ଜଣ ସଚେତନ ଯୁବକ ଆଗେଇ ଆସିଥିଲେ । ପ୍ରାୟ ତିନି କିଲୋମିଟର ଜଙ୍ଗଲ ରାସ୍ତରେ ଶବକୁ କାନ୍ଧେଇ ବୋହି ନେଇଥିଲେ । କୁହାଯାଏ ମଣିଷ ଜନ୍ମ ହେଉଛି ଶ୍ରେଷ୍ଠ ଜନ୍ମ । ହେଲେ ସେହି ମଣିଷକୁ ମୃତ୍ୟୁ ପରେ ପଶୁ ତୁଲ୍ୟ ବ୍ୟବହାର ମିଳେ । ଚାରି କାନ୍ଧ ବି ନମିଳିବା ଦୁର୍ଭାଗ୍ୟ ଆଉ ବିଡମ୍ବନା ଛଡ଼ା ଅନ୍ୟ କିଛି ନୁହେଁ । ଆଜି ବି ସମାଜରେ ଥିବା ଜାତିପ୍ରଥା ପାଇଁ ଧୁବୁନୀଙ୍କ ଭଳି ଅନେକ ଲୋକଙ୍କୁ ମୃତ୍ୟୁ ପରେ ପ୍ରତାଡନା ଓ ତିରସ୍କାରର ସାମ୍ନା କରିବାକୁ ପଡୁଛି । ସମାଜସେବୀଙ୍କର କର୍ତ୍ତବ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: