ଆସନ୍ତା କାଲି ରାଜ୍ୟସଭା ନିର୍ବାଚନ ଲାଗି ଆରମ୍ଭ ହେବ ନାମାଙ୍କନ ଦାଖଲ ପ୍ରକ୍ରିୟା । 31 ତାରିଖ ହେଉଛି ନାମାଙ୍କନ ଦାଖଲର ଶେଷ ଦିନ । ଅର୍ଥାତ ହାତରେ ମାତ୍ର ଆଉ 7 ଦିନ । ତେଣୁ ନିର୍ବାଚନ ପାଇଁ ତ୍ବରାନ୍ବିତ ହୋଇଛି ପ୍ରକ୍ରିୟା । ବିଷ୍ଣୁପ୍ରସାଦ ମିଶ୍ରଙ୍କୁ ରିଟର୍ଣ୍ଣିଂ ଅଫିସର ଓ ଗଙ୍ଗାଧର ମଲ୍ଲିକଙ୍କୁ ଆଶିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି । ଯେଉଁମାନେ ଆବେଦନ କରିବାକୁ ଚାହିଁବେ ସେମାନେ ବିଧାନସଭାରେ ପ୍ରସ୍ତୁତ ହୋଇଥିବା ନିର୍ବାଚନ କକ୍ଷରୁ ଆସି ସେମାନଙ୍କର ଫର୍ମ ନେବା ସହ ପ୍ରାର୍ଥୀପତ୍ର ଦାଖଲ କରି ପାରିବେ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ।
ସେପଟେ ରାଜ୍ୟସଭା ପାଇଁ ନିର୍ବାଚନ ହେଉଥିବା 4 ଆସନ ବିଜେଡି ଖାତାକୁ ଯାଉଥିଲେ ବି, କିଏ ଯିବ ରାଜ୍ୟସଭା ସେ କାର୍ଡ଼ ଖୋଲିନାହାନ୍ତି ସୁପ୍ରିମୋ । ତେଣୁ ଆଶାୟୀ ଦୌଡରେ ଥିବା ତଥା ପାଓ୍ବାର କରିଡରରେ ଲବି ଚଳାଇଥିବା 40ରୁ ଅଧିକ ନେତାଙ୍କ ଚିନ୍ତା ବଢିବା ସହ ଛାତିରେ ଛନକା ପଶିଛି । ମାତ୍ର ଏହା ଭିତରେ ବିଜେଡିର ରାଜ୍ୟସଭା ଗଣିତରେ ଅଧିକ ଟୁଇଷ୍ଟ ଆଣିଛି ଦଳର ବରିଷ୍ଠ ଉପସଭାନେତ୍ରୀ ଉଷା ଦେବୀଙ୍କ ମନ୍ତବ୍ୟ । ଉଷା ନିର୍ବାଚନ ହେଉଥିବା 3 ରାଜ୍ୟସଭା ଆସନ ନେଇ କହିଛନ୍ତି ଜଣେ ନୁହେଁ ତିନି ଜଣ ମହିଳା ରାଜ୍ୟସଭା ଗଲେ ଭଲ ହେବ ।
ଏକାଧିକ ଆଶାୟୀ ରହିଥିବା ବେଳେ ଉଷାଙ୍କ ଏହି ମନ୍ତବ୍ୟ ଦଳ ପାଇଁ ଅଡୁଆ ବଢାଇଛି । କାରଣ ଦଳ ପୂର୍ବରୁ ଜାତୀୟ ସ୍ତରର ନିର୍ବାଚନରେ ମହିଳାଙ୍କୁ 33 ପ୍ରତିଶତ ସଂରକ୍ଷଣ ମିଳୁ ବୋଲି ଦାବି କରି ଆସୁଥିବା ଥିଲା । ତେଣୁ ଠିକ୍ ରାଜ୍ୟସଭା ନିର୍ବାଚନ ସମୟରେ ଉଷାଙ୍କ ମନ୍ତବ୍ୟ ବିଜେଡିକୁ ଅଠାକାଠିରେ ପକାଇଛି । ଏହାକୁ ନେଇ ଦଳର ବିଧାୟକ ତଥା ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ ସୁପ୍ରିମୋ ।
ରାଜ୍ୟସଭା ରେସର ଚର୍ଚ୍ଚାରେ ରହିଛନ୍ତି ଅସନ୍ତୁଷ୍ଟ ଓ ଆମଦାନୀ ନେତା, ସରକାରୀ ଅଧିକାରୀ, ଶିଳ୍ପଦ୍ୟୋଗୀ ଏବଂ ସିନେ ତାରକା । ତେବେ ଅଧିକ ଚର୍ଚ୍ଚା ହେଉଛି ପୂର୍ବଥର ଭଳି ଏଥର ବି ନବୀନ ପୂର୍ବ-ପଶ୍ମିମ ଓ ଉତ୍ତର-ଦକ୍ଷୀଣ କାର୍ଡ ଖେଳି ପାରନ୍ତି ନବୀନ ।
ଆଉ 2024 କୁ ଲକ୍ଷ୍ୟ ରଖି ବିଜେଡି ରାଜ୍ୟସଭା ଅଙ୍କ କଷୁଥିବାରୁ ମହିଳାଙ୍କ ସମେତ ସଙ୍ଗଠନରେ ଆନୁଗତ୍ୟ ରଖୁଥିବା କିଛି ନେତାଙ୍କୁ ଦଳ ରାଜ୍ୟସଭା ପଠାଇପାରେ ବୋଲି ବି ଚର୍ଚ୍ଚା ହେଉଛି । ଯେଉଁଥିରେ ଆଗରେ ରହିଛନ୍ତି ସୁଲତା ଦେଓ ଏବଂ ଲେଲିନ ମହାନ୍ତି । ଏହାବାଦ୍ ପ୍ରଦୀପ ମାଝୀ,ମାନସ ମଙ୍ଗରାଜ,ଶ୍ରୀମୟୀ ମିଶ୍ର, କଳିକେଶ ସିଂଙ୍କ ସମେତ ପ୍ରାୟ 40 ରୁ ଅଧିକ ନେତା ଲବି ଚଳାଇଛନ୍ତି ।
ଆହୁରି ଅଧିକ ରାଜନୀତି ଖବର ବିଷୟରେ ପଢନ୍ତୁ ।