ଅର୍ଗସ ବ୍ୟୁରୋ: ବାପା ଏମ.ଏସ ଜମାଁ ଓ ମା ସାହେଦା ତୟେବାଙ୍କ କନ୍ୟା ସିମ୍ରନ। କେନ୍ଦ୍ରାପଡା ସହର ଖଡିଅଙ୍ଗର ମୂଳନିବାସୀ। ବାପାଙ୍କ ବ୍ୟବସାୟ ଓ ମାଆଙ୍କର ଓକିଲାତି ପାଇଁ ରହୁଛନ୍ତି ସୁଦୂର ରାଜଧାନୀ ନୂଆଦିଲ୍ଲୀରେ। ଭାଷା,ଚାଲିଚଳଣୀ,ପ୍ରଥା,ପରମ୍ପରା ଏମିତିକି ସମ୍ପ୍ରଦାୟ ଭିନ୍ନ ହୋଇଥିଲେ ବି ଓଡ଼ିଆ ଓ ଓଡିଶୀ ପ୍ରେମରେ ସିମ୍ରନ। ସିମ୍ରନ,ଜାମିଆ ମିଲିଆ ଇସଲାମିଆ ୟୁନିଭରସିଟିରୁ ଓକିଲାତି ପାସ କରିଥିବା ବେଳେ ଏବେ ଜର୍ଣ୍ଣାଲିଜିମ ପିଜି ଛାତ୍ରୀ ଭାବେ ଅଧ୍ୟୟନ କରୁଛନ୍ତି। ଏଥିସହ ନିଜସ୍ୱ ଅନୁଷ୍ଠାନ "ଲାସ୍ୟାୟନ" ଖୋଲି ସେଠାରେ ପରବର୍ତ୍ତୀ ପିଢୀକୁ ଓଡିଶୀ ଶିଖାଇବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି। ଭାରତ ଓ ଭାରତ ବାହାରେ ଓଡ଼ିଶୀକୁ ପରିଚିତ କରିବା ପାଇଁ ତାଙ୍କର ଏହି ଉଦ୍ୟମ ବୋଲି କହିଛନ୍ତି ସିମ୍ରନ। ସେହିପରି ବିଭିନ୍ନ ରାଜ୍ୟ ସହ ମାଲେସିଆ,କଲମ୍ବିଆ ଭଳି ଦେଶରେ ଓଡିଶୀ ନୃତ୍ୟ ପରିବେଷଣ କରି ସମସ୍ତଙ୍କର ପ୍ରିୟର ପାତ୍ରୀ ହୋଇପାରିଛନ୍ତି। ମାତ୍ର ୪ ବର୍ଷ ବୟସରୁ ଟିଭିରୁ ଦେଖି ନୃତ୍ୟ କରିବା ସମୟରେ ଉଭୟ ବାପା ଓ ମା ସିମ୍ରନଙ୍କୁ ପାରମ୍ପରିକ ନୃତ୍ୟ ଶିଖାଇବା ପାଇଁ ମନସ୍ଥ କରିଥିବା ବେଳେ ଏଥିରେ ଆଉ ପାଦେ ଆଗକୁ ଯାଇ ସିମ୍ରନ ଓଡିଶୀ ଶିଖି ଓ ଶିଖାଇ ଏବେ ଓଡିଶା ଓ କେନ୍ଦ୍ରାପଡ଼ା ଜିଲ୍ଲାର ନାଁକୁ ବିଶ୍ୱ ଦରବାରରେ ପରିଚିତ କରି ପାରିଛନ୍ତି।
ଛୋଟବେଳୁ ଓଡିଶୀ ନୃତ୍ୟ ପାଇଁ ବ୍ୟବହୃତ ପୋଷାକ ଓ ଅଳଙ୍କାର ପ୍ରତି ଆକୃଷ୍ଟ ହୋଇ ସିମ୍ରନ ଓଡିଶୀରେ ମନ ବଳାଇଥିଲେ ବୋଲି କୁହନ୍ତି ବାପା। ଗୁରୁ ପିତାମ୍ବର ବିଶ୍ୱାଳଙ୍କ ଠାରୁ ନୃତ୍ୟ ଶିକ୍ଷା ଆରମ୍ଭ କରିଥିବା ସିମ୍ରନ ହକି ବିଶ୍ୱକପର ଉଦ୍ଘାଟନୀ ଉତ୍ସବରେ ନୃତ୍ୟ ପରିବେଷଣ କରିଥିବା ନେଇ ସମସ୍ତେ ଖୁସି ବୋଲି କହିଛନ୍ତି।
ଅନ୍ୟପଟେ ଝିଅ ୟୁପିଏସସି ପରୀକ୍ଷା ଦେଇ କୃତକାର୍ଯ୍ୟ ହେବାକୁ ଲକ୍ଷ୍ୟ ରଖିଥିବା ସିମ୍ରନଙ୍କ ପରିବାର ସିମ୍ରନଙ୍କ ନୃତ୍ୟ ପ୍ରତି ଥିବା ତ୍ୟାଗ ଓ ଆଗ୍ରହକୁ ଦେଖି ନିଜର ନିଷ୍ପତ୍ତି ବଦଳାଇଛନ୍ତି। ଶିକ୍ଷା ଆରମ୍ଭରୁ ପ୍ରତ୍ୟେକ ଶ୍ରେଣୀରେ ୯୪% ନମ୍ବର ରଖୁଥିବା ସିମ୍ରନଙ୍କ ପାଇଁ ସରକାରୀ ଚାକିରୀ ଓଡିଶୀ ନୃତ୍ୟ ଆଗରେ ତୁଚ୍ଛ ବୋଲି ପ୍ରମାଣିତ ହୋଇଛି।