ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ମୋଟ ୧୫ଟି ବିଶ୍ବବିଦ୍ୟାଳୟ ମଧ୍ୟରୁ ୧୨ଟି ବିଶ୍ବବିଦ୍ୟାଳୟ ଲାଗି ୧୬୮୬ ପ୍ରଫେସର , ସହଯୋଗୀ ଓ ସହକାରୀ ପ୍ରଫେସର ପଦ ମଞ୍ଜୁର ହୋଇଛି । ସେଥିମଧ୍ୟରୁ ଖାଲି ପଡ଼ିଛି ୯୬୦ ପଦବୀ । ସର୍ବପୁରାତନ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ବବିଦ୍ୟାଳୟରେ ମଞ୍ଜୁରିପ୍ରାପ୍ତ ୪୬ ପ୍ରଫେସର , ୭୫ ସହଯୋଗୀ ପ୍ରଫେସର ଓ ୧୨୩ ସହକାରୀ ପ୍ରଫେସର ରହିବା କଥା। ହେଲେ ଅଛନ୍ତି ୩୩ଜଣ ପ୍ରଫେସର, ୩୯ଜଣ ସହଯୋଗୀ ଓ ସହକାରୀ ପ୍ରଫେସର ନାହାନ୍ତି। ସେହିପରି ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ୧୮୨ରୁ ୮୩ ପଦ ଖାଲି ଥିବା ବେଳେ ସମ୍ବଲପୁରରେ ୧୫୩ରୁ ୬୩ , ରେଭେନ୍ସାରେ ୨୬୭ରୁ ୧୫୬ , ମହାରାଜା ଶ୍ରୀରାମ ରାଜ୍ୟର ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ୧୧୫ରୁ ୬୪ , ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ୩୮ରୁ ୧୮ , ଫକୀର ମୋହନ ବିଶ୍ବବିଦ୍ୟାଳୟରେ ୧୧୭ରୁ ୪୩ , ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ୧୩୮ରୁ ୭୭ , ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ୧୪୪ରୁ ୭୨ , ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟରେ ୫୦ରୁ ୫୦ , ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ୧୨୬ରୁ ୧୧୫ ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ମଞ୍ଜୁର ହୋଇଥିବା ୧୧୨ ପ୍ରଫେସର , ସହଯୋଗୀ ଓ ସହକାରୀ ପ୍ରଫେସରଙ୍କ ମଧ୍ୟରୁ ୧୦୮ ପଦ ଖାଲି ପଡ଼ିଛି ।
ଏତିକିରେ ସରିନି ଏ ତାଲିକା। ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାକୁ ଦୁଇ ବର୍ଷ ବିତିବାକୁ ବସିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ପଦବୀ ମଞ୍ଜୁର ହୋଇନାହିଁ । ଏବେ ଏବେ ଘୋଷଣା ହୋଇଥିବା ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ ଓ ଧରଣୀଧର ବିଶ୍ବବିଦ୍ୟାଳୟରେ ମଧ୍ୟ ସମାନ ଅବସ୍ଥା । ଘୋଷଣା କରିବାରେ ରାଜ୍ୟ ସରକାର ଏକ ନମ୍ୱର ହେଲେ କାର୍ଯ୍ୟକାରିତା ଆପଣଙ୍କ ଆଖିସାମ୍ନାରେ। ଏବେ ଆପଣ ଚିନ୍ତା କରନ୍ତୁ କେମିତି ପାଠ ପଢ଼ିବେ, କେମିତି ଆଗକୁ ବଢ଼ିବେ। ଆଉ କେମିତି ଉଚ୍ଚ ଶିକ୍ଷିତ ହୋଇ ରାଜ୍ୟର ନାଁ ରଖିବେ।