କାଲି ରାତି ଅଧରେ, ରାଜଧାନୀ ଛାତି ଉପରେ ପୁଲିସ ସହ ମୁହାଁମୁହିଁ ହୋଇଥିଲା ଅପରାଧି। ବରମୁଣ୍ଡା ହାଇସ୍କୁଲ ପଡିଆରେ ପାଖାପାଖି ଘଣ୍ଟାଏ କାଳ ଚାଲିଥିଲା ଚୋର ପୁଲିସର ଲୁଚକାଳି ଖେଳ। ଆଉ ତାରି ଭିତରେ ସୁଯୋଗ ଉଣ୍ଡି ଖସି ଯିବାକୁ ଚେଷ୍ଟା ବି କରିଥିଲା ଚକରା। କିନ୍ତୁ ଶେଷରେ ପୁଲିସ ଗୁଳିର ଶିକାର ହୋଇଥିଲା। ଆଉ ନିଶାନା ଠିକ୍ ଜାଗାରେ ବାଜିଥିଲା।
ବୁଧବାର ରାତିରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅପରାଧି ବନ୍ଧା ଅଭିଯାନରେ ବାହାରିଥିଲା ପୁଲିସ୍। କିନ୍ତୁ ଠିକ୍ ବେଳକୁ ଚକରା ଓ ତା ସହଯୋଗୀ ପୁଲିସ୍କୁ ଦେଖି ବୋମାମାଡ଼ କରିଥିଲେ। ଯବାବରେ ପୁଲିସ ଆରମ୍ଭ କରିଥିଲା ଏନକାଉଣ୍ଟର୍।
ଗୁଳି ଯାଇ ସିଧା ବାଜିଥିଲା ଚକରାର ଡାହାଣ ଗୋଡ଼ରେ। ଆହତ ଅବସ୍ଥାରେ ତାକୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲର ଓ ପରେ କଟକ ଏସସିବିରେ ଭର୍ତ୍ତି କରାଯାଇଛିା ଘଟଣାସ୍ଥଳରୁ ବୋମା, ବନ୍ଧୁକ ସମେତ ଏକ କାର୍ ଜବତ ହୋଇଛି । ଖଣ୍ଡଗିରି ପୁଲିସ୍ ଓ ସ୍ପେଶାଲ ସ୍କ୍ୱାର୍ଡ ଏହି ଏନକାଉଣ୍ଟର କରିଛି। ଆଗକୁ ଏମିତି ଅନେକ ଅପରାଧିକ ତତ୍ବକୁ ଅକ୍ତିଆର କରିବାକୁ କମିଶନରେଟ୍ ପୁଲିସ ଯୋଜନା କରୁଥିବା କହିଛନ୍ତି ଡିସିପି ପ୍ରତିକ ସିଂହ।