ଏହି ପର୍ବ ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ । ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ଅବତରଣ ବେଳେ ଏହି କୃଷି ଭିତ୍ତିକ ପର୍ବ ପାଳନ କରାଯାଏ।
ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ । ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇଥାଏ।
ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ କରେ । ନୂଆଖାଇ ପାଳନ ନିମନ୍ତେ ଆଗରୁ "ଲଗ୍ନ" ବା "ତିଥି" ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହୋଇଥାଏ ନବାନ୍ନ । ଏହାପରେ ଘରେ ଘରେ ନୂଆ ଖାଇବେ ସମସ୍ତେ । ଗ୍ରାମ ବା ସହରର ପଡ଼ା ଅଞ୍ଚଳରେ ନୂଆଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି । ତାହା ଖାଇ ସାରି ପରିବାରର ସମସ୍ତ ବ୍ୟକ୍ତି ନିଜର ବୟଷ୍କମାନଙ୍କୁ ଭୂମିଷ୍ଠ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରନ୍ତି ।
ପରେ ପିଠା ପଣା ସହ ନବାନ୍ନ ଭୋଜି ଖାଇ ସାରି ଗ୍ରାମ ବା ପଡ଼ୋଶୀରେ ଥିବା ସମସ୍ତ ବୟୋଜ୍ୟେଷ୍ଠ ମାନଙ୍କୁ ଭେଟି ପ୍ରଣାମ କରିଥାନ୍ତି । ଏହି ସମୟରେ ଗ୍ରାମ ବା ପଡ଼ାର ଲୋକ ମାନେ ନିଜ ଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାଆନ୍ତି । ପରିବାରମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ । ସମସ୍ତେ ପୁଣି ଏକଜୁଟ ହୋଇ ରହନ୍ତି । ଏହା ନୂଆଖାଇ ପର୍ବର ଏକ ବିଶେଷତା । ଭେଟଘାଟ ଶେଷ ହେବାପରେ ଗାଁରେ ଖେଳକୁଦ ପ୍ରତିଯୋଗିତା ହୋଇଥାଏ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ।
ନୂଆଁଖାଇ ପରଦିନକୁ ନୂଆାଖାଇ ବାସି ବୋଲି କୁହାଯାଏ । ଏହି ଦିନଟିକୁ ମଉଜ ମଜଲିସର ଦିନ ଭାବେ ପାଳନ କରାଯାଏ । ନୂଆଖାଇ ଦିନ ନିଜର ଇଷ୍ଟଦେବୀଙ୍କୁ ଭୋଗଲାଗି କରୁଥିବାରୁ ସେଦିନ ପ୍ରାୟତଃ କେହି ଆଇଁଷ ଖାଆନ୍ତି ନାହିଁ । ସେଥିପାଇଁ ଏହି ଦିନ ଆଇଁଷ ଖାଇଥାନ୍ତି ।