
ବ୍ରହ୍ମପୁର: ଜାପାନ ଉପକୂଳରେ ଡାଇମଣ୍ଡ ପ୍ରିନସେନ୍ସ ଜାହାଜରେ ଦୀର୍ଘଦିନ ଧରି ଫସିଥିବା ଓଡ଼ିଆ ଇଂଜିନିୟର ଶିବାଶିଷ ନାୟକ ନିଜ ଘରକୁ ଫେରିଛନ୍ତି । ତାଙ୍କ ଦେହରେ କୋରୋନା ଭୂତାଣୁ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ମାନେସାରରେ ଥିବା କ୍ୱାରାଂଟାଇନ୍ ସେଂଟର କ୍ଲିନ୍ ଚିଟ୍ ଦେଇଥିଲା । ତାଙ୍କ ସ୍ୱାବ ରିପୋର୍ଟ ନେଗେଟିଭ ଆସିଥିଲା । ଜାପାନରୁ ଫେରିବା ପରେ ତାଙ୍କୁ ୧୪ ଦିନ ଧରି ହରିୟାଣାର ମାନେସାର ଠାରେ କ୍ୱାରାଂଟାଇନ୍ ସେଂଟରରେ ରଖାଯାଇଥିଲା । ଶିବାଶିଷଙ୍କର ଫେବ୍ରୁଆରି ୨୭ ଓ ମାର୍ଚ୍ଚ ୧୧ ତାରିଖରେ ନମୂନା ପରୀକ୍ଷା କରାଯାଇଥିଲା ।
ଦୁଇଟି ଯାକ ନମୂନା ରିପୋର୍ଟ ନେଗେଟିଭ୍ ଆସିଥିଲା । ଫଳରେ ବ୍ରହ୍ମପୁରର ଶିବାଶିଷ ନାୟକଙ୍କୁ ଘରକୁ ଫେରିବା ପାଇଁ ଅନୁମତି ମିଳିଥିଲା । ଗତକାଲି ରାତିରେ ସେ ବ୍ରହ୍ମପୁର ଫେରିଛନ୍ତି । କୋରୋନାର କୋକୁଆ ଭୟ ଭିତରେ ଜାହାଜରେ ସେତେବେଳର ମୁହୂର୍ତ୍ତ କଷ୍ଟଦାୟକ ଥିଲା ବୋଲି ପ୍ରତିକ୍ରିୟା ରଖିଛନ୍ତି ଶିବାଶିଷ ।
ସେ କହିଛନ୍ତି, ଜାହାଜ ଭିତରେ ୨୪ ଘଂଟାରୁ ଅଧଘଂଟା ବାହାରକୁ ବାହାରିବାକୁ ଅନୁମତି ମିଳୁଥିଲା । ସମସ୍ତ ଯାତ୍ରୀ ଭୟରେ ଥିଲେ । ଠିକ ସେ ଖାଇବାକୁ ମିଳୁନଥିଲା । ଅଧିକାଂଶ ସମୟ ଫଳ ଖାଇ ରହିଥିଲେ ବୋଲି କହିଛନ୍ତି ଶିବାଶିଷ । କୋରୋନା ଭୂତାଣୁ ରିପୋର୍ଟ ନେଗେଟିଭ୍ ଆସିଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରତି ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।
