ଅଧିକ ପଢ଼ନ୍ତୁ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ଫଟାଫଟ୍ କ୍ରିକେଟର ମହାସମର
ଓଡ଼ିଆ ଭାଷାରେ କ୍ରିକେଟ କମେଣ୍ଟ୍ରି ମଧ୍ୟ ଆପଣଙ୍କ କାନ ଶୁଣିବ। ଆଉ ଏଥିପାଇଁ ଜଣେ ଓଡ଼ିଆ ଝିଅ ଆଇପିଏଲ୍ ଆଙ୍କରିଂ ଚୟନ କମିଟି ଦ୍ୱାରା ମନୋନୀତ ମଧ୍ୟ ହୋଇ ସାରିଛନ୍ତି। ଆଜିଠାରୁ ଆଇପିଏଲର ମହାସମର ଆରମ୍ଭ ହେବାକୁ ଯାଉଥିବାବେଳେ ଓଡିଆ ଝିଅଙ୍କ କଣ୍ଠରୁ ଶୁଣିବେ ଓଡିଆ କମେଣ୍ଟ୍ରି। ଯାହାକୁ ନେଇ ଓଡିଶାବାସୀ ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି। ସେ ହେଉଛନ୍ତି କଟକର ଝିଅ ଲୋରିଆ ମହାନ୍ତି। ଇନିଂସ୍ ଆରମ୍ଭ, ମଝି ଓ ଅନ୍ତିମ ସମୟରେ ଲୋରିଆଙ୍କ କଣ୍ଠରୁ ଆପଣ ଶୁଣିବେ କ୍ରିକେଟର ଓଡ଼ିଆ ପ୍ରସାରଣ। ଯାହା ଗୋଟିଏ ନୂଆ ଅନୁଭୂତି ଆପଣଙ୍କୁ ଦେବ ବୋଲି କୁହାଯାଉଛି।
ଆହୁରି ପଢ଼ନ୍ତୁ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଆଜି ଆରମ୍ଭ ହେବ ଆଇପିଏଲର ଉଦଘାଟନୀ ମ୍ୟାଚ
ଲୋରିଆ ଓଡ଼ିଆ ଟିଭି ଓ ଆଙ୍କରିଂ ଜଗତରେ ଆଦୌ ନୂଆ ନାଁ ନୁହେଁ। ସେ ଦୀର୍ଘ ୧୫ ବର୍ଷ ହେବ ଓଡ଼ିଶାର ବିଭିନ୍ନ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଛନ୍ତି। ସାଂସ୍କୃତିକ ମଞ୍ଚ ପରିଚାଳନାରେ ଦକ୍ଷତା ରଖିଥିବା ଲୋରିଆ ପ୍ରଥମ ଥର ପାଇଁ କ୍ରିକେଟ ପ୍ରସାରଣରେ ସାମିଲ ହେବାକୁ ଯାଉଛନ୍ତି। ୧୫ ବର୍ଷ ଧରି ଆଇପିଏଲ୍ ପ୍ରସାରଣ ହେଉଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ଲାଗି ବିଭିନ୍ନ ପ୍ରାଦେଶିକ ଭାଷାରେ ଏହାର ପ୍ରସାରଣ ପାଇଁ ବ୍ୟବସ୍ଥା ହୋଇଛି। ଏହି କ୍ରମରେ ଆଇପିଏଲ୍ ଚୟନ କମିଟି ପକ୍ଷରୁ ଆଙ୍କରିଂ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲେ। ୩ ରାଉଣ୍ଡ ଅଡିସନ୍ ଦେବା ପରେ ଲୋରିଆଙ୍କ କଥନ ଶୈଳୀ ଦେଖି ଚୟନ କମିଟି ତାଙ୍କୁ ଆଙ୍କରିଂ ପାଇଁ ସୁଯୋଗ ଦେଇଛି।