ଅର୍ଗସ ବ୍ୟୁରୋ : ନା ଗୀତ ଲେଖିଛନ୍ତି । ନା କମ୍ପୋଜ କରିଛନ୍ତି । ନା ପ୍ରଥମେ ଗାଇଛନ୍ତି । ଆଉ ଜଣେ ଲେଖିଲା, ଜଣେ ସ୍ବର କଲା, ଆଉ ଜଣେ ଗାଇଲା । କିନ୍ତୁ ପରେ ନିଜେ ଗାଇ ଦେଇ ନିଜକୁ ବୋଲାଇଲେ ସିଙ୍ଗର କମ୍ କମ୍ପୋଜର କମ୍ ରାଇଟର । ସେହି ଫର୍ମାନୀ ନାର୍ ଯାହାକୁ ନେଇ ଜାତୀୟ ଗଣମାଧ୍ୟମରେ ସର୍ବାଧିକ ଚର୍ଚ୍ଚା । ଚର୍ଚ୍ଚା ସେ ଗାଇଥିବା ହରହର ଶମ୍ଭୁକୁ ନେଇ । ଆଉ ଗୀତ ଗାଇବା ପରେ ତାଙ୍କ ବିରୋଧରେ ଜାରି ଫତୱାକୁ ନେଇ । କିନ୍ତୁ ପ୍ରକୃତରେ ହରହର ଶମ୍ଭୁର ଗାୟିକା କଣ ଫର୍ମାନୀ ? ଏବେ ଏଭଳି କିଛି ପ୍ରଶ୍ନ ସାମ୍ନାକୁ ଆସିଥିବା ବେଳେ ସାମ୍ନାକୁ ଆସିଛନ୍ତି ଓଡ଼ିଆ ସିଙ୍ଗିଙ୍ଗ୍ ସେନସେସନ ତଥା ଗୀତର ଅରିଜିନାଲ ସିଙ୍ଗଲ ଅଭିଲିପ୍ସା ପଣ୍ଡା । ଟ୍ଵିଟରରେ ଅଭିଲିପ୍ସା ଫର୍ମାନୀଙ୍କୁ ଲେଖିଛନ୍ତି, ଟିକେ ତ ଲଜ୍ଜା କର। ମୋ ଗୀତ କପି କରିଛ ବୋଲି ମିଡିଆକୁ କେବେ କହିବ ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେପଟେ ଗୀତ ଚୋରି ଅଭିଯୋଗରେ କପି ରାଇଟ୍ ପାଇଁ କ୍ଲେମ କରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଜିତୁ ଶର୍ମା । କପି ରାଇଟ୍ ପାଇଁ କ୍ଲେମ କରିବା ପରେ ଫରମାନୀ ନାଜ୍ ଗୀତକୁ ନିଜ ଆଇଡିରୁ ହଟାଇ ଦେଇଛନ୍ତି । ସଙ୍ଗୀତ ନିର୍ଦ୍ଦେଶକ ଜିତୁ ଶର୍ମା କହିଛନ୍ତି, ଆଗକୁ ଯଦି ଫରମାନୀ ନାଜ୍ ଏହି ଗୀତର କମ୍ପୋଜିସନକୁ ନିଜର ବୋଲି ଦାବି କରନ୍ତି, ତେବେ ସେ ଆଇନର ଆଶ୍ରୟ ନେବେ । ଅଭିଲିପ୍ସା ପଣ୍ଡାଙ୍କ ବିନା କ୍ରେଡିଟରେ ଗୀତଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି । ଫରମାନୀ ନାଜ୍ ସାକ୍ଷାତକାରରେ ଅଭିଲିପ୍ସାଙ୍କ ନାଁ ମଧ୍ୟ ନେଇନାହାନ୍ତି ।
ହରହର ଶମ୍ଭୁ ଗୀତ ଗାଇ ଏବେ ଅଭିଲିପ୍ସା ସବୁଠି ଚର୍ଚ୍ଚାରେ । ହେଲେ ଓଡ଼ିଆ ଝିଅର ଗୀତକୁ ଚୋରି କରି ମୁଜଫରନଗରର ଫର୍ମାନୀ ଯେଉଁ କାଣ୍ଡ ଭିଆଇଛନ୍ତି, ତାକୁ ଦେଖି ଗୋଟିଏ କଥା କହିହେବ ଯେ ମାଗି ଖାଏ ଯେ ଲାଗେ ନାହିଁ, ଲାଗି ଖାଏ ଯେ ମାଗେ ନାହିଁ ।