
ଝାରସୁଗୁଡ଼ା: ଗିକାଲି ରାତି ପ୍ରାୟ ୯ ଟାରେ ଝାରସୁଗୁଡ଼ା ପୋଲିସର ନିର୍ବାଚନ ଫ୍ଲାଇଂ ସ୍କ୍ୱାର୍ଡ ବଡମାଲ ଥାନା ସମ୍ମୁଖରେ ଯାନବାହନ ଯାଞ୍ଚ ବେଳେ ଇନୋଭା ଗାଡ଼ିରୁ ୨ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି । ଗାଡିଟି ସମ୍ବଲପୁରରୁ ଛତିଶଗଡ଼ର ଚମ୍ପାକୁ ଯାଉଥିବାବେଳେ ଟଙ୍କା ଜବତ ହୋଇଛି ।

ଗାଡି ମାଲିକ ହେଉଛନ୍ତି ଛତିଶଗଡ଼ ଚମ୍ପାର ବ୍ୟବସାୟୀ ଅରବିନ୍ଦ ଅଗ୍ରଓ୍ୱାଲ । ପୋଲିସ ବ୍ୟବସାୟୀ ଅରବିନ୍ଦକୁ ବଡମାଲ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିବା ବେଳେ ଟଙ୍କା କେଉଁଠୁ ଆସିଲା ସେନେଇ ଅଧିକ ଖୋଳତାଡ ଆରମ୍ଭ କରିଛି ।
ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଝାରସୁଗୁଡା ଜିଲ୍ଲା ନିର୍ବାଚନ ଅଧିକାରୀ ପକ୍ଷରୁ ବେଆଇନ ଟଙ୍କା ରୋକ ଲଗାଇବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଝାରସୁଗୁଡା ପୋୖରପାଳିକାର ନିର୍ବାହୀ ଅଧିକାରୀ ମାଜିଷ୍ଟ୍ରେଟ ଦାୟିତ୍ୱ ଥିବା ବେଳେ ବଡମାଲ ଥାନା ଅଧିକାରୀ ଅମିତାଭ ପଣ୍ଡାଙ୍କ ନେତୃତ୍ୱରେ ନିର୍ବାଚନ ଫ୍ଲାଇଂ ସ୍କ୍ବାର୍ଡ ଟଙ୍କା ଜବତ କରିଛି । ଏହା ପରେ ଏକ ମାମଲା ରୁଜୁ କରି ତଦନ୍ତ କରାଯାଉଥିବା କହିଛନ୍ତି ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅଧିକାରୀ ରାମଚନ୍ଦ୍ର ପ୍ରଧାନ ।
