ଅନୁଗୋଳ: ପଡିରହିଛି ସରକାରଙ୍କ ଟଙ୍କା । ହୋଇ ପାରୁନି ଉନ୍ନତି ମୂଳକ କାର୍ଯ୍ୟ । ତ୍ରିସ୍ତରୀୟ ନିର୍ବାଚନରୁ ଆଜି ପର୍ଯ୍ୟନ୍ତ ଅଢେ଼ଇ ବର୍ଷ ବିତି ଯାଇଥିଲେ ମଧ୍ୟ ପଞ୍ଚାୟତରେ ରାଜନୈତିକ ଛକାପଞ୍ଝା ପାଇଁ ହୋଇ ପାରୁନାହିଁ ପଞ୍ଚାୟତର ବିକାଶ । ଫଳରେ ପଞ୍ଚାୟତବାସୀଙ୍କ ମଧ୍ୟରେ ବଢିବାର ଲାଗଛି ଅସନ୍ତୋଷ ।
ହୀନ ରାଜନୀତି ପାଇଁ ହୋଇପାରୁନି ପଞ୍ଚାୟତର ବିକାଶ ମୂଳକ କାର୍ଯ୍ୟ । ଆମେ କହୁଛୁ ଅନୁଗୋଳ ଛେଣ୍ତିପଦା ନିର୍ବାଚନ ମଣ୍ତଳୀର କୋଶଳା ପଞ୍ଚାୟତ କଥା । ଏହି ପଞ୍ଚାୟତର ୨୦ଟି ଓ୍ବାର୍ଡରେ ପ୍ରାୟତଃ 10 ହଜାର 440 ଲୋକ ବାସ କରନ୍ତି । ପଞ୍ଚାୟତରେ ମୁଖ୍ୟ ସମସ୍ୟା ରାସ୍ତା, ପାନୀୟ ଜଳ, ତଥା ଶିକ୍ଷା ବ୍ୟବସ୍ଥା ରହିଛି । ପାନୀୟ ଜଳ ଟିକକ ପାଇଁ ଆଜି ଯାଏଁ ମହିଳାଙ୍କୁ ମାଇଲ ମାଇଲ ଦୁର ଯିବାକୁ ପଡ଼ୁଛି । ଗାଁରେ ଥିବା କୂଅ ମାନଙ୍କ ଅବସ୍ଥା ନ କହିବା ଭଲ । ଏହାସହ ଅନେକ ସ୍କୁଲରେ ପାଚେରୀ ବ୍ୟବସ୍ଥା ନାହିଁ । ଫଳରେ ପଞ୍ଚାୟତବାସୀ ଦୁର୍ଦିନରେ ଗତି କରୁଛନ୍ତି । ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି ।
ପଞ୍ଚାୟତରେ କଂଗ୍ରେସ ସମର୍ଥିତ ସରପଞ୍ଚ ରହିଛିନ୍ତି । କିନ୍ତୁ ୨୦ଟି ଓ୍ବାର୍ଡ ମଧ୍ୟରୁ ୧୮ ଓ୍ବାର୍ଡର ସଭ୍ୟ ବିଜେଡି ଦଳର ରହିଛନ୍ତି । ଫଳରେ ସେମାନଙ୍କ ମଧ୍ୟରେ ରାଜନୈତିକ ଛକାପଞ୍ଝା ଲାଗି ରହିଥିବା ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ କିଛିଦିନ ପୂର୍ବରୁ ସରପଞ୍ଚଙ୍କ ବିରୋଧରେ ଓ୍ବାର୍ଡ ସଭ୍ୟମାନେ ଅନାସ୍ଥା ମଧ୍ୟ ଆଣିଥିଲେ । ଏହି ହୀନ ରାଜନୀତିର ଶିକାର ହୋଇଛନ୍ତି ସ୍ଥାନୀୟ ବାସିନ୍ଦା । ଏହି ରାଜନୈତିକ ଛକାପଞ୍ଝାର ଅନ୍ତ କେବେ ହେବ ଏବଂ ପଞ୍ଚାୟତରେ ବିକାଶ ହେବ ତାହା ଦେଖିବାକୁ ପଞ୍ଚାୟତବାସୀ ଅପେକ୍ଷା କରିଛନ୍ତି ।
