ଜଳେଶ୍ୱର: ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନରେ ବାଲେଶ୍ୱର ଲୋକସଭା ସମେତ ୭ ବିଧାନସଭାରେ ମଧ୍ୟ ମତଦାନ ହେବ । ଏନେଇ ନିର୍ବାଚନୀ ପ୍ରଚାର ଜୋରଦାର ଚାଲିଛି । ବିଜେଡି ସୁପ୍ରିମୋ ବାଲେଶ୍ୱରରେ ଗର୍ଜୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଆସି ବିଜେଡିକୁ ଟାର୍ଗେଟ କରିଥିଲେ ।
ଏହାସହ ବିଜେପିର ବିଜୟ ସଙ୍କଳ୍ପ ସଭା ପ୍ରତିଟି ବିଧାନସଭା ମଣ୍ଡଳିରେ ଆୟୋଜିତ ହେଉଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଉଥିବା ଏହି ସଭାରେ ହଜାର ହଜାର ସଂଖ୍ୟକ ଲୋକ ଯୋଗ ଦେଇ ଏଥର ପରିବର୍ତ୍ତନ ଦରକାର ନାରା ଦେଉଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାର ବଦଳିବା ଦରକାର ନାରାରେ କମ୍ପୁଛି ବାଲେଶ୍ୱର । ଏହାରି ଭିତରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିର୍ବାଚନ ମଣ୍ଡଳି ରାଇବଣିଆ ଠାରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ କଂଗ୍ରେସ ଓ ବିଜେଡିର ଦୀର୍ଘ ଶାସନ ପରେ ମଧ୍ୟ ରାଇବଣିଆର ଯୁବକ ବାହାରକୁ କାମ କରିବାକୁ ଯାଉଛି । ଓଡିଶାର ସମ୍ପନ୍ନତା ଆଣିବା ପାଇଁ ଦିନେ ଯେଉଁ ଅଂଚଳର ଯୁବକ ବିଶ୍ୱକୁ ଯାଇଥିଲା, ସେ ଅଂଚଳର ଯୁବକ ଆଜି ଦାଦନ ଖଟିବାକୁ ଯାଉଛି ।

ଓଡିଶାରେ ଡବଲ ଇଞ୍ଜିନ ସରକାର ହେଲେ ଉତର ଓଡିଶାର ଏହି ପ୍ରାଣକେନ୍ଦ୍ର ଜଳେଶ୍ୱର ଆଧାରିତ ଅର୍ଥନୀତି ଓ ଚଷାଚାଷୀ ଅଂଚଳକୁ ସମ୍ପନ୍ନ କରାଯିବ । ଏ ଅଂଚଳରେ କଳ କାରଖାନା, କୃଷି ଉତ୍ପାଦିତ ଶିଳ୍ପ ତିଆରି କରି ଏ ଅଂଚଳର ଯୁବକଙ୍କୁ ରୋଜଗାର ଦିଆଯିବାର ବ୍ୟବସ୍ଥା କରାଯିବ । ସେହିପରି ବିଜେପି ସରକାର ହେଲେ ସବୁ ଗରିବଙ୍କୁ ମାଗଣାରେ ପକ୍କା ଘର ଓ ସ୍ଥାୟୀ ପଟ୍ଟା ଦିଆଯିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦିଙ୍କ ଉପରେ ଇର୍ଷାନ୍ୱିତ ହୋଇ ଓଡିଶାରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ଲାଗୁ କରୁନାହାନ୍ତି । ଗରିବଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ପାଇଁ ମୋଦିଙ୍କ ଆୟୁଷ୍ମାନ ଯୋଜନା ରାଜ୍ୟରେ ଲାଗୁ କଲେ ନାହିଁ , ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପାଇଁ ତାଲିକା ପଠାଇଲେ ନାହିଁ । ଅନ୍ୟପଟେ ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ସାଧାରଣ ଚାଷୀ ଟଙ୍କା ପାଇନାହାନ୍ତି । ସ୍ୱାମୀ ମରୁ ପଛେ ସଉତୁଣି ବିଧବା ହେଉ ନୀତି ରାଜ୍ୟ ସରକାର ଆପଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦ ଲକ୍ଷ ଘର ଦେଇଥିବା ବେଳେ ସ୍ୱଚ୍ଛ ଭାରତ ଯୋଜନାରେ ୫୦ ଲକ୍ଷ ଶୌଚାଳୟ ଦେଇଛନ୍ତି । ମୋଦି ଘର ପିଛା ୧ ଲକ୍ଷ ୫୦ ହଜାର ଟଙ୍କା ଓ ଶୌଚାଳୟ ପିଛା ୧୨ ହଜାର ଟଙ୍କା ପଠାଉଥିବା ବେଳେ ଏଠାରେ ପିସି କାରବାର ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲେଶ୍ୱର ଗସ୍ତରେ ଆସି ଓଡିଶାରେ ବିଜେପି ସରକାର ହେଲେ ଗିଗତ ୧୯ ବର୍ଷରେ ହୋଇନଥିବା କାମକୁ ବିଜେପି ୫ ବର୍ଷରେ ୫ ଗୁଣା କାମ କରି ଦେଖାଇବ ବୋଲି କହିଥିବା ଶ୍ରୀ ପ୍ରଧାନ କହିଛନ୍ତି ।

ଧର୍ମେନ୍ଦ୍ର କହିଛନ୍ତି ଯେ ଏଠାକାର ସାଂସଦ ଅଧା ସମୟ ଜେଲରେ ଓ ଅଧା ସମୟ ବେଲରେ ଯାଉଛନ୍ତି । ଅନ୍ୟପକ୍ଷରେ ମହାପ୍ରଭୁ ରତ୍ନଭଣ୍ଡାର ଚାବୀ ହଜାଇ ଦିଲ୍ଲୀ ଶାସନ ଚାବି କାଠି ରଖିବା କଥା ମୁଖ୍ୟମନ୍ତ୍ରୀ କହୁଛନ୍ତି । ମୋଦି ଓ ପରିବର୍ତନ ନାଁ ଶୁଣିଲେ ମୁଖ୍ୟମନ୍ତ୍ରୀଙ୍କୁ କଷ୍ଟ ହେଉଛି । ସାଢେ ୪ କୋଟି ଓଡିଆ ଲୋକ ଏଥର ନରେନ୍ଦ୍ର ମୋଦିଙ୍କ ସହ ଠିଆ ହେବେ ବୋଲି ସେ କହିଛନ୍ତିା
ନବୀନ ବାବୁ ଶପଥ ବିଧିକୁ ମୋଦିଙ୍କୁ ଡକାଯିବ ବୋଲି କହୁଛନ୍ତି । ଏହା ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ନରେନ୍ଦ୍ର ମୋଦି ଓଡିଶାର ନୂଆ ସରକାରର ଶପଥ ବେଳେ ଆସିବେ । ଏହି ଉତ୍ସବରେ ନବୀନ ବାବୁଙ୍କୁ ବିଦାୟୀ ମୁଖ୍ୟମନ୍ତ୍ରୀ ଭାବେ ଆଦରର ସହକାରେ ନିମନ୍ତ୍ରଣ କରାଯିବ ଏବଂ ପ୍ରଧାନମନ୍ତ୍ରୀଙ୍କ ପାଖରେ ତାଙ୍କୁ ବସାଯିବ । ସାଢେ ୪ କୋଟି ଓଡିଆ ଭାଷା ଲୋକଙ୍କର ଶପଥ ମୁଖ୍ୟମନ୍ତ୍ରୀ ଦେଖିବେ ବୋଲି ସେ କହିଛନ୍ତି । ଦେଶରେ ରୋଜଗାର ବଢିବା, ମା ମହିଳାଙ୍କ ସୁରକ୍ଷା ଓ ଗରିବ କଲ୍ୟାଣକୁ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଇଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
