ଅର୍ଗସ ବ୍ୟୁରୋ: ବାଲେଶ୍ୱର ଏବଂ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କନ ଭରିବେ ପ୍ରାର୍ଥୀ । ସରକାରୀ ଛୁଟି ବ୍ୟତୀତ ୧୬ ତାରିଖ ଯାଏ ଚାଲିବ ନାମାଙ୍କନ ଦାଖଲ ପ୍ରକ୍ରିୟା । ଦିନ ୧୧ଟାରୁ ୩ଟି ଭିତରେ ଭରିପାରିବେ ନାମାଙ୍କନ । ସେହିପରି ୧୭ ତାରିଖରେ ପ୍ରାର୍ଥାପତ୍ର ଯାଞ୍ଚ ଓ ୧୯ ତାରିଖରେ ନାମାଙ୍କନ ପ୍ରତ୍ୟାହାରର ଶେଷଦିନ ରହିଛି । ନଭେମ୍ବର ୩ରେ ଭୋଟିଂ ଓ ନଭେମ୍ବର ୧୦ରେ ଭୋଟ ଗଣତି । ନିର୍ବାଚନ ମଣ୍ଡଳୀରେ ଥିବା ୮୦ ବର୍ଷରୁ ଅଧିକ ବୟସର ଭୋଟର, ଦିବ୍ୟାଙ୍ଗ ଭୋଟର ଏବଂ କୋଭିଡ-୧୯ ଆକ୍ରାନ୍ତ ତଥା ସନ୍ଦିଗ୍ଧ କୋଭିଡ ଭୋଟର କିପରି ଭାବରେ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରି ପାରିବେ, ସେ ନେଇ ସମୀକ୍ଷା ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ବାଲେଶ୍ବର ଓ ଜଗତସିଂହପୁର ଜିଲ୍ଲାପାଳଙ୍କ ସହିତ ଏ ନେଇ ଭିଡ଼ିଓ କନଫରେନ୍ସିଂ ଜରିଆରେ ବିଶଦ ଆଲୋଚନା କରିଛନ୍ତି ।
ନାମାଙ୍କନ ଦାଖଲର ପ୍ରଥମ ଦିନରୁ ପାଞ୍ଚ ଦିନ ପର୍ୟ୍ୟନ୍ତ ଅର୍ଥାତ ଅକ୍ଟୋବର ୧୪ ସୁଦ୍ଧା ଏହି ଶ୍ରେଣୀର ଭୋଟରମାନେ ପୋଷ୍ଟାଲ ବାଲାଟ ପାଇଁ ଫର୍ମ ୧୨ ଜରିଆରେ ସଂପୃକ୍ତ ନିର୍ବାଚନ ଅଧିକାରୀଙ୍କୁ ଆବେଦନ କରିବା ଲାଗି କୁହାଯାଇଛି। ଅକ୍ଟୋବର ୨୧ ତାରିଖଠାରୁ ନଭେମ୍ବର ପହିଲା ପର୍ୟ୍ୟନ୍ତ ସ୍ୱତନ୍ତ୍ର ଭାବେ ନିଯୁକ୍ତି ପାଇଥିବା ପୋଲିଂ ଅଧିକାରୀଙ୍କ ଦ୍ବାରା ଘରକୁ ଘର ସଂପୃକ୍ତ ବ୍ୟକ୍ତି ଦେଇଥିବା ଠିକଣାରେ ପୋଷ୍ଟାଲ ବାଲାଟ ଯୋଗାଇ ଦିଆଯିବ। ସମ୍ପୁର୍ଣ୍ଣ ଗୋପନୀୟତା ମଧ୍ୟରେ ସମ୍ପୃକ୍ତ ଭୋଟର ପୋଷ୍ଟାଲ ବାଲାଟରେ ମତଦାନ କରିସାରିବା ପରେ ମୁଦା ଲଫାପାରେ ପୋଷ୍ଟାଲ ବାଲାଟକୁ ପୁଣିଥରେ ପୋଲିଂ ଅଧିକାରୀଙ୍କୁ ଫେରାଇବେ। ଷ୍ଟାର କ୍ୟାମ୍ପେନର ପ୍ରଚାର ପାଇଁ ଯିବାର ୪୮ଘଣ୍ଟା ପୂର୍ବରୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇବେ । ଯାହାଫଳରେ ତାଙ୍କର ସୁରକ୍ଷା ଓ ନିରାପତ୍ତା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ହୋଇପାରିବ।