ଭୁବନେଶ୍ୱର: ସହିଦ ଅମର ଯବାନମାନଙ୍କ ପାଇଁ ଆଜି ଦେଶରେ ଶୋକର ଛାୟା ଖେଳିଯାଇଛି । ପୁଲଓ୍ୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନମାନଙ୍କ ମଧ୍ୟରେ ଦୁଇ ଓଡ଼ିଆ ଯବାନ ମଧ୍ୟ ଥିଲେ । ତେବେ କଟକର ମନୋଜ ବେହେରା ଏବଂ ଜଗତସିଂହପୁରର ପ୍ରସନ୍ନ ସାହୁଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ନେତାମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ତେବେ ଏହାରି ଭିତରେ ସହିଦ ପରିବାରଙ୍କ ପ୍ରତି ସହାୟତା ରାଶି ବଢାଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ୧୦ ଲକ୍ଷ ଘୋଷଣା କରାଯାଇଥିବା ବେଳେ ଏବେ ଏହାକୁ ବଢାଇ ୨୫ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସହିଦଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ରାଶି ଦେଇ ନିଜର କର୍ତ୍ତବ୍ୟ ସାରିଦେବାକୁ ବସିଥିବା ରାଜ୍ୟ ସରକାରଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଥିଲା ।
ତେବେ ଶେଷରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି । ଅନ୍ୟପଟେ ମନୋଜଙ୍କ ଗ୍ରାମବାସୀ ୫୦ ଲକ୍ଷ ଟଙ୍କା ସହିତ ପରିବାରର ଜଣଙ୍କୁ ସରକାରୀ ଚାକିରି ଦେବାକୁ ଦାବି କରିଥିଲେ ।
ସୂଚନାଯୋଗ୍ୟ, ଦେଶର ବିଭିନ୍ନ ରାଜ୍ୟରେ ସହିଦ ଯବାନମାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହାସହ ସେଠାକର ସରକାର ସହିଦଙ୍କ ପରିବାର ପାଇଁ ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି ।
ସବୁଠୁ ଅଧିକ ମଧ୍ୟପ୍ରଦେଶ ସରକାର ୧ କୋଟି ଟଙ୍କା ପ୍ରତି ସହିଦ ପରିବାର ପାଇଁ ଘୋଷଣା କରିଛନ୍ତି । ଉତ୍ତରପ୍ରଦେଶର ୧୨ ସହିଦ ଯବାନଙ୍କ ପାଇଁ ସରକାର ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଉତ୍ତରାଖଣ୍ଡ ସରକାର ୨୫ ଲକ୍ଷ, ତାମିଲନାଡୁ ୨୦ ଲକ୍ଷ , ଝାରଖଣ୍ଡ ସରକାର ୧୦ ଲକ୍ଷ ଟଙ୍କା ଲେଖାଏଁ ପ୍ରତି ସହିଦ ପରିବାରଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ।
ସେହିପରି ମହାରାଷ୍ଟ୍ର ସରକାର ପ୍ରତି ସହିଦ ଯବାନଙ୍କ ପରିବାର ପାଇଁ ୫୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ସେପଟେ ତ୍ରିପୁରା ସରକାର ସହିଦଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବେ ବୋଲି ସୂଚନା ମିଳିଛି ।
