ସେପଟେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଉଁଷପାଳ ପଞ୍ଚାୟତର ୪ନଂ ଓ୍ବାର୍ଡରେ ନିର୍ବାଚନ ପରର ହିଂସା । ଏହି ଓ୍ବାର୍ଡର ପ୍ରଦୀପ ବିଶ୍ବାଳ ଘରକୁ ଫେରୁଥିବାବେଳେ ଧାରୁଆ ଅସ୍ତ୍ରରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ପଞ୍ଚାୟତ ନିର୍ବାଚନରେ ବାଉଁଷପାଳ ପଞ୍ଚାୟତରେ ପ୍ରଦୀପ ଜିତିଥିବା ସରପଞ୍ଚ ଓ ସମିତିସଭ୍ୟ ଦଳର ଜଣେ ଦୃଢ ସମର୍ଥକ ଥିଲେ । ତେଣୁ ହାରିଥିବା ଦଳର ଲୋକେ ପ୍ରଦୀପଙ୍କ ଯୋଗୁଁ ତାଙ୍କ ଦଳ ହାରିଥିବା ଭାବି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
୨୦୧୭ର ପଞ୍ଚାୟତ ନିର୍ବାଚନ ବେଳେ ଚରମ ସୀମାକୁ ଯାଇଥିଲା ରାଜନୈତିକ ଅସହିଷ୍ଣୁତା। କଥା କଥାରେ ଚାଲୁଥିଲା ଛୁରୀ। ଫୁଟିଥିଲା ଗୁଳି। ମୁଣ୍ଡ ଗଡିଥିଲା ୨ ଡଜନରୁ ଅଧିକ କର୍ମୀ ଓ ନେତାଙ୍କ । ଏ ହେଉଛି ୧୪ ଜଣଙ୍କ ତାଲିକା। ଢେଙ୍କାନାଳ ତରଭାର ସଲମନ ରାଉତଙ୍କ ମୃତ୍ୟୁକୁ ନେଇ ସେତେବେଳେ ହଇଚଇ ସୃଷ୍ଟି ହୋଇଥିଲା। ବିଜେପି କର୍ମୀ ସଲମନ ରାଉତଙ୍କ ହତ୍ୟା ପ୍ରତିବାଦରେ ବିଜେପିର ଆନ୍ଦୋଳନ , ବିକ୍ଷୋଭ ଢେଙ୍କାନାଳରୁ ଆରମ୍ଭ ହୋଇ ବ୍ୟାପିଥିଲା ରାଜ୍ୟର କୋଣ ଅନୁକୋଣକୁ। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଂଜିଳରେ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ବୁଲୁ ପ୍ରଧାନ ଓ ବୁଗୁଡାର ଶିଶିର ନାୟକଙ୍କ ହତ୍ୟାକାଣ୍ଡକୁ ନେଇ ଉଠିଥିଲା ପଡିଥିଲା ରାଜ୍ୟ ରାଜନୀତି।
ମାଲାକାନାଗିରିର ତମସା ପଞ୍ଚାୟତର ବିଜେପି ସମର୍ଥକ ସପନ ବାବାଲିର ମୃତ୍ୟୁକୁ ନେଇ ବି ଜୋର ଧରିଥିଲା ରାଜନୀତି । ସେହିପରି ମୟୁରଭଞ୍ଜ ଉଦଳାର ଉତ୍ତମ ବିଶ୍ବାଳ, ଗଜପତି ପାରଳାଖେମୁଣ୍ଡିର ମିନତି ଶବର, ଭଦ୍ରକ ବନ୍ତର ସୁରେଶ ରାଉତଙ୍କ ମୃତ୍ୟୁକୁ ନେଇ ବି ଜୋର ଧରିଥିଲା ରାଜନିତି। କେବଳ ଏତିକି ନୁହେଁ କୋରାପୁଟ ବନ୍ଧୁଗାଁର କାମେଶ୍ବର ପାଲକା, ବଲାଙ୍ଗୀର ଭୁଣ୍ଡିମୁହାଁଣର ରୋହିତ ପ୍ରଧାନ, ନାରାୟଣପାଟାଣାର ଅଭିଳାଷ ବାଗ, ଗଂଜାମ ମାର୍ଧାକୋଟର ପିତାମ୍ବର ସ୍ବାଇଁ, ପାଟକୁରା କରାଣ୍ଡିପାଟନାର ବଳରାମ ଜେନା, କେନ୍ଦ୍ରାପଡାର ମମତାରାଣୀ ସାମଲ, ଖୋର୍ଦ୍ଦା ଜଙ୍କିଆର ଚିତ୍ରସେନ ଜେନାଙ୍କ ପରି ଅନେକଙ୍କ ଜୀବନ ନିର୍ବାଚନୀ ହିଂସାରେ ଯାଇଥିଲା। ନିର୍ବାଚନ ପରେ ପରେ ବଢୁଥିବା ହିଂସା ଏବେ ଗୋଟିଏ କଥା ବୟାନ କରୁଛି ପଶ୍ଚିମବଙ୍ଗ ମୁହାଁ ଓଡିଶା। ଏବେବି ଥମୁନି ହିଂସା।