ଭୁବନେଶ୍ୱର: ଭୁବନେଶ୍ୱରରେ ନିଆରା ବାହାଘର । ନା ବାଜିଲା ବାଜା ନା ଫୁଟିଲା ବାଣ । ବରଯାତ୍ରୀ ତ ଦୂରର କଥା ଏପରିକି ପରିବାର ଲୋକେ ମଧ୍ୟ ନଥିଲେ । ତଥାପି ବାହାଘର ଥିଲା ଏକଦମ ନିଆରା । ବିନା ଜାନି ଯୌତୁକ, ଜାତି-ଜାତକରେ ସଂପନ୍ନ ହେଲା ବିବାହ । ଏ ହେଉଛି ଭୁବନେଶ୍ୱରର ୟୁରେକା ଆପଟ ଏବଂ ତାଙ୍କ ପତ୍ନୀ ଜୋନାଙ୍କ ବିବାହ ଉତ୍ସବ କଥା । ବାହାଘର ପରେ ବହୁ ଆଡମ୍ୱରର ଭୋଜି ତ ଅନେକ ଦେଖିଥିବେ । ହେଲେ ଏଠି ଭୋଜି ଥିଲା କିଛି ଭୋକିଲା ନିରିହ ପଶୁଙ୍କ ପାଇଁ । ୫୦୦ ନିରିହ ଅନାଥ ବୁଲା କୁକୁରଙ୍କୁ ଖାଇବାକୁ ଦେଇ ସମସ୍ତଙ୍କ ହୃଦୟ ଜିତି ନେଇଥିଲେ ୟୁରେକା ଏବଂ ଜୋନା ।
ୟୁରେକା ଆପଟ ପେସାରେ ଜଣେ ଫିଲ୍ମ ନିର୍ମାତା ହୋଇଥିବା ବେଳେ ପତ୍ନୀ ଜୋନା ଜଣେ ଦନ୍ତ ଚିକିତ୍ସକ । ନିଜ ମା ଓ ଜେଜେମାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଚାହୁଁଥିଲେ ୟୁରେକା ଓ ଜୋନା । ଏଥିପାଇଁ ଏଭଳି ଖାସ ଦିନକୁ ବାଛି ଥିଲେ ଏହି ଦମ୍ପତ୍ତି । ନିଜ ବାହାଘର ମନ୍ଦିରରେ କରିବା ସହ ପଶୁ ୱେଲଫେୟାର ‘ଏନଜିଓ ଏକାମ୍ର’ ସାହାଯ୍ୟରେ ଅନାଥ ପଶୁଙ୍କୁ ଖାଦ୍ୟ ଓ ଔଷଧ ଦେବା ସହ କିଛି ଟଙ୍କା ମଧ୍ୟ ଦାନ କରିଥିଲେ ।