ଆସ୍କା: ଅପହୃତ ଠିକାଦାରଙ୍କୁ ଉଦ୍ଧାର କଲା ପୋଲିସ । ଗତକାଲି (ଗୁରୁବାର) ରାତିରେ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଆଲିପୁର ଅଞ୍ଚଳରେ ଜଣେ ଠିକାଦାରଙ୍କ ସମେତ ତାଙ୍କ ସହଯୋଗୀଙ୍କୁ କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଅପହରଣ କରିନେଇଥିଲେ । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା । ପରେ ପୋଲିସ ତାଙ୍କୁ ଉଦ୍ଧାର କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ କରିଥିଲା । ଅପହୃତମାନେ ହେଲେ ପ୍ରସନ୍ନ ଗୌଡ଼ା ଏବଂ କାଳୁ ଜେନା । ତେବେ ପୋଲିସ ଅପହୃତଙ୍କୁ ଉଦ୍ଧାର କରିଛି ସତ କିନ୍ତୁ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ପାରି ନାହିଁ । କିଏ ଓ କେଉଁ ଉଦ୍ଦେଶ୍ୟରେ ତାଙ୍କୁ ଅପହରଣ କରିଥିଲା ତାହା ଏବେ ବି ସନ୍ଦେହ ଘେରରେ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ଥାନାରେ କରାଯାଇଥିବା ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ଦୁଇ ଜଣ କାମ ସାରି ଘରକୁ ଫେରୁଥିବା ବେଳେ ୪ଜଣ ଯୁବକ ଆଲିପୁରଠାରେ ସେମାନଙ୍କୁ ଆକ୍ରମଣ କରିଥିଲେ । ଏନେଇ ପରିବାର ଲୋକଙ୍କ ତରଫରୁ ଥାନାରେ ଏତଲା ଦିଆଯାଇଥିଲା ।
