ଭୁବନେଶ୍ୱର: ଅପରାଧ ମୁକାବିଲା ପାଇଁ ରଣନୀତି ଉପରେ ରଣନୀତି କରୁଛି କମିଶନରେଟ୍ ପୋଲିସ । ହେଲେ ରେଜଲ୍ଟ ଜିରୋ । ଏକଥା ଆମେ କହୁନୁ ଏକଥା ପ୍ରମାଣ କରୁଛି ପୋଲିସର ଟ୍ରାକ୍ ରେକର୍ଡ । ଗତକିଛି ଦିନ ମଧ୍ୟରେ ଟୁଇନ୍ ସିଟିରେ ଘଟିଥିବା ଘଟଣାରେ ଅପରାଧୀଙ୍କ ଟେର୍ ପାଇପାରୁନି ପୋଲିସ ।
ସୁନ୍ଦରପଦାର ଅମରେଶ ମୃତ୍ୟ ଘଟଣା ହେଉ ଅବା ଆଇନଜୀବୀ ଦୀପାଳି ମୃତ୍ୟ ଘଟଣା । ଯାହା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆଉ ସେପଟେ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ତିନି ମାସିଆ କ୍ରାଇମ ମିଟିଂ । କମିଶନରେଟ ପୋଲିସର ମୁଖ୍ୟ କାର୍ଯ୍ୟାଳୟରେ ତିନି ମାସିଆ କ୍ରାଇମ ମିଟିଂରେ ଉଦବେଗ ପ୍ରକାଶ ପାଇଛି ।
ବୈଠକରେ ତିନି ମାସ ଭିତରେ ଘଟିଥିବା ଚାର୍ଜସିଟ, ଅପରାଧ ଓ ଅଭିଯୁକ୍ତଙ୍କ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ଏବଂ ଥାନାରେ ପଡିରହିଥିବା ମାମଲା ଉପରେ ବିଶେଷ ଭାବରେ ହୋଇଥିଲା ଆଲୋଚନା । ଏହା ଛଡା ଭୁବନେଶ୍ବର କମିଶନରେଟ ପୋଲିସର କାର୍ଯ୍ୟଦକ୍ଷତା ନୈରାଷ୍ୟ ଜନକ ଥିବା ବେଳେ କଟକ କମିଶନରେଟ ପୋଲିସ ଢେର ଆଗରେ ରହିଛି । ଗତ ତିନି ମାସ ଭିତରେ କଟକ ପୋଲିସ ଅନ୍ତଃରାଜ୍ୟ ଲୁଟେରାଙ୍କୁ କାବୁ କରିବା ସହ ତିନିରୁ ଅଧିକ ଏନକାଉଣ୍ଟର କରିଛି । ଏହା ସହ ଥାନାରେ ପଡି ରହିଥିବା ମାଳ ମାଳ ମାମଲାକୁ ବନ୍ଦ କରିବା ସହ ବିଭିନ୍ନ ଚୋରି ଜିନିଷକୁ ଉଦ୍ଧାର କରିଛି । ତା’ଛଡା ମୋ ସରକାର କାର୍ଯ୍ୟକ୍ରମରେ ଭଲ ଫଳ ମିଳିଛି ବୋଲି କହିଛନ୍ତି ପୋଲିସ କମିଶନର ସୁଧାଶୁଂ ଷଢଙ୍ଗୀ ।