ଠାକୁରମୁଣ୍ଡା: ସବୁଆଡ଼େ ଏବେ ନିର୍ବାଚନୀ ମାହୋଲ । ଜନତାଙ୍କ ପାଖରେ ପ୍ରତିଶ୍ରୁତିର ସୁଅ । ବିଜେଡି ସୁପ୍ରିମୋ ସତ୍ତାକୁ ଆସିଲେ କାଳିଆ ଟଙ୍କା ଦେବା କଥା କହୁଛନ୍ତି । ଅନ୍ୟପଟେ ବିଜେପି-କଂଗ୍ରେସ ନିଜ ନିଜର ମୁଦ୍ଦା ଜନତାଙ୍କ ପାଖରେ ରଖୁଛନ୍ତି । ଏହି ପ୍ରିପ୍ରେକ୍ଷୀରେ ଓଡିଶାରେ ମୋଦି ସରକାର ଆସିଲେ ଆଦିବାସୀ ଅଂଚଳମାନଙ୍କରେ ଅଧିକ ଏକଲବ୍ୟ ସ୍କୁଲ ଖୋଲାଯାଇ ଆଦିବାସୀ ପିଲାଙ୍କୁ ପଢେଇବାର ଯୋଜନା କରାଯିବ, ସବୁ ଆଦିବାସୀ ଲୋକଙ୍କୁ ଜଙ୍ଗଲ ଜମିରେ ପଟ୍ଟା ଦେବାର ଦାୟିତ୍ୱ ବିଜେପି ନେବ । ସେହିପରି ପେସା ଆଇନକୁ ଓଡିଶାରେ କଡାକଡି ଲାଗୁ କରାଯିବ । ଫଳରେ ଆଦିବାସୀ ଲୋକଙ୍କର ବିନା ଅନୁମତିରେ କିଛି ହୋଇପାରିବ ନାହିଁ ଏବଂ ଏହାର ଦାୟିତ୍ୱ ବିଜେପି ନେବ ବୋଲି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବିଜୁ ଜନତା ଦଳ ହାରିବା ଭୟରେ ଅପପ୍ରଚାର ଆରମ୍ଭ କରିଛି । ମୋଦି ସରକାର ଆସିଲେ ସଂରକ୍ଷଣ ଉଠାଇଦେବ ବୋଲି ସେମାନେ ପ୍ରଚାର କରୁଛନ୍ତି । ମୋଦି ସରକାର ଆସିଲେ ଆଦିବାସୀମାନଙ୍କୁ ଅଧିକା ସୁବିଧା ଦେବ, ଏହା ମୋଦି ସରକାରର ପ୍ରତିଜ୍ଞା । ଅପରପକ୍ଷରେ ନବୀନ ବାବୁ ଆଦିବାସୀ ବିରୋଧୀ । ୧୯ ବର୍ଷ ରହିବା ପରେ ମଧ୍ୟ ଠାକୁରମୁଣ୍ଡା ପରି ଆଦିବାସୀ ଅଂଚଳରେ ବିଶୁଦ୍ଧ ପିଇବା ପାଣି ନାହିଁ, ଡାକ୍ତର ନାହାନ୍ତି, ଶିକ୍ଷକ ନାହାନ୍ତି, ୨୪ ଘଂଟା ବିଜୁଳି ନାହିଁ, ରୋଜଗାର ନାହିଁ, ବ୍ଲକରେ ଦୁର୍ନୀତି ଓ ପିସି କାରବାର ବଢିଛି, ଆଦିବାସୀଙ୍କୁ ବିନା ପିସିରେ ଘର ଓ ଭତା ମିଳୁନି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ଡବଲ ଇଞ୍ଜିନ ସରକାରକୁ ଆସିଲେ ୧୫ ବର୍ଷରୁ କମ ଝିଅଙ୍କୁ ଦୁଷ୍କର୍ମ କରୁଥିବା ଲୋକଙ୍କୁ ଫାଶୀଦଣ୍ଡ ଦିଆଯିବାର ଆଇନ ଅଣାଯିବ, ପ୍ରତ୍ୟେକ ଲୋକଙ୍କୁ ୨୦୨୨ ସୁଦ୍ଧା ସ୍ଥାୟୀ ପଟ୍ଟା ଓ ପକ୍କା ଘର ଦିଆଯିବ, ଜଙ୍ଗଲ ଜମିରେ ଥିବା ଲୋକଙ୍କୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସ୍ଥାୟୀ ପଟ୍ଟା ଦିଆଯିବ, ଯୁକ୍ତ ୨ ମେଧାବୀ ଛାତ୍ରୀଙ୍କୁ ସ୍କୁଟିି ମିଳିବ, ସବୁ ଜିଲ୍ଲାରେ ରେଳ ଆସିବା ସହ ମେଡିକାଲ କଲେଜ ଓ ବିଇଡି କଲେଜ ହେବ, ଏସଏସଜି ମହିଳାଙ୍କ ଋଣ ଛାଡ ସହ ବିନା ସୁଧରେ ଋଣ ଦିଆଯିବ, ଚାଷୀମାନଙ୍କୁ ବିନା ସୁଧରେ ଋଣ ଦିଆଯିବ, ଆଗାମୀ ୨ ବର୍ଷ ମଧ୍ୟରେ ଖାଲିଥିବା ସବୁ ସରକାରୀ ପଦବୀକୁ ପୂରଣ କରାଯିବ, ପ୍ରତି ପରିବାରର ଜଣଙ୍କୁ ରୋଜଗାର ଓ ସ୍ୱରୋଜଗାର ଦିଆଯିବ । ଏତଦବ୍ୟତିତ ରାଜ୍ୟରେ ବିଜେପି ଆସିଲେ ଏକ ବିଶେଷ ଗୁଣ୍ଡା ଆଇନ ଅଣାଯାଇ ଅପରାଧୀଙ୍କୁ ଦଣ୍ଡ ଦିଆଯିବ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ୫ ବର୍ଷରେ ଓଡିଶାକୁ ୧୦ ଲକ୍ଷ ଘର ଦେଇଛନ୍ତି, ୫୦ ଲକ୍ଷ ଶୌଚାଳୟ ଦେଇଥିବ ବେଳେ ସୌଭାଗ୍ୟ ଯୋଜନାରେ ୨୪ ଲକ୍ଷ ଘରେ ବିଜୁଳି ପହଁଚାଇଛନ୍ତି, ୪୦ ଲକ୍ଷ ଘରକୁ ମାଗଣାରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗ୍ୟାସ ପହଁଚାଇଛନ୍ତି । ମୋଦି ଘର ଓ ଶୌଚାଳୟ ପାଇଁ ପଇସା ପଠାଇଥିବା ବେଳେ ଏଠାରେ ପିସି କାରବାର ହେଉଛି ।
ମୋଦି ସରକାରର ଗରିବଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧାର ଆୟୁଷ୍ମାନ ଯୋଜନା ନବୀନ ବାବୁ ଲାଗୁ କଲେ ନାହିଁ, ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପାଇଁ ଚାଷୀଙ୍କ ତାଲିକା ଦେଲେନାହିଁ । ସ୍ୱାମୀ ମରୁ ପଛେ ସଉତୁଣି ବିଧବା ହେଉ ନୀତି ନବୀନ ବାବୁ ଆପଣାଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ଓଡିଶାରେ ଡବଲ ଇଞ୍ଜିନର ସରକାର କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

