
ଭୁବନେଶ୍ୱର: ରାଜ୍ୟରେ ଶୀତ ଅନୁଭୂତ ହେଲାଣି । ସକାଳୁ ସକାଳୁ ଥଣ୍ଡା ପଡ଼ୁଛି । ରାତିରେ ମଧ୍ୟ ଥଣ୍ଡା ପଡ଼ୁଛି । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ । ରାତିର ତାପମାତ୍ରାରେ ସେତେଟା ପରିବର୍ତନ ହେବ ନାହିଁ । ଗୋଟିଏ ଦୁଇଟି ସ୍ଥାନରେ ପାରଦ ୧୦ ଡିଗ୍ରି ତଳକୁ ଖସିବ । ୧୮ ତାରିଖ ବେଳକୁ ଦାରିଙ୍ଗବାଡ଼ି ସମେତ ଫୁଲବାଣୀ, ସୁନ୍ଦରଗଡ଼, କୋରାପୁଟରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଗତକାଲି ରାତିରେ ଦାରିଙ୍ଗବାଡ଼ି ସମେତ ୭ଟି ସହରର ତାପମାତ୍ରା ୧୫ ଡିଗ୍ରି ତଳେ ରହିଥିଲା। ଦାରିଙ୍ଗବାଡ଼ିରେ ପୂର୍ବଭଳି ୧୦ ଡିଗ୍ରି ରହିଥିବା ବେଳେ ସୁନ୍ଦରଗଡ଼ରେ ୧୨.୫, ଅନୁଗୁଳରେ ୧୨.୬, ଫୁଲବାଣୀରେ ୧୨.୬, କୋରାପୁଟରେ ୧୨.୮, ଟିଟିଲାଗଡ଼ରେ ୧୩.୧, କେନ୍ଦୁଝରରେ ୧୪.୨ ଡିଗ୍ରି ଥିଲା। ପାଣିପାଗ ବିଶେଷଜ୍ଞ ପ୍ରଫେସର୍ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ୨୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ପାଗ ଖରାଟିଆ ତଥା ଶୁଖିଲା ରହିବ।
