ବାଲେଶ୍ୱର: ଆଜି ବାଲେଶ୍ୱରର ବିଭିନ୍ନ ସ୍ଥାନରେ ବିଜେପିର ବିଜୟ ସଙ୍କଳ୍ପ ସଭା ଆୟୋଜିତ ହୋଇଥିଲା । ଏହିସବୁ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବା ସହ ବିଜେଡି ସରକାରର ଅପାରଗତା ବଖାଣିଥିଲେ । ହଜାର ହଜାର ଜନ ସମାଗମକୁ ଦେଖି ବିରୋଧୀଙ୍କ ମହଲରେ ଚହଳ ସୃଷ୍ଟି ହୋଇଛି । ମୋଦି ଲହର ଏବଂ ରାଜ୍ୟରେ ପରିବର୍ତ୍ତନର ହାୱା ଓଡ଼ିଶା ରାଜନୀତିରେ ଉଷ୍ମତା ଭରିଥିଲା ବେଳେ ଧର୍ମେନ୍ଦ୍ରଙ୍କ ପ୍ରତିଶ୍ରୁତି ଭୋଟରଙ୍କ ମନରେ ଆଶାର ଉଦ୍ରେକ କରିଥିବା ଦେଖିବାକୁ ମିଳିଥିଲା ।
ରାଜ୍ୟରେ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନ ସରକାର ହେଲେ ବାଲେଶ୍ୱର ଓ ରେମୁଣାକୁ ନେଇ ଏକ ସ୍ମାର୍ଟ ସିଟି କରାଯିବ । ଏ ଅଂଚଳର ରୋଜଗାର, ଶିଳ୍ପାୟନ ଓ ଜୀବନଜୀବିକା ଖୋଦ୍ ନରେନ୍ଦ୍ର ମୋଦି ଚିନ୍ତା କରିବେ । ବାଲେଶ୍ୱରକୁ ରାଜ୍ୟର ଏକ ଅଗ୍ରଣୀ ଅଂଚଳ ଭାବେ ତିଆରି କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ସିମୁଳିଆରେ ଏକ ଓଭର ବ୍ରିଜ୍ ତିଆରି କରାଯିବ । ଏହାବ୍ୟତିତ ଏଠାରେ କୃଷିଭିତିକ ଶିଳ୍ପ ପ୍ରତିଷ୍ଠା କରି ସିମୁଳିଆ, ଖଇରା ଓ ମାର୍କୋଣା ଅଂଚଳକୁ କୃଷି ବ୍ୟବସାୟର ଏକ ବଡ କେନ୍ଦ୍ର ବନାଯିବ ବୋଲି ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି ।

ବାଲେଶ୍ୱର ଜିଲ୍ଲା ରେମୁଣା ନିର୍ବାଚନ ମଣ୍ଡଳିର ପତ୍ରିପାଳ, ସୋରର ଚିତୋଳ, ଜଳେଶ୍ୱରର ରାଇବଣିଆ ଓ ସିମୁଳିଆର ମର୍କୋଣା ଠାରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ କଂଗ୍ରେସ ଓ ବିଜେଡିର ଦୀର୍ଘ ଶାସନ ପରେ ମଧ୍ୟ ରାଇବେଣିଆର ଯୁବକ ବାହାରକୁ କାମ କରିବାକୁ ଯାଉଛି । ଓଡିଶାର ସମ୍ପନ୍ନତା ଆଣିବା ପାଇଁ ଦିନେ ଯେଉଁ ଅଂଚଳର ଯୁବକ ବିଶ୍ୱକୁ ଯାଇଥିଲା, ସେ ଅଂଚଳର ଯୁବକ ଆଜି ଦାଦନ ଖଟିବାକୁ ଯାଉଛି । ଓଡିଶାରେ ଡବଲ ଇଞ୍ଜିନ ସରକାର ହେଲେ ଏ ଅଂଚଳରେ କଳ କାରଖାନା, କୃଷି ଉତ୍ପାଦିତ ଶିଳ୍ପ ତିଆରି କରି ଏ ଅଂଚଳର ଯୁବକଙ୍କୁ ରୋଜଗାର ଦିଆଯିବାର ବ୍ୟବସ୍ଥା କରାଯିବ ।
ସେହିପରି ମୁଖ୍ୟମନ୍ତ୍ରୀ ୧୯ ବର୍ଷ ଧରି ଶାସନ ଦାୟିତ୍ୱରେ ରହିବା ପରେ ମଧ୍ୟ ଏ ଅଂଚଳରେ ଫ୍ଲୋରାଇଡ ଯୁକ୍ତ ପାଣି ମୁଖ୍ୟ ସମସ୍ୟା ହୋଇଛି । ମାଆ ଭଉଣୀ ମାନେ ପିଇବା ପାଇଁ ବିଶୁଦ୍ଧ ପାଣି ପାଉନଥିବା ବେଳେ ବିଜେପି ସରକାର ହେଲେ ଏହାର ସମାଧାନ କରାଯିବ । ଏହି ଚଷାଚାଷୀ ଅଂଚଳରେ ଶୀତଳ ଭଣ୍ଡାର ନାହିଁ । ଯେଉଁ ସରକାର ଲୋକଙ୍କ ସମସ୍ୟା କଥା ବୁଝେନାହିଁ ତାକୁ ପରିବର୍ତନ କରିବା ଦରକାର ।

ରାଜ୍ୟରେ ଡବଲ ଇଞ୍ଜିନର ସରକାର ହେଲେ ଖଣି, ଚିଟଫଣ୍ଡ ଓ ପିସି କାରବାରରେ ଲିପ୍ତ ଥିବା ଲୋକଙ୍କୁ ତିନିମାସ ମଧ୍ୟରେ ସମସ୍ତଙ୍କୁ ଜେଲ୍ ପଠାଯିବ । ଚିଟଫଣ୍ଡକାରୀଙ୍କ ସମ୍ପତିକୁ ବାଜ୍ୟାପ୍ତ କରାଯାଇ ସେହି ଅର୍ଥରେ ସରକାରୀ ସ୍କୁଲ ଓ ହସ୍ପିଟାଲ କରାଯିବ । ଗୁଣ୍ଡା ବିରୋଧୀ ଆଇନ ଅଣାଯାଇ ଗୁଣ୍ଡା ମାନଙ୍କୁ ଜେଲ୍ ପଠାଯିବ , ୧୫ ବର୍ଷରୁ କମ ଝିଅଙ୍କ ସହ ଦୁଷ୍କର୍ମ କରୁଥିବା ଲୋକଙ୍କୁ ଫାଶୀ ଦଣ୍ଡା ପଠାଯିବ । ସେହିପରି ୨୦୨୨ ସୁଦ୍ଧା ସବୁ ଗରିବଙ୍କୁ ସ୍ଥାୟୀ ପଟ୍ଟା ଓ ପକ୍କା ଘର ଦିଆଯିବ । ଏହି ଘରେ ୨୪ ଘଂଟା ପାଣି, ବିଜୁଳି ଓ ଏଲପିଜି ଗ୍ୟାସର ବ୍ୟବସ୍ଥା ରହିବ । ସେହିପରି ୧ ଲକ୍ଷ କୋଟି ଟଙ୍କା ଜଳ ସେଚନ ପାଇଁ ଖର୍ଚ୍ଚ କରାଯିବ, ଆଗାମୀ ୨ ବର୍ଷ ଭିତରେ ଖାଲିଥିବା ସବୁ ସରକାରୀ ପଦବୀ ଗୁଡିକୁ ପୂରଣ କରାଯିବ, ଅଙ୍ଗନବାଡି କର୍ମୀଙ୍କ ମାସିକ ଦରମା ୧୫ ହଜାର ଟଙ୍କାକୁ ବୃଦ୍ଧି କରାଯିବ, ଅଙ୍ଗନବାଡି ସହାୟିକାଙ୍କ ଦରମା ୯ ହଜାର କରାଯିବ, ଏସଏସଜି ମହିଳାଙ୍କ ଋଣ ଛାଡ ସହ ବିନା ସୁଧରେ ଋଣ ଦିଆଯିବ, ଚାଷୀ ମାନଙ୍କୁ ବିନାସୁଧରେ ଋଣ ଦିଆଯିବ, +୨ ଛାତ୍ରୀଙ୍କୁ ସ୍କୁଟି ଦିଆଯିବା ସହ ଉଚ୍ଚଶିକ୍ଷା ପାଇଁ ୫୦ ହଜାର ଟଙ୍କାର ସୁବିଧା ଉପଲବ୍ଧ କରାଯିବ ।
ମୋଦି ଆସିଲେ ରାଜ୍ୟରେ ଟଙ୍କିକିଆ ଚାଉଳ ବନ୍ଦ ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ ଅପପ୍ରଚାର କରୁଛନ୍ତି । ଓଡିଶାରେ ବିଜେପି ସରକାର ହେଲେ ଓଡିଶାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମୋଟ ୧ ଟଙ୍କାରେ ୫ କେଜି ଚାଉଳ, ଅଧକେଜି ଲେଖାଁଏ ଡାଲି ଓ ଲୁଣ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲେଶ୍ୱର ଗସ୍ତରେ ଆସି ଓଡିଶାରେ ବିଜେପି ସରକାର ହେଲେ ୧୯ ବର୍ଷରେ ହୋଇନଥିବା କାମକୁ ବିଜେପି ୫ ବର୍ଷରେ ୫ ଗୁଣା କାମ କରି ଦେଖାଇବ ବୋଲି କହିଛନ୍ତିା ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦିଙ୍କ ଉପରେ ଇର୍ଷାନ୍ୱିତ ହୋଇ ଓଡିଶାରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ଲାଗୁ କରୁନାହାନ୍ତି । ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ କେହି ଟଙ୍କା ପାଇନାହାନ୍ତି । ଅପରପକ୍ଷରେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପାଇଁ ଓଡିଶାର ୪୫ ଲକ୍ଷ ଚାଷୀଙ୍କ ତାଲିକା ଦିଲ୍ଲୀ ପଠାଇଲେ ନାହିଁ । ଗରିବଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ନିମନ୍ତେ ମୋଦିଙ୍କ ଆୟୁଷ୍ମାନ ଯୋଜନା ରାଜ୍ୟରେ ଲାଗୁ ହେଲା ନାହିଁ । ରାଜ୍ୟ ସରକାର ସ୍ୱାମୀ ମରୁ ପଛେ ସଉତୁଣି ବିଧବା ହେଉ ନୀତି ଆପଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦ ଲକ୍ଷ ଘର ଦେଇଥିବା ବେଳେ ସ୍ୱଚ୍ଛ ଭାରତ ଯୋଜନାରେ ୫୦ ଲକ୍ଷ ଶୌଚାଳୟ ଦେଇଛନ୍ତି । ମୋଦି ଘର ପିଛା ୧ ଲକ୍ଷ ୫୦ ହଜାର ଟଙ୍କା ଓ ଶୌଚାଳୟ ପିଛା ୧୨ ହଜାର ଟଙ୍କା ପଠାଉଥିବା ବେଳେ ଏଠାରେ ପିସି କାରବାର ହେଉଛି । ମୋଦି ଓ ପରିବର୍ତ୍ତନ ନାଁ ଶୁଣିଲେ ମୁଖ୍ୟମନ୍ତ୍ରୀଙ୍କୁ କଷ୍ଟ ହେଉଛି । ସାଢେ ୪ କୋଟି ଓଡିଆ ଲୋକ ଏଥର ନରେନ୍ଦ୍ର ମୋଦିଙ୍କ ସହ ଠିଆ ହେବେ ବୋଲି ସେ କହିଛନ୍ତିା ଦେଶରେ ରୋଜଗାର ବଢିବା, ମହିଳାଙ୍କ ସୁରକ୍ଷା ଓ ଗରିବ କଲ୍ୟାଣକୁ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଇଛନ୍ତି ।

ନବୀନ ବାବୁ ଶପଥ ବିଧିକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଡକାଯିବ ବୋଲି କହୁଛନ୍ତି । ଏହା ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆସନ୍ତା ୨୩ ମଇରେ ଓଡିଆ ଲୋକଙ୍କ ସରକାର ହେବ, ଓଡିଆ ଭାଷାର ସରକାର ହେବ । ନରେନ୍ଦ୍ର ମୋଦି ଓଡିଶାର ନୂଆ ସରକାରର ଶପଥ ବେଳେ ଆସିବେ । ଏହି ଉତ୍ସବରେ ନବୀନ ବାବୁଙ୍କୁ ବିଦାୟୀ ମୁଖ୍ୟମନ୍ତ୍ରୀ ଭାବେ ଆଦରର ସହକାରେ ନିମନ୍ତ୍ରଣ କରାଯିବ ଏବଂ ପ୍ରଧାନମନ୍ତ୍ରୀଙ୍କ ପାଖରେ ତାଙ୍କୁ ବସାଯିବ ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଏଠାକାର ସାଂସଦ ଚିଟଫଣ୍ଡ ଚୋରୀ ମାମଲାରେ ବେଲରେ ଅଛନ୍ତି । ଏଠାରେ ଦୁଇ ପଟ୍ଟନାୟକଙ୍କ ସଲାସୁତୁରା ଅଛି । ଖଣି ମାଫିଆ ନିରଞ୍ଜନ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ଭିତରେ ସମ୍ପର୍କ ସ୍ପଷ୍ଟ । ବିଜେପିକୁ ଜିତାଇ ଦିଆଯିବ ନାହିଁ ଓ ଓଡିଶାରେ ଡବଲ ଇଞ୍ଜିନ ସରକାର କରାଇ ନଦେବାକୁ ଉଭୟ ପଟ୍ଟନାୟକ ଏକାଠି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ଓ ପରିବର୍ତନ ନାଁ ଶୁଣିଲେ ମୁଖ୍ୟମନ୍ତ୍ରୀଙ୍କୁ କଷ୍ଟ ହେଉଛି । ସାଢେ ୪ କୋଟି ଓଡିଆ ଲୋକ ଏଥର ନରେନ୍ଦ୍ର ମୋଦିଙ୍କ ସହ ଠିଆ ହେବେ ବୋଲି ସେ କହିଛନ୍ତି । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ଓଡିଶାରେ ଡବଲ ଇଞ୍ଜିନ ସରକାର କରିବାକୁ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ କରିଛନ୍ତି ।
