ଅର୍ଗସ ବ୍ୟୁରୋ: ରାଜ୍ୟରେ 3ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଉପରେ ସମସ୍ତଙ୍କ ନଜର । ଚଳିତ ନିର୍ବାଚନରେ ଏହି ଶେଷ ପର୍ଯ୍ୟାୟ ନିର୍ବାଚନ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି । ଏହି ପର୍ଯ୍ୟାୟରେ 6 ଲୋକସଭା ସମେତ 41ଟି ବିଧାନସଭାରେ ମତଦାନ ହେବ । ଏଥିରେ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର ଏବଂ ମୟୂରଭଞ୍ଜରେ ନେତାଙ୍କ ଭାଗ୍ୟ ନର୍ଦ୍ଧାରଣ କରିବେ ଭୋଟର ।
ଶେଷ ପର୍ଯ୍ୟାୟରେ ବହୁ ହେଭିୱେଟଙ୍କ ଉପରେ ରାଜ୍ୟର ନଜର ରହିବ । ସେଥିମଧ୍ୟରୁ ବାଲେଶ୍ୱର ସଂସଦୀୟ କ୍ଷେତ୍ର ବହୁ ଗୁରୁତ୍ୱ ବହନ କରିବାକୁ ଯାଉଛି । ବାଲେଶ୍ୱର ପରିବର୍ତ୍ତନ ମୁଡରେ ଥିବା ବେଳେ ବିଜେଡି-କଂଗ୍ରେସ ଜୋରଦାର ପ୍ରୟାସ ଜାରି ରଖିଛନ୍ତି । କଂଗ୍ରେସ ନିଜର ପ୍ରାର୍ଥୀ ବଦଳାଇଥିବା ବେଳେ ବିଜେଡି ପୁଣିଥରେ ରବି ଜେନାଙ୍କ ଉପରେ ଭରସା କରିଛି । ଅନ୍ୟପଟେ ବିଜେପି ମଧ୍ୟ ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ ଆସ୍ଥା ପ୍ରକଟ କରିଛି ।
2014 ନିର୍ବାଚନରେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନା ବିଜୟୀ ହୋଇଥିଲେ । ତେବେ 1998-2004 ପର୍ଯ୍ୟନ୍ତ ଲଗାତାର ବିଜେପି କବଜାରେ ଥିବା ବାଲେଶ୍ୱର 2009ରେ କଂଗ୍ରେସ ଖାତାକୁ ଯାଇଥିଲା । ଖାରବେଳ ସ୍ୱାଇଁଙ୍କ ନେତୃତ୍ୱରେ ବିଜେପି ବାଲେଶ୍ୱର ଲୋକସଭା କବଜାରେ ରଖିଥିଲା ସତ କିନ୍ତୁ ପରବର୍ତ୍ତୀ ସମୟରେ ଖାରବେଳ ଦଳଠୁ ଅଲଗା ଥିଲେ । କିନ୍ତୁ ଏବେ ଘର ବାହୁଡ଼ା କରିବା ସହ କନ୍ଧମାଳ ଲୋକସଭାରେ ଭାଗ୍ୟ ପରୀକ୍ଷା କରିଛନ୍ତି ଖାରବେଳ ।
ତେବେ 2014ରେ ବିଜେଡି କବଜାକୁ ଆସିଥିବା ବାଲେଶ୍ୱର ଏଥର ପରିବର୍ତ୍ତନର ସ୍ରୋତରେ ସାମିଲ ହେବ ନା ରବୀନ୍ଦ୍ରଙ୍କୁ ରିପିଟ୍ କରିବ ତାହା ଭୋଟରଙ୍କ ମୁଡ ଉପରେ ନିର୍ଭର କରେ । ସେହିଭଳି କଂଗ୍ରେସ ଏଥର ପ୍ରାର୍ଥୀ ପରିବର୍ତ୍ତନ କରିଛି । ପୂର୍ବରୁ 2009ରେ ଶ୍ରୀକାନ୍ତ ଏହି ଆସନରୁ ଜିତି କେନ୍ଦ୍ରମନ୍ତ୍ରୀ ହୋଇଥିଲ । କିନ୍ତୁ 2014ରେ ପରାଜୟ ମୁହଁ ଦେଖିଥିଲେ ଶ୍ରୀକାନ୍ତ । 2 ଲକ୍ଷ 77 ହଜାର 517 ଭୋଟ ପାଇଥିଲେ ଶ୍ରୀକାନ୍ତ । ନିକଟରେ ଶ୍ରୀକାନ୍ତ କଂଗ୍ରେସରୁ ବହିଷ୍କାର ହୋଇଛନ୍ତି ।
କିନ୍ତୁ ଏଥର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ କଂଗ୍ରେସ ଟିକେଟରେ ବାଲେଶ୍ୱର ଲୋକସଭାରୁ ଡେବ୍ୟୁ କରୁଛନ୍ତି । ନିକଟରେ ଆସିଥିବା ଏକ ରିପୋର୍ଟ ଅନୁଯାୟୀ ନବଜ୍ୟୋତି ଦେଶର ସବୁଠୁ ଋଣୀ ପ୍ରାର୍ଥୀ । ତାଙ୍କ ଋଣର ପରିମାଣ ପାଖାପାଖି 108 କୋଟି ଟଙ୍କା ।
ରବୀନ୍ଦ୍ର କୁମାର ଜେନା

2014ରେ ବିଜେଡି ଟିକେଟରେ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ରବୀନ୍ଦ୍ର ଜେନା । ହେଲେ ସି-ସୋର ଚିଟଫଣ୍ଡ ଲିଙ୍କରେ ରବୀନ୍ଦ୍ରଙ୍କ ନାଁ ଉଠିବା ପରେ ସେ ବିବାଦୀୟ ହୋଇ ପଡ଼ିଥିଲ । 2019ରେ ସେ ଟିକେଟ ପାଇବେ ନାହିଁ ବୋଲି ଚର୍ଚ୍ଚା ହେଉଥିଲା । ରବୀନ୍ଦ୍ରଙ୍କ ବଦଳରେ ତାଙ୍କ ସ୍ତ୍ରୀ ସୁବାସିନୀ ଜେନାଙ୍କୁ ବିଜେଡି ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଶେଷରେ ରବୀନ୍ଦ୍ରଙ୍କୁ ଭରସା କରିଛି ବିଜେଡି । ରବୀନ୍ଦ୍ର ଗତ ନିର୍ବାଚନରେ 4ଲକ୍ଷ 33 ହଜାର 768 ଭୋଟ ପାଇଥିଲ । 2019ରେ ରବୀନ୍ଦ୍ରଙ୍କର ଭୋଟ କମିପାରେ ବୋଲି କୁହାଯାଉଛି ।
ପ୍ରତାପ ଷଡ଼ଙ୍ଗୀ

ବିଜେପିର ଜଣେ ଦକ୍ଷ ସଙ୍ଗଠକ ଭାବେ ପରିଚୟ ହାସଲ କରିଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ ବିଜେପି ପୁଣି ଭରସା କରିଛି । ବାଲେଶ୍ୱର ଲୋକସଭା ଆସନରୁ ତାଙ୍କୁ ପ୍ରାର୍ଥୀ କରିଛି । 2014ରେ ପ୍ରତାପଙ୍କୁ ବିଜେପି ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଲଢ଼ାଇଥିଲା । ପ୍ରତାପ ମାତ୍ର 2 ଲକ୍ଷ 91 ହଜାର 943 ଭୋଟ ପାଇ ରବୀନ୍ଦ୍ର ଜେନାଙ୍କଠାରୁ ପରାଜିତ ହୋଇଥିଲ । ପ୍ରତାପ ନୀଳଗିରି ବିଧାନସଭା ଆସନରୁ ବିଧାୟକ ଭାବେ ଜିତି ଥିଲ । ସଂଘ ପରିବାରର ଆଗଧଡ଼ିର ସଦସ୍ୟ ପ୍ରତାପ ବିଜେପିର ଫାୟାରବ୍ରାଣ୍ଡ ନେତା ଭାବେ ପରିଚିତ । ମୋଦି ହାଓ୍ୱା ଏବଂ ଗତ ପାଞ୍ଚ ବର୍ଷର ସଙ୍ଗଠନ ବଳରେ ପ୍ରତାପ ଲୋକସଭା ଯିବା ପାଇଁ ଫୁଲ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି ।
ନବଜ୍ୟୋତି ପଟ୍ଟନାୟକ

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ହେଉଛନ୍ତି ନବଜ୍ୟୋତି ପଟ୍ଟନାୟକ । ଶ୍ରୀକାନ୍ତ ଜେନା କଂଗ୍ରେସରୁ ଆଉଟ ହେବା ପରେ ବାଲେଶ୍ୱର ଲୋକସଭା ଆସନରୁ ଡେବ୍ୟୁ କରୁଛନ୍ତି ନବଜ୍ୟୋତି । ଗୋଟିଏ ପଟେ ରାଜ୍ୟରେ କଂଗ୍ରେସର ସ୍ଥିତି ଭଲ ନାହଁ ଅନ୍ୟପଟେ ନିରଞ୍ଜନଙ୍କ ପ୍ରତି ସମର୍ଥନ କମୁଥିବା ଦେଖିବାକୁ ମିଳୁଛି । ଏହାରି ଭିତରେ ନିରଞ୍ଜନଙ୍କ ପୁଅଙ୍କୁ ବାଲେଶ୍ୱର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସିଟ୍ରେ କେତେ ସମର୍ଥନ ମିଳିବ ସେନଇ ଚର୍ଚ୍ଚା ହେଲାଣି ।
ବାଲେଶ୍ୱର ଲୋକସଭା ଭୋଟରଙ୍କ ମୁଡ କଥା କହିଲେ ସେମାନେ ପରିବର୍ତ୍ତନ ଚାହୁଁଥିବା ଶୁଣିବାକୁ ମିଳୁଛି । ଏମିତି ମଧ୍ୟ ଶୁଣିବାକୁ ମିଳୁଛି ଯେ ବାଲେଶ୍ୱରରେ ଦ୍ୱିମୁକ୍ଷି ଲଢେଇ ହୋଇପାରେ । ନୀରଞ୍ଜନଙ୍କ ପୁଅ ରେସ୍ରୁ ବାଦ ପଡ଼ିପାରନ୍ତି । ରବୀନ୍ଦ୍ରଙ୍କ ପ୍ରତି ଜନଅସନ୍ତୋଷ ତୀବ୍ର ହେଉଥିବା ବେଳେ ଚିଟଫଣ୍ଡରେ ସମ୍ପୃକ୍ତି ତାଙ୍କ ପାଇଁ ଘାଟା ହୋଇପାରେ ବୋଲି ଚର୍ଚ୍ଚା ହେଲାଣି । ଅନ୍ୟପଟେ କେନ୍ଦ୍ରରେ ମୋଦି ହାୱା ରାଜ୍ୟରେ ଡବଲ ଇଞ୍ଜିନ ସରକାର ମନ୍ତ୍ରରେ ବାଲେଶ୍ୱର ଭୋଟର ପ୍ରଭାବିତ ହୋଇପାରନ୍ତି ବୋଲି କଳ୍ପନା କରାଯାଉଛି । ତେବେ ତିନି ନେତାଙ୍କ ଭାଗ୍ୟ ଏପ୍ରିଲ 29ରେ ନିର୍ଦ୍ଧାରଣ କରିବେ ଭୋଟର । ମେ’ 23ରେ ଭୋଯ ଗଣତି ପରେ ବାଲେଶ୍ୱର କାହା କବଜାକୁ ଯାଇଛି ସ୍ପଷ୍ଟ ହୋଇଯିବ । ଏପ୍ରିଲ 29ରେ ବାଲେଶ୍ୱର ଲୋକସଭା ଅନ୍ତର୍ଗତ 7 ବିଧାନସଭା (ବସାହି, ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା ଏବଂ ନୀଳଗିରି)ରେ ମଧ୍ୟ ମତଦାନ ହେବ ।
