ପିପିଲି: ଚଳିତ ନିର୍ବାଚନରେ ରାଜନୈତିକ ହିଂସା ଚରମ ସୀମାରେ ପହଞ୍ଚିଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ରାଜ୍ୟରେ ବିଜେପି ସରକାର ଆସିଲେ ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି କାର୍ଯ୍ୟକର୍ତ୍ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରାଜ୍ୟରେ ବଢୁଥିବା ଗୁଣ୍ଡାରାଜକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଖୁବ ବର୍ଷିଛନ୍ତି । ରାଜ୍ୟରେ ଗୁଣ୍ଡାରାଜ ଧିରେଧିରେ ବଢିବାରେ ଲାଗିଛି । ବିଜେପି ସରକାର କ୍ଷମତାକୁ ଆସିଲେ ଓଡିଶାରେ ଶାନ୍ତି ପ୍ରତିଷ୍ଠା ପାଇଁ ବିଧାନସଭାର ପ୍ରଥମ ଅଧିବେଶନରେ ବିଶେଷ ଗୁଣ୍ଡା ବିରୋଧୀ ଆଇନ ଅଣାଯିବ । ମହାରାଷ୍ଟ୍ର ଓ ଗୁଜୁରାଟରେ ଆତଙ୍କବାଦୀମାନଙ୍କ ବିରୋଧରେ ଯେଭଳି ଭାବେ ଏକ ବିଶେଷ ଆଇନ ଅଛି, ସେହିଭଳି ଭାବେ ଏହି ଆଇନକୁ ଗୁଣ୍ଡା ମାନଙ୍କୁ ଦଣ୍ଡ ଦେବା ପାଇଁ ଅଣାଯିବ । ଫଳରେ ପିପିଲି, ଡେଲାଙ୍ଗ ସମେତ ପୂରା ଓଡିଶାରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି ପିପିଲି ନିର୍ବାଚନ ମଣ୍ଡଳି ଡେଲାଙ୍ଗ ଠାରେ ଆୟୋଜିତ ବିଜେପି ବିଜୟ ସକଳ୍ପ ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ଡବଲ ଇଞ୍ଜିନର ସରକାର ହେଲେ ଓଡିଶାର ୪୦ ଲକ୍ଷ ଗରିବଙ୍କୁ ୨୦୨୨ ସୁଦ୍ଧା ସ୍ଥାୟୀ ପଟ୍ଟା ଓ ପକ୍କା ଘର ମିଳିବ । ଏହି ଘରେ ଗ୍ୟାସ, ପାଇପ ପାଣି, ବିଜୁଳିର ସମସ୍ତ ସୁବିଧା ଦିଆଯିବ । ୧୯ ବର୍ଷ ରହିବା ପରେ ନବୀନ ବାବୁ ରୋଜଗାରର ବ୍ୟବସ୍ଥା କରିନଥିବା ବେଳେ ମୋଦି ସରକାର ହେଲେ ସବୁ ପରିବାରର ଜଣଙ୍କୁ ନିଯୁକ୍ତି ଓ ଆତ୍ମନିଯୁକ୍ତି ଦିଆଯିବ । ବିଜେପି ସରକାର ହେଲେ ଓଡିଶାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମୋଟ ୧ ଟଙ୍କାରେ ୫ କେଜି ଚାଉଳ, ଅଧକେଜି ଲେଖାଁଏ ଡାଲି ଓ ଲୁଣ ଦିଆଯିବ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ସରକାର ଆସିଲେ ବିଜେପିର ମୁଖ୍ୟମନ୍ତ୍ରୀ କିଏ ହେବ ବୋଲି ପ୍ରଶ୍ନ କରୁଛନ୍ତି । ସେ କହିଛନ୍ତି ଯେ ଉକ୍ରଳର ରାଜା ସ୍ୱୟଂ ନାରାୟଣ ମହାପ୍ରଭୁ ଜଗନ୍ନାଥ । ୧ ହଜାର ବର୍ଷ ପୂର୍ବେ ଦୟାନଦୀ କୂଳରେ ଐତିହାସିକ କଳିଙ୍ଗ ଯୁଦ୍ଧରେ ପିପିଲି ଡେଲାଙ୍ଗର ଲୋକମାନେ ଲଢେଇ କରିଥିଲେ । ପିପିଲିର ଚାନ୍ଦୁଆ ବିଶ୍ୱବିଖ୍ୟାତ, ଡେଲାଙ୍ଗରେ ବିଶ୍ୱନାଥ ଭଗବାନ ଅଛନ୍ତି, ଦୟା ନଦୀ ବୋହୁଛି, ଡେଲାଙ୍ଗକୁ ମହାତ୍ମାଗାନ୍ଧି ଆସିଥିଲେ । ଏଥିପାଇଁ ପିପିଲିର ପରିଚୟ ହେବା ଦରକାର । ମାତ୍ର ଆଜି ପିପିଲର ପରିଚୟକୁ କିଛି ଲୋକ କଳଙ୍କିତ କରିଛନ୍ତି । ନୀଳବର୍ଣ୍ଣ ଶୃଗାଳ, ରାଧୁଆ ମିଛୁଆମାନେ ନିର୍ବାଚନରେ ଧରାପଡିବା ଆରମ୍ଭ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ନବୀନ ବାବୁ ମହିଳା ସଶକ୍ତିକରଣ କଥା କହୁଛନ୍ତି । ମାତ୍ର ପିପିଲି ଅଂଚଳର ବେବିନାକୁ ଗଣଦୁଷ୍କର୍ମ ଓ ହତ୍ୟା କରାଗଲା । ଏହା ପରେ ଶାସକ ଦଳର ନେତା ପ୍ରଦୀପ ମହାରଥୀ ଅରୁଚିକର ମନ୍ତବ୍ୟ ଦେଲେ । ବିଜେପିି ସରକାର ଆସିଲେ ୧୫ ବର୍ଷରୁ କମ ଝିଅଙ୍କ ସହ ଅତ୍ୟାଚାର କରିଥିବା ଲୋକଙ୍କୁ ଫାଶୀ ଦଣ୍ଡ ଦିଆଯିବାର ଆଇନ ଅଣାଯିବ । ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ସାଧାରଣ ଚାଷୀମାନେ ଲାଭ ପାଉନାହାଁନ୍ତି । ଶାସକ ଦଳର ନିରଞ୍ଜନ ପୂଜାରୀଙ୍କ ବାପା, ସୁଶାନ୍ତ ସିଂହ ଓ ବିକ୍ରମ ଆରୁଖଙ୍କ ପରିବାର ଲୋକଙ୍କ ନାଁ ଆସୁଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ୧୯ ବର୍ଷ ରହିବା ପରେ କାଳିଆ ଟଙ୍କା ଦେଇନଥିବା ବେଳେ ସରକାର ଆସିଲେ କାଳିଆ ଟଙ୍କା ଦେବେ ବୋଲି ନବୀନ ବାବୁ କହୁଥିବା ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ୧୯ ବର୍ଷରେ କଣ କଲେ ଏବଂ ଆଗାମୀ ୫ ବର୍ଷରେ କଣ କରିବେ ତାହାର ହିସାବ ଦେଉନଥିବା ବେଳେ ଅପରପକ୍ଷରେ ମୋଦି ୫ ବର୍ଷରେ କଣ କଲେ ଏବଂ ଆଗାମୀ ୫ ବର୍ଷ ପାଇଁ କଣ କରିବେ ତାହାର ହିସାବ ଦେଉଛନ୍ତି । ମୋଦି ଓଡିଶାକୁ ୧୦ ଲକ୍ଷ ଘର ଦେଇଥିବା ବେଳେ ୫୦ ଲକ୍ଷ ଶୌଚାଳୟ, ସୌଭାଗ୍ୟ ଯୋଜନାରେ ୨୪ ଲକ୍ଷ ଘରେ ବିଜୁଳି ପହଁଚାଇଛନ୍ତି, ୪୦ ଲକ୍ଷ ଘରକୁ ମାଗଣାରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗ୍ୟାସ ପହଁଚାଇଛନ୍ତି । ମୋଦି ଘର ପାଇଁ ପରିବାର ପିଛା ଦେଢ ଲକ୍ଷ ଟଙ୍କା ଓ ଶୌଚାଳୟ ପାଇଁ ପରିବାର ପିଛା ୧୨ ହଜାର ଟଙ୍କା ପଠାଉଥିବା ବେଳେ ଏଠାରେ ପିସି କାରବାର ହେଉଛି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ଓଡିଶାରେ ମୋଦିଙ୍କ ଡବଲ ଇଞ୍ଜିନର ସରକାର କରିବାକୁ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ କରିଥିଲେ ।

