ରେମୁଣା: ୩ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଏପ୍ରିଲ ୨୯ରେ ୬ ଲୋକସଭା ଏବଂ ୪୨ ବିଧାନସଭାରେ ମତଦାନ ହେବ । ସେନେଇ ଜୋରଦାର ଚାଲିଛି ପ୍ରଚାର । ସେଥିମଧ୍ୟରୁ ବାଲେଶ୍ୱରକୁ ଫୋକସ କରୁଛନ୍ତି ଦଳ । ନିକଟରେ ପ୍ରଧାନମନ୍ତ୍ରୀ ମୋଦି ବାଲେଶ୍ୱର ଗସ୍ତ କରି ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଥିଲେ । ପୁଣି ଆଜି ବାଲେଶ୍ୱର ଜିଲ୍ଲା ରେମୁଣା ନିର୍ବାଚନ ମଣ୍ଡଳିର ପତ୍ରିପାଳ ଠାରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସରକାରର ଅପାରଗତା ବଖାଣିଛନ୍ତି ।

ମୁଖ୍ୟମନ୍ତ୍ରୀ ୧୯ ବର୍ଷ ଧରି ଶାସନ ଦାୟିତ୍ୱରେ ରହିବା ପରେ ମଧ୍ୟ ଏ ଅଂଚଳରେ ଫ୍ଲୋରାଇଡ ପାଣି ମୁଖ୍ୟ ସମସ୍ୟା ହୋଇଛି । ମାଆ ଭଉଣୀ ମାନେ ପିଇବା ପାଇଁ ବିଶୁଦ୍ଧ ପାଣି ପାଉନାହାନ୍ତି । ଯେଉଁ ସରକାର ଲୋକଙ୍କ ସମସ୍ୟା କଥା ବୁଝେନାହିଁ ତାକୁ ପରିବର୍ତ୍ତନ କରିବା ଦରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲେଶ୍ୱର ଗସ୍ତରେ ଆସି ଓଡିଶାରେ ବିଜେପି ସରକାର ହେଲେ ୧୯ ବର୍ଷରେ ହୋଇନଥିବା କାମକୁ ବିଜେପି ୫ ବର୍ଷରେ ୫ ଗୁଣା କାମ କରି ଦେଖାଇବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନ ସରକାର ହେଲେ ବାଲେଶ୍ୱର ଓ ରେମୁଣାକୁ ନେଇ ଏକ ସ୍ମାର୍ଟ ସିଟି କରାଯିବ । ଏ ଅଂଚଳର ରୋଜଗାର, ଶିଳ୍ପାୟନ ଓ ଜୀବନଜୀବିକା ଖୋଦ୍ ନରେନ୍ଦ୍ର ମୋଦି ଚିନ୍ତା କରିବେ । ବାଲେଶ୍ୱରକୁ ରାଜ୍ୟର ଏକ ଅଗ୍ରଣୀ ଅଂଚଳ ଭାବେ ତିଆରି କରାଯିବ । ସେହିପରି ବିଜେପି ସରକାର ଆସିବାର ତିନିମାସ ମଧ୍ୟରେ ଖଣି ଓ ଚିଟଫଣ୍ଡ ଚୋରଙ୍କୁ ଜେଲ ପଠାଯିବ । ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କକୁ ଦାଶ କମିଶନ ସୁପାରିଶ ଅନୁସାରେ ଟଙ୍କା ଫେରସ୍ତ କରାଯିବ, ୨୦୨୨ ସୁଦ୍ଧା ସବୁ ଗରିବଙ୍କୁ ସ୍ଥାୟୀ ପଟ୍ଟା ଓ ପକ୍କା ଘର ଦିଆଯିବ, ଏହି ଘର ମାନଙ୍କରେ ୨୪ ଘଂଟା ପାଣି, ବିଜୁଳି ଓ ଏଲପିଜି ଗ୍ୟାସର ବ୍ୟବସ୍ଥା କରାଯିବ । ସେହିପରି ଏସଏସଜି ମହିଳାଙ୍କ ଋଣଛାଡ ସହ ସେମାନଙ୍କୁ ବିନା ସୁଧରେ ଋଣ ଦିଆଯିବ, ଚାଷୀଙ୍କୁ ବିନ ସୁଧରେ ଋଣ ଦିଆଯିବ, +୨ ମେଧାବୀ ଛାତ୍ରୀଙ୍କୁ ସ୍କୁଟି ଦିଆଯିବ, ଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ୫୦ ହଜାର ଟଙ୍କାର ଦାୟିତ୍ୱ ଡବଲ ଇଞ୍ଜିନ ସରକାର ନେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ମୋଦି ଆସିଲେ ରାଜ୍ୟରେ ଟଙ୍କିକିଆ ଚାଉଳ ବନ୍ଦ ହୋଇଯିବ ବୋଲ ମୁଖ୍ୟମନ୍ତ୍ରୀ ଅପପ୍ରଚାର କରୁଛନ୍ତି । ଓଡିଶାରେ ବିଜେପି ସରକାର ହେଲେ ଓଡିଶାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମୋଟ ୧ ଟଙ୍କାରେ ୫ କେଜି ଚାଉଳ, ଅଧକେଜି ଲେଖାଁଏ ଡାଲି ଓ ଲୁଣ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
