ଯାଜପୁର: ଚାରି ଆଡ଼େ ନିର୍ବାଚନୀ ପ୍ରଚାର ମାହୋଲ । ଏହି ଅବସରରେ ବିଜେପିର ବିଜୟ ସଙ୍କଳ୍ପ ସଭା ଆୟୋଜିତ ହେଉଛି । ବିଜେପି ବହୁ ହେଭିୱେଟ ଯୋଗ ଦେଇ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରୁଛନ୍ତି । କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ଅପାରଗତା ବଖାଣିବା ସହ ରାଜ୍ୟରେ ମୋଦିଙ୍କ ଡବଲ ଇଞ୍ଜିନ ସରକାର ହେଲେ ବିକାଶ କିପରି ହୋଇପାରିବ ତାହା ଲୋକଙ୍କୁ ଜଣାଉଛନ୍ତି । ସେହିପରି ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳିର ବ୍ରହ୍ମବରଦା ଠାରେ ଆୟୋଜିତ ବିଜେପି ବିଜୟ ସଂକଳ୍ପ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦି ଓ ପରିବର୍ତନ ନାଁ ଶୁଣିଲେ ଭୟ କରୁଛନ୍ତି । ପାଣି ପିଇ ପିଇ କେବଳ ମୋଦିଙ୍କୁ ଗାଳି କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାକୁ ମୋଦି କଣ ଦେଇଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି । ଏହାର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦ ଲକ୍ଷ ଘର ଦେଇଥିବା ବେଳେ ସ୍ୱଚ୍ଛ ଭାରତ ଯୋଜନାରେ ୫୦ ଲକ୍ଷ ଶୌଚାଳୟ ଦେଇଛନ୍ତି, ସୌଭାଗ୍ୟ ଯୋଜନାରେ ୨୪ ଲକ୍ଷ ପରିବାରକୁ ବିଜୁଳି ପହଁଚାଇଥିବା ବେଳେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୪୦ ଲକ୍ଷ ଘରେ ମାଆ ଭଉଣୀଙ୍କ ପାଇଁ ମାଗଣାରେ ଏଲପିଜି ଗ୍ୟାସ ଦେଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ଘର ପିଛା ୧ ଲକ୍ଷ ୫୦ ହଜାର ଟଙ୍କା ଓ ଶୌଚାଳୟ ପିଛା ୧୨ ହଜାର ଟଙ୍କା ପଠାଉଥିବା ବେଳେ ଏଠାରେ ଶାସକ ଦଳର ଲୋକମାନେ ଆବାସ ଯୋଜନାରେ ଘର ପାଇଁ ୨୦ ହଜାର ଓ ଶୌଚାଳୟ ପାଇଁ ୨ ହଜାର ଟଙ୍କା ପିସି ନେଉଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଓଡିଶାରେ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନର ସରକାର ହେଲେ ଖଣି, ଚିଟଫଣ୍ଡ ଚୋର ଓ ପିସିଖିଆଙ୍କୁ ତିନି ମାସରେ ଜେଲ୍ ପଠାଯିବ । ସେହିପରି ଆଗାମୀ ୨୦୨୨ ସୁଦ୍ଧା ସବୁ ଗରିବଙ୍କୁ ସ୍ଥାୟୀ ପଟ୍ଟା ଓ ପକ୍କା ଘର ଦିଆଯିବ । ଏହି ଘରେ ୨୪ ଘଂଟା ପାଣି, ବିଜୁଳି ଓ ଏଲପିଜି ଗ୍ୟାସ ଓ ଶୌଚାଳୟର ବ୍ୟବସ୍ଥା ରହିବ । ସେହିପରି ଚାଷୀ ମାନଙ୍କୁ ବିନାସୁଧରେ ଋଣ ଦିଆଯିବ, ଏସଏସଜି ମହିଳାଙ୍କ ଋଣ ଛାଡ ସହ ବିନା ସୁଧରେ ଋଣ ଦିଆଯିବ, +୨ ଛାତ୍ରୀଙ୍କୁ ସ୍କୁଟି ଦିଆଯିବା ସହ ଉଚ୍ଚଶିକ୍ଷା ପାଇଁ ୫୦ ହଜାର ଟଙ୍କାର ସୁବିଧା ଉପଲବ୍ଧ କରାଯିବ, ଅଙ୍ଗନବାଡି କର୍ମୀଙ୍କ ମାସିକ ଦରମା ୧୫ ହଜାର ଟଙ୍କାକୁ ବୃଦ୍ଧି କରାଯିବ, ଅଙ୍ଗନବାଡି ସହାୟିକାଙ୍କ ଦରମା ୯ ହଜାର କରାଯିବ, ଶିକ୍ଷକ ମାନଙ୍କୁ ସ୍ଥାୟୀ ଦରମା ଦିଆଯିବ ।

ଶ୍ରୀ ପ୍ରଧାନ କହିଛନ୍ତି ନକଲି ଓଡିଆ ଲୋକମାନଙ୍କୁ ଏଥର ନିର୍ବାଚନରେ ଓଡିଆ ଲୋକମାନେ ଜବାବ ଦେବେ । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ସୁରକ୍ଷିତ ଭାବେ ରଖି ପାରୁନଥିବା ମୁଖ୍ୟମନ୍ତ୍ରୀ ନବୀନ ବାବୁ ଦିଲ୍ଲୀ ଶାସନର ଚାବିକାଠି ରଖିବେ ବୋଲି କହୁଛନ୍ତି । ସେଥିପାଇଁ ଦେଶରେ ଅସ୍ଥିର ସରକାର କରିବା କଥା ସେ ବାରମ୍ବାର କହୁଛନ୍ତି । ଅତୀତରେ ଓଡିଶାର ସାଧାରଣ ଜନତା କଂଗ୍ରେସ ଓ ୨୦ ବର୍ଷ ଧରି ବିଜେଡିକୁ ଦାୟିତ୍ୱ ଦେଇଛନ୍ତି । ଥରେ ବିଜେପିକୁ ଦାୟିତ୍ୱ ଦେଲେ ୧୯ ବର୍ଷରେ ଓଡିଶାରେ ହୋଇନଥିବା କାମକୁ ବିଜେପି ୫ ଗୁଣା କାମ ୫ ବର୍ଷରେ କରିବ ବୋଲି ପ୍ରଧାନମନ୍ତ୍ରୀଙ୍କ କଥାକୁ ଦୋହରାଇଛନ୍ତି ଶ୍ରୀ ପ୍ରଧାନ ।
୧୯ ବର୍ଷ ରାଜ୍ୟ ଶାସନରେ ବିକାଶରେ ପଛରେ ପଡିଥିବା ଓଡିଶାକୁ ଆଗକୁ ନେବା ପାଇଁ ଡବଲ ଇଂଜିନ୍ ସରକାର ପାଇଁ ପଦ୍ମଫୁଲ ଚିହ୍ନରେ ଭୋଟ ଦେବାପାଇଁ ସାଧାରଣ ଜନତାଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
