ପୁରୀ: ନିର୍ବାଚନର ଅବ୍ୟବହିତ ପୂର୍ବରୁ ଜଗନ୍ନାଥ ଧାମ ପୁରୀ ଲୋକସଭା କ୍ଷେତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏବେବି ଏହି ଚର୍ଚ୍ଚା ଥମିବାରେ ନାଁ ଧରୁନି । ତିନି ପ୍ରମୁଖ ଦଳର ହେଭିଓ୍ୱେଟଙ୍କ ମଧ୍ୟରେ ଘମାଘୋଟ ଲଢେଇ ହବ ବୋଲି ଜଣାପଡ଼ୁଛି । ଏପ୍ରିଲ ୨୩ରେ ୬ଟି ଲୋକସଭାରେ ମତଦାନ ହେବ । ସେଥିମଧ୍ୟରୁ ପୁରୀ ଲୋକସଭା ଉପରେ ସମସ୍ତଙ୍କ ନଜର ରହିଛି । ଏହାସହ ଏଥର ପୁରୀ ଲୋକସଭାରେ ଡାକ୍ତର, ଓକିଲ ଏବଂ ସାମ୍ବାଦିକଙ୍କ ମଧ୍ୟରେ ଲଢେଇ ହେବ ।
ସେମାନଙ୍କ ବୃତ୍ତିକୁ ଛାଡ଼ିଦେଲେ ତିନି ପ୍ରମୁଖ ଦଳର ଏମାନେ ହେଉଛନ୍ତି ମୁଖପାତ୍ର । ପୁରୀରେ ତିନି କୁହାଳିଆଙ୍କ ଲଢେଇ ହେବାକୁ ଯାଉଛି ବୋଲି ମଧ୍ୟ କେହି କେହି କହୁଛନ୍ତି । ଲଗାତାର ଦୁଇ ଥର ବିଜେଡି ଟିକେଟରେ ଜିତିଥିବେ ପିନାକୀ ମିଶ୍ରଙ୍କୁ ପୁଣି ଥରେ ପୁରୀ ଲୋକସଭା ଟିକେଟ୍ ଦେଇଛି ଦଳ । ଏହାସହ ପୁରୀ ଲୋକସଭାରୁ ପ୍ରଧାନମନ୍ତ୍ରୀ ମୋଦି ଲଢିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ବିରାମ ଟାଣି ରାଷ୍ଟ୍ରୀୟ ପ୍ରବକ୍ତା ତଥା କେନ୍ଦ୍ରାପଡ଼ାର ପୁଅ ସମ୍ବିତ ପାତ୍ରଙ୍କୁ ଟିକେଟ ଦେଇଛି ବିଜେପି । ଅନ୍ୟପଟେ ନିର୍ଭିକ ସାମ୍ବାଦିକତାକୁ ନେଇ ଚର୍ଚ୍ଚାରେ ରହି ଆସିଥିବା ସତ୍ୟପ୍ରକାଶ ନାୟକଙ୍କୁ ପୁରୀରୁ ଟିକେଟ ଦେଇଛି କଂଗ୍ରେସ ।
ତେବେ ଏହି ତିନି ଯୋଦ୍ଧାଙ୍କ ମଧ୍ୟରୁ ସମ୍ବିତ ଏବଂ ସତ୍ୟପ୍ରକାଶ ନିର୍ବାଚନରେ ଡେବ୍ୟୁ କରୁଛନ୍ତି । ପିନାକୀ ମିଶ୍ରଙ୍କ ଭଳି ଅନୁଭବୀ ନେତାଙ୍କୁ ସମ୍ବିତ ଏବଂ ସତ୍ୟପ୍ରକାଶ ନିର୍ବାଚନୀ ମୈଦାନରେ କିଭିଳି ମାତ୍ ଦେବେ ସେନେଇ ଚଳାଇଛନ୍ତି ଆପ୍ରାଣ ଉଦ୍ୟମ । ୨୦୧୯ ନିର୍ବାଚନରେ ପୁରୀ ଲୋକସଭାରେ ନେତୃତ୍ୱ ପରିବର୍ତ୍ତନ ହେବ ନା ଅପରିବର୍ତ୍ତିତ ରହିବ ସେନେଇ ରହିଛି ଲୋକଙ୍କ ତୀକ୍ଷ୍ଣ ନଜର । ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପିନାକୀ ମିଶ୍ର ୫.୨୩ ଲକ୍ଷ ଭୋଟ ପାଇ ନିର୍ବାଚିତ ହୋଇଥିଲେ । କଂଗ୍ରେସ ପ୍ରାର୍ଥୀ ସୁଚରିତା ମହାନ୍ତି ୨.୫୯ ଲକ୍ଷ ଏବଂ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଅଶୋକ ସାହୁ ୨.୧୫ ଲକ୍ଷ ଭୋଟ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ । ୨୦୦୯ରେ ମଧ୍ୟ ପିନାକୀ ମିଶ୍ର ପୁରୀ ଲୋକସଭାରେ ବିଜେଡି ଟିକେଟରେ ଜିତିଥିଲେ । ଏହାପୂର୍ବରୁ କଂଗ୍ରେସ ଟିକେଟରେ ପୁରୀ ଲୋକସଭା ହାତେଇଥିଲେ ପିନାକୀ ।
ଏମିତି ଦେଖିବାକୁ ଗଲେ ବିଜେଡି ଜନ୍ମ ହେବା ପରଠାରୁ ପୁରୀ ଲୋକସଭାକୁ ନିଜ କବ୍ଜାରେ ରଖିଛି । ବିଜୁ ଜନତା ଦଳର ଗଡ଼ ଭାବେ ବିବେଚିତ ଏହି ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି ପୁରୀ, ସତ୍ୟବାଦୀ, ବ୍ରହ୍ମଗିରି, ପିପିଲି, ଚିଲିକା, ରଣପୁର ଓ ନୟାଗଡ଼ ଭଳି ୭ଟି ବିଧାନସଭା ଆସନ । ସେ ମଧ୍ୟରୁ ଗତ ୨୦୧୪ ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳ ୫ଟି ଆସନ (ପୁରୀ, ବ୍ରହ୍ମଗିରି, ପିପିଲି, ରଣପୁର ଓ ନୟାଗଡ) ଜିତିଥିଲା ବେଳେ ସ୍ୱାଧୀନ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।
ସେ ଯାହା ହେଉ ପୁରୀ ଲୋକସଭାରେ ପରିବର୍ତ୍ତନର ସ୍ୱର ଉଠୁଛି । ଏହି ପରିବର୍ତ୍ତନର ନାରାକୁ ଆଉ ଟିକେ ଶାଣିତ କରୁଛି କେନ୍ଦ୍ରରେ ମୋଦି ହାୱା । ସବୁଆଡ଼େ ମୋଦି ଲହର । ବିଧାନସଭା ଭୋଟ ବରଂ ଯାହାକୁ ଦିଅ କିନ୍ତୁ ଲୋକସଭା ଭୋଟ ମୋଦିଙ୍କୁ ଦିଅ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଏହି ପରିପ୍ରେକ୍ଷିରେ ଯିଏ ଆମ ପାଇଁ କାର୍ଯ୍ୟ କରିଛି ବା ଆଗକୁ କରିବ ତାକୁ ଭୋଟ ଦେବୁ ବୋଲି ଭୋଟର ମାନେ ଦୃଢୋକ୍ତି ବାଢିଛନ୍ତି । ଏସବୁ ତମାମ ପରିସ୍ଥିତିକୁ ନଜରରେ ରଖିଲେ ଓଡ଼ିଶା ସମେତ ପୁରୀ ରାଜନୀତି ମଧ୍ୟ ଏକ ରୋଚକ ମୋଡ଼ ନେବ ବୋଲି ଚର୍ଚ୍ଚା ହେଉଛି ।
ସେପଟେ ସମ୍ବିତ ପାତ୍ରଙ୍କ ଭଳି ବ୍ୟକ୍ତିତ୍ୱକୁ ବିଜେପି ପୁରୀରୁ ପ୍ରୋଜେକ୍ଟ କରିବାରୁ ଜାତୀୟ ସ୍ତରରେ ଚର୍ଚ୍ଚା ଚାଲିଛି । ଏମିତିକି ଅନେକ ଜାତୀୟ ଗଣମାଧ୍ୟମ ପୁରୀରେ ଡେରା ପକାଇଛନ୍ତି କେବଳ ସମ୍ବିତଙ୍କ ପାଇଁ । ଜାତୀୟ ସ୍ତରରେ ସମ୍ବିତଙ୍କୁ ନେଇ ଏଭଳି ଚର୍ଚ୍ଚା ତାଙ୍କ ପାଇଁ ପ୍ଲସ୍ ପଏଣ୍ଟ ହୋଇପାରେ । ଏହାସହ ଘରକୁ ଘର ବୁଲି ପ୍ରଚାର କରିବା ହେଉ ଅବା ସାଧାରଣ ଲୋକଙ୍କ ଗହଣରେ ପୋଖରୀରେ ସ୍ନାନ କରିବା, ଏସବୁକୁ ନିଜ ନିର୍ବାଚନୀ ପ୍ରଚାରରେ ସାମିଲ କରିଛନ୍ତି ସମ୍ବିତ ।
ଅନ୍ୟପଟେ କଂଗ୍ରେସର ରାଜ୍ୟ ମିଡିଆ ସେଲ୍ ଅଧ୍ୟକ୍ଷ ତଥା ସାମ୍ବାଦିକ ସତ୍ୟପ୍ରକାଶ ନାୟକ ଗାଁକୁ ଗାଁ ବୁଲି ଭୋଟ ଭିକ୍ଷା କରୁଥିବାର ଦେଖିବାକୁ ମିଳିଛି । କଂଗ୍ରେସରେ ସାମିଲ ହେବା ପୂର୍ବରୁ ଜଣେ ଦକ୍ଷ ତଥା ଲୋକପ୍ରିୟ ସାମ୍ବାଦିକ ଥିଲେ ସତ୍ୟପ୍ରକାଶ । ଓଡ଼ିଶାର ପ୍ରତିଟି ଘରେ ଲୋକପ୍ରିୟ ଥିବା ସତ୍ୟପ୍ରକାଶ ରାଜନୀତିରେ ଲୋକଙ୍କ ପ୍ରିୟଭାଜନ ହୋଇପାରୁଛନ୍ତି କି ନାହିଁ ଦେଖିବାକୁ ବାକି ରହିଲା ।
ବିଜେପିର ସମ୍ବିତ ପାତ୍ର, ବିଜେଡିର ପିନାକୀ ମିଶ୍ର ଏବଂ କଂଗ୍ରେସର ସତ୍ୟ ନାୟକଙ୍କ ଭାଗ୍ୟ ଏପ୍ରିଲ ୨୩ରେ ହେବାକୁ ଥିବା ମତଦାନ ନିର୍ଦ୍ଧାରଣ କରିବ ।
ତେବେ ଏନେଇ ଆପଣଙ୍କ ମତାମତ କ’ଣ ରହିଛି ? ଆମ କମେଣ୍ଟ ବକ୍ସରେ ଜଣାଇପାରିବେ...
