ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଭୁବନେଶ୍ୱର ଲୋକସଭା ନିର୍ବାଚନର ମହତ୍ୱ ସର୍ବାଧିକ । ସମସ୍ତଙ୍କ ଫୋକସରେ ରହିଛି ଭୁବନେଶ୍ୱର ଲୋକସଭା ଆସନ । ନିର୍ବାଚନ ରଣଭୂମିରେ ହେବ ଜୋରଦାର ତ୍ରିମୁଖୀ ଲଢେଇ । ଭୁବନେଶ୍ୱରବାସୀଙ୍କ ଭରଷା କିଏ ଜିତିବି ତାରି ଉପରେ ସମସ୍ତଙ୍କ ନଜର । ଗତ ଦୁଇ ଦଶନ୍ଧି ଧରି ଏହା ବିଜେଡ଼ିର ଗଡ଼ ହୋଇ ରହିଥିବା ବେଳେ ଚଳିତ ଥର କିନ୍ତୁ ସମୀକରଣ ବଦଳି ମଧ୍ୟ ପାରେ । କାରଣ ମଇଦାନରେ ଅଛନ୍ତି ଦୁଇ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ସହ ଲଢିବେ ପୁରୁଖା ରାଜନେତା ।
ଚଳିତ ଥର ବିଜେଡିର ପ୍ରସନ୍ନ ପାଟ୍ଟଶାଣୀଙ୍କ ବଦଳରେ ମଇଦାନକୁ ଓହ୍ଲାଇଛନ୍ତି ମୁମ୍ୱାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ । ତାଙ୍କୁ ଟକ୍କର ଦେବେ ଲୋକପ୍ରିୟ ପ୍ରଶାସିକା ଅପରାଜିତା ଷଡଙ୍ଗୀ । ସେହିପରି କଂଗ୍ରେସ ଚଳିତ ଥର ପ୍ରାର୍ଥୀ ଦେଇନଥିଲେ ହେଁ ସିପିଆଇଏମ୍ ପ୍ରାର୍ଥୀ ଜନାର୍ଦ୍ଦନ ପତିଙ୍କୁ ସମର୍ଥନ ଜଣାଉଛି । ଏଣୁ ଭୁବନେଶ୍ୱର ଲୋକସଭା ଆସନ ପାଇଁ ହେବାକୁ ଯାଉଛି ଜୋରଦାର ତ୍ରିମୁଖୀ ଲଢେଇ । ତୃତୀୟ ପର୍ଯ୍ୟାୟରେ ହେବ ଦୁଇ ପ୍ରଶାସକ ସହ ବରିଷ୍ଠ ରାଜନେତାଙ୍କ ଫାଇଟ୍ । ତେବେ ଭୋଟର ବରିଷ୍ଠ ପ୍ରଶାସକ ନା ରାଜନେତାଙ୍କୁ ବାଛିବେ, ତାହା ଦେଖିବାକୁ ବାକି ରହିଲା ।
ସୂଚନା ଯେ, ରାଜ୍ୟ ରାଜନୀତିରେ ସିପିଆଇଏମ୍ର ସ୍ଥିତି ସେତେଟା ସୁଦୃଢ ନାହିଁ । ଯଦିଓ ଜନାର୍ଦ୍ଦନ ପତି ଜଣେ ପୁରୁଖା ନେତା କିନ୍ତୁ ଗତ ନିର୍ବାଚନକୁ ସମୀକ୍ଷା କଲେ ଦଳର ସଂଗଠନ ମଜବୁତ୍ ନଥିବା ଜଣାଯାଏ । ତେବେ କଂଗ୍ରେସ କିନ୍ତୁ ଚଳିତ ଥର ଜନାର୍ଦ୍ଦନ ପତିଙ୍କୁ ସମର୍ଥନ କରିବା ଫଳରେ କିଛିଟା ଆଶା କରାଯାଇପାରେ । ଅନ୍ୟପଟେ ଦୁଇ ବରିଷ୍ଠ ଆଇଏଏସ୍ ଓ ଆଇପିଏସ୍ । ଜଣେ ବିଏମସି କମିଶନର ଦାୟିତ୍ୱରେ ଥିବାବେଳେ ଭୁବନେଶ୍ୱରର ଘରେ ଘରେ ଲୋକପ୍ରିୟତା ସାଉଁଟିଛନ୍ତି । ଆଉ ଜଣେ ମୁମ୍ୱାଇରେ ଜଣେ ସଚ୍ଚୋଟ ଓ ନିର୍ଭିକ ପୋଲିସ ଅଫିସର ଭାବେ ସାରା ଦେଶରେ ପରିଚିତ ।
ଅପରାଜିତା ଷଡଙ୍ଗୀ
ବିଜେପିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ
ଆଇଏଏସ୍ ଚାକିରି ଛାଡି ରାଜନୀତିରେ ଏଣ୍ଟ୍ରି କରିଛନ୍ତି
ବିଜେପିର ଷ୍ଟାର ପ୍ରଚାରିକା ଅପରାଜିତା ଷଡଙ୍ଗୀ
ପ୍ରଶାସକ ଥିବା ସମୟରେ ଅନେକ ଲୋକପ୍ରିୟତା ସାଉଁଟିଛନ୍ତି
ସ୍ୱେଚ୍ଛାକୃତ ଇସ୍ତଫା ଦେଇ କିଛି ଦିନ ପୂର୍ବେ ବିଜେପିରେ ଯୋଗ ଦେଇଛନ୍ତି
ପ୍ରଥମ ଥର ପାଇଁ ରାଜନୀତିରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ଅପରାଜିତା
ଅରୂପ ପଟ୍ଟନାୟକ
ବିଜେଡ଼ିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ
ଆଇପିଏସ୍ ଚାକିରିରୁ ଅବସର ପରେ ରାଜନୀତି ମଇଦାନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ଅରୂପ
ମୁମ୍ୱାଇର ପୂର୍ବତନ ପୋଲିସ୍ କମିଶନର ଅରୂପ ଜଣେ ଦବଙ୍ଗ୍ ଅଫିସର ଭାବେ ଜଣାଶୁଣା
ପ୍ରସନ୍ନ ପାଟ୍ଟଶାଣୀଙ୍କୁ ବାଦ୍ ଦେଇ ଅପରାଜିତାଙ୍କୁ ଟକ୍କର ଦେବାକୁ ଜଣେ ପ୍ରଶାସକଙ୍କୁ ଚୟନ କରିଛି ବିଜେଡି
ଅରୂପଙ୍କ ହାତରେ ବିଜେଡିର ଇଜ୍ଜତ

