
ନୂଆଦିଲ୍ଲୀ: ନିର୍ବାଚନ ତାତି ସମୟରେ ବିଜେଡି ପାଟକୁରା ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କ ଦେହାନ୍ତ ସହ ଦ୍ୱନ୍ଦ୍ୱରେ ରହିଛି ପାଟକୁରା ନିର୍ବାଚନ ଭବିଷ୍ୟତ । ବରିଷ୍ଠ ନେତା ବେଦ ପ୍ରକାଶଙ୍କ ମୃତ୍ୟୁ ପରେ ପାଟକୁରା ନିର୍ବାଚନକୁ ସ୍ଥଗିତ ରଖାଗଲା । ପରେ ବାତ୍ୟା ଫୋନି ରଚିଲା ମହା ତାଣ୍ଡବ । ଏଣୁ ପୁଣି ପାଟକୁରା ନିର୍ବାଚନକୁ 60 ଦିନ ଘୁଞ୍ଚାଇ ଦେଲେ ନିର୍ବାଚନ କମିଶନ । ଏହିକ୍ରମ ରେ ପାଟକୁରା ନିର୍ବାଚନକୁ ନେଇ ଚାଲିଛି ଅନେକ କଳ୍ପନାଜଳ୍ପନା । ଏହାରି ଭିତରେ ବର୍ଷା ଆସିବା ପୂର୍ବରୁ ପାଟକୁରା ନିର୍ବାଚନ ସାରିବାକୁ ଦାବି କରିଛି ବିଜେପି ।
ପାଟକୁରା ନିର୍ବାଚନ ନେଇ ବିଜେପିର ଏକ ପ୍ରତିନିଧି ଦଳ ଆଜି ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି । ଏଥିରେ ଦଳର ରାଷ୍ଟ୍ରୀୟ ଉପ-ସଭାପତି ତଥା ମୁଖପାତ୍ର ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର ଓ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ପ୍ରମୁଖ ଥିଲେ । ସେମାନେ ପାଟକୁରା ନିର୍ବାଚନ ନେଇ ଦଳର ଦାବି ସଂପର୍କରେ କମିଶନଙ୍କୁ ଜଣାଇବା ସହିତ କେନ୍ଦ୍ରାପଡ଼ାର ନୂଆ ଜିଲ୍ଲାପାଳଙ୍କ ବିଷୟରେ ମଧ୍ୟ ଅବଗତ କରିଛନ୍ତି ।
ନିର୍ବାଚନ କମିଶନ୍ଙ୍କୁ ଭେଟିବା ପରେ ବିଜେପି ମୁଖପାତ୍ର ସମ୍ୱିତ ପାତ୍ର କହିଛନ୍ତି ଯେ,“୨ ମାସ ବେଳକୁ ବର୍ଷା ଆସି ସାରିଥିବ । ତା’ ପୂର୍ବରୁ ପାଟକୁରା ନିର୍ବାଚନ କରିବା ପାଇଁ ଆମେ କମିଶନ୍ଙ୍କୁ ଜଣାଇଛୁ । ସେହିପରି କିଛି ବୁଥ୍ରେ ହେବାକୁ ଥିବା ସାନି ମତଦାନ ମେ’ ୨୩ ତାରିଖ ପୂର୍ବରୁ କରିବାକୁ ଦାବି କରିଛୁ ।”
ସମ୍ୱିତ ପାତ୍ର କହିଛନ୍ତି ଯେ,“କେନ୍ଦ୍ରାପଡ଼ାର ନୂତନ ଜିଲ୍ଲାପାଳଙ୍କ ନିଯୁକ୍ତି ସଂପର୍କରେ ମଧ୍ୟ ଆମେ କମିଶନଙ୍କୁ ଜଣାଇଛୁ । ବିଜୁ ଜନତା ଦଳ ସହ ତାଙ୍କର କିଭଳି ପୂର୍ବରୁ ସଂପର୍କ ରହିଛି, ସେକଥା ଆମେ ଜଣାଇଛୁ । କମିଶନ୍ ସବୁ ଶୁଣି ଉଚିତ୍ ପଦକ୍ଷେପ ନେବେ ବୋଲି ଆଶ୍ୱାସନା ଦେଇଛନ୍ତି ।”
ପ୍ରକାଶ ଥାଉ କି, ପାଟକୁରା ବିଧାନସଭା ଆସନରୁ ବିଜେଡି ଦୀର୍ଘ ଦିନ ଧରି ଅସୁସ୍ଥ ବେଦ ପ୍ରକାଶ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିଲା । ସେ ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିଥିଲେ । ତେବେ ଏପ୍ରିଲ୍ ୨୯ ତାରିଖରେ ମତଦାନ ପୂର୍ବରୁ ତାଙ୍କର ପରଲୋକ ହୋଇଥିଲା । ଫଳରେ ନିର୍ବାଚନ କମିଶନ୍ ପାଟକୁରା ନିର୍ବାଚନକୁ ମେ’ ୧୯କୁ ଘୁଞ୍ଚାଇ ଦେଇଥିଲେ। ‘ଫୋନି’କୁ ଦୃଷ୍ଟିରେ ରଖି ପାଟକୁରା ନିର୍ବାଚନକୁ ପୁଣି ଘୁଞ୍ଚାଇବାକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଥିଲେ ।
