ବାଲେଶ୍ୱର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ । ରେମୁଣାରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସଭାରେ ଯୋଗ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଶେଷ ପର୍ଯ୍ୟାୟ ନିର୍ବାଚନ ଠିକ୍ ପୂର୍ବରୁ ଓଡ଼ିଶା ଆସି ରାହୁଲ ଗାନ୍ଧୀ କରିଛନ୍ତି ମୋଦି ସରକାରଙ୍କୁ ଟାର୍ଗେଟ୍ । ଏହାସହ ନବୀନ ସରକାର ଓ ବିଜେଡି ଉପରେ କିନ୍ତୁ ରାହୁଲଙ୍କ ଶାଣିତ ସ୍ୱର ଏଥର ଶୁଣିବାକୁ ମିଳିଲା ନାହିଁ ।
ରେମୁଣାରେ ବର୍ଷିଲେ ରାହୁଲ । କଲେ ବିଜେପି ଓ ମୋଦିଙ୍କୁ ଟାର୍ଗେଟ୍ । କିନ୍ତୁ ନବୀନଙ୍କୁ ପଦଟିଏ ବି କହିଲେନି । ରାହୁଲ କହିଲେ, ଦେଶର ସବୁଠାରୁ ବଡ଼ ସମସ୍ୟା ହେଉଛି ବେରୋଜଗାରୀ । ଏହା ଉପରେ କଂଗ୍ରେସ କରିବ ସର୍ଜିକାଲ ଷ୍ଟ୍ରାଇକ୍ । ଗରିବଙ୍କ ବ୍ୟାଙ୍କ ଖାତାକୁ ମାସକୁ ନ୍ୟାୟ ଯୋଜନାରେ ଦିଆଯିବ ୭୨ହଜାର ଟଙ୍କା । ୫ କୋଟି ଗରିବ ପରିବାରର ପ୍ରାୟ ୨୫କୋଟି ଲୋକ ଏଥିରେ ଉପକୃତ ହେବେ ।
ରାହୁଲ କହିଲେ, ବେରୋଜଗାରୀ ପାଇଁ ଜିଏସଟି ଏବଂ ନୋଟବନ୍ଦୀ ଦାୟୀ । ଦେଶର ଧନୀ ଲୋକେ ଟଙ୍କା ନେଇ ବିଦେଶ ପଳାଇଛନ୍ତି । ଅନିଲ ଅମ୍ବାନୀ, ମେହୁଲ ଚୌକସୀ, ନୀରବ ମୋଦୀ, ମାଲ୍ୟାଙ୍କୁ କେନ୍ଦ୍ର ସରକାର ଜେଲ ପଠାଇ ପାରୁନାହାନ୍ତି । ସେମାନଙ୍କ ପକେଟକୁ ଜନତାଙ୍କ ଟଙ୍କା ଯାଉଛି । କଂଗ୍ରେସ ସରକାର ହେଲେ ସେମାନଙ୍କ ପକେଟରୁ ଟଙ୍କା ଅଣାଯିବ ଓ ଗରିବଙ୍କୁ ଦିଆଯିବ ।
ରାହୁଲ ଆହୁରି ମଧ୍ୟ କହିଲେ, କଂଗ୍ରେସ ସରକାରକୁ ଆସିଲେ ଧାନର ଏମଏସପି ୨୬୦୦ ଟଙ୍କା ହେବ । ନରେନ୍ଦ୍ର ମୋଦି ୨କୋଟି ରୋଜଗାର ଦେବେ ବୋଲି କହିଥିଲେ । କିନ୍ତୁ ତାହା ହେଲା ନାହିଁ । କଂଗ୍ରେସ ସର୍ବଦା ଆଦିବାସୀଙ୍କ ସହ ରହିଛି । ଜମି ଅଧିଗ୍ରହଣ ଆଇନ ୟୁପିଏ ସରକାର ଆଣିଥିଲା । ମୋଦି ଏ ସବୁ ବିଲ ରବ୍ଦ କରିବାକୁ ଚେଷ୍ଟା କରୁଛନ୍ତି । କଂଗ୍ରେସ ସରକାର ଆସିଲେ ଆଦିବାସୀଙ୍କ ଜଙ୍ଗଲ ଜମି ରକ୍ଷା କରାଯିବ । ଦେଶରେ ୨୨ ଲକ୍ଷ ସରକାରୀ ଚାକିରୀ ଖାଲି ପଡିଛି । ପଞ୍ଚାୟତରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯିବ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରୋଜଗାର ଦେବାରେ ବିଫଳ ହୋଇଛନ୍ତି ।
