ସତ୍ୟବାଦୀ: ଶେଷରେ ସତ୍ୟବାଦୀ ବିଜେପି ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର ମୁହଁ ଖୋଲିଛନ୍ତି । ଇଭିଏମ୍ ଭଙ୍ଗା ଘଟଣା ନେଇ ନିଜର ପକ୍ଷ ରଖିଛନ୍ତି ଓମ୍ ପ୍ରକାଶ । ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ମାଧ୍ୟମରେ ଓମ୍ ପ୍ରକାଶ ସମସ୍ତ ଘଟଣା କହିଛନ୍ତି ।
ପ୍ରାୟ 9 ମିନିଟ୍ର ଏହି ଭିଡିଓରେ ଓମ୍ ପ୍ରକାଶ ପ୍ରଥମେ କହିଛନ୍ତି, “ଇଭିଏମ୍ ଭଙ୍ଗା ଘଟଣାର ସମ୍ପୂର୍ଣ୍ଣ ନିରପେକ୍ଷ ତଦନ୍ତ କରାଯାଉ । ଯେଉଁମାନେ ଦୋଷୀ ସେମାନଙ୍କୁ ଦଣ୍ଡ ଦିଆଯାଉ । ଏହି ନିରପେକ୍ଷ ତଦନ୍ତରେ ଯଦି ମୁଁ ଦୋଷୀ ସାବ୍ୟସ୍ତ ହୁଏ ମୁଁ ଦଣ୍ଡ ପାଇଁ ପ୍ରସ୍ତୁତ ।“
ସେ କହିଛନ୍ତି, 23 ତାରିଖରେ କଣ ସବୁ ହୋଇଥିଲା ତଦନ୍ତ କରାଯାଉ । ପ୍ରାୟ 7ଟି ବୁଥ୍ରେ ବୁଥ୍ ରିଗିଂ ଓ ବୋଗସ୍ ଭୋଟିଂ ହୋଇଥିଲା । ଏପରି କି ମୃତ ବ୍ୟକ୍ତିଙ୍କ ନାମରେ ମଧ୍ୟ ଅନେକ ଭୋଟିଂ ହୋଇଥିଲା । ପୋଲିସ୍ ଓ ନିର୍ବାଚନ ଅଧିକାରୀଙ୍କୁ ଜଣାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ସେ ଅଭିଯୋଗ କରିଛନ୍ତି । ତେଣୁ ଏ ସମସ୍ତ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର ।
ଏହାସହ ବୀରକିଶୋରପୁର 78 ନମ୍ୱର ବୁଥ୍ରେ ସମସ୍ତ ସୀମା ଟପିଥିବା କହିଛନ୍ତି ଓମ୍ ପ୍ରକାଶ । ଯେଉଁଥିପାଇଁ ସେ ଘଟଣାସ୍ଥଳରେ ପହଞ୍ଚିବାକୁ ବାଧ୍ୟ ହୋଇଥିଲେ ବୋଲି ମଧ୍ୟ କହିଛନ୍ତି । ଯେଉଁମାନେ ବିଜେପି କାର୍ଯ୍ୟକର୍ତ୍ତା, ସେମାନେ ପହଞ୍ଚିବା ପୂର୍ବରୁ ଭୋଟ୍ ଦିଆ ସରିଛି । ବିଜେପି କାର୍ଯ୍ୟକର୍ତ୍ତା ଧାଡ଼ିରେ ଠିଆ ହୋଇଛନ୍ତି, ସେମାନଙ୍କୁ ସେଠାରୁ ବିଦା କରାଯାଉଛି । ଏବଂ ବିସିଆ ପ୍ରଧାନ ନାମକ ଜଣେ ସ୍ଥାନୀୟ ଗୁଣ୍ଡା ସେଠାରେ ସମସ୍ତଙ୍କ ପାଇଁ ଭୋଟ ଦେଉଥିବା ଅଭିଯୋଗ କରିଛନ୍ତି ଓମ୍ ପ୍ରକାଶ ।
ଅଜଥା ଓ ସସ୍ଥା ପଲିଟିକାଲ ମାଇଲେଜ୍ ପାଇବାକୁ ବିଜେଡି ଦଳ ଏପରି କରୁଥିବା ଓମ୍ ପ୍ରକାଶ ଅଭିଯୋଗ କରିଛନ୍ତି । ଏହାସହ ସେ କହିଛନ୍ତି ଯେ, ଇଭିଏମ୍ ମେସିନ୍ ସେଦିନ ବିଜେଡି ଗୁଣ୍ଡାମାନେ ଭାଙ୍ଗିଥିଲେ । ମେସିନ୍ ପର୍ଯ୍ୟନ୍ତ ପହଞ୍ଚିବାକୁ ସେ ସୁଯୋଗ ମଧ୍ୟ ପାଇନଥିଲେ ବୋଲି କହିଛନ୍ତି ।
ସେ ପୁଣି କହିଛନ୍ତି, ଯେତେବେଳେ ସେ 78 ନମ୍ୱର ବୁଥ୍ରେ ପହଞ୍ଚିଥିଲେ । ସେତେବେଳେ ସେଠାରେ ରିଗିଂ ଚାଲିଥିଲା । ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଏସବୁ ଚାଲିଥିଲା । ବାରମ୍ୱାର ଜଣାଇବା ପରେ ମଧ୍ୟ କେହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେନାହିଁ । ସେହିପରି ତେଲେଙ୍ଗାପଡା ବୁଥ୍ରେ ମାଇକ୍ରୋ ଅବଜରଭର ନିଜେ 200ରୁ ଅଧିକ ଭୋଟ୍ ନିଜେ ଦେଇଥିଲେ । ଘଟଣା ଜଣାପଡିବା ପରେ ବିଜେପି କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ସେଠାରେ ବାନ୍ଧି ରଖିଥିଲେ । ତେବେ ଭୁଲ ମାଗିବା ପରେ ଓ ତହସିଲଦାରଙ୍କ ହସ୍ତକ୍ଷେପ ପରେ ଘଟଣାଟି ଚପାଇ ଦିଆଯାଇଥିଲା ।
ସୂଚନା ଯେ, ଗତ 23 ତାରିଖରେ ବୁଥ୍ରେ ପଶି ଇଭିଏମ୍ ଭାଙ୍ଗିବା ଓ ପ୍ରିଜାଇଡିଂ ଅଫିସରଙ୍କୁ ମାଡ ମାରିବା ଅଭିଯୋଗ ଆସିଛି ବିଜେପି ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କ ଉପରେ । ଏନେଇ ପୋଲିସ୍ ତାଙ୍କୁ ଖୋଜି ବିଭିନ୍ନ ସ୍ଥାନରେ ଚଢାଉ କରୁଥିଲା । ତେବେ ଆଜି ଓମ୍ ପ୍ରକାଶ ମିଶ୍ର ନିଜର ପକ୍ଷ ରଖିବା ସହ ସମସ୍ତ ଅଭିଯୋଗକୁ ଖଣ୍ଡନ କରି କଡା ଓ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ।
