ସମୁଳିଆ: ବିଜେପିର ଡବଲ୍ ଇଞ୍ଜିନ୍ ସରକାର ଆସିଲେ ସିମୁଳିଆରେ ଏକ ଓଭର ବ୍ରିଜ୍ ତିଆରି ହେବ । ଏହାସହ ସିମୁଳିଆ, ଖଇରା, ମାର୍କଣା ଅଞ୍ଚଳକୁ କୃଷି ବ୍ୟବସାୟର ଏକ ବଡ କେନ୍ଦ୍ର ବନାଯିବ । ସିମୁଳିଆବାସୀଙ୍କୁ ବିକାଶର ଧାରାରେ ଆଣିବାକୁ ନିର୍ବାଚନୀ ପ୍ରଚାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ କରିଛନ୍ତି ।
ବାଲେଶ୍ୱର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳିର ମାର୍କୋଣା ଠାରେ ବିଜୟ ସଂକଳ୍ପ ସଭାରେ ଯୋଗଦେଇ ଧର୍ମେନ୍ଦ୍ର କହିଛନ୍ତି ଯେ, ୧୯ ବର୍ଷ ଶାସନରେ ଏ ଚଷାଚାଷୀ ଅଞ୍ଚଳରେ ଶୀତଳ ଭଣ୍ଡାର ନାହିଁ । ସିମୁଳିଆ, ଖଇରା , ମାର୍କୋଣା ଅଞ୍ଚଳକୁ କୃଷି ବ୍ୟବସାୟର ଏକ ବଡ କେନ୍ଦ୍ର ବନାଯିବ ବୋଲି ସେ କହିଛନ୍ତି ।

ରାଜ୍ୟରେ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନ ସରକାର ହେଲେ ମାର୍କୋଣା, ସମିୁଳିଆରେ କୃଷିଭିତିକ ଶିଳ୍ପ ପ୍ରତିଷ୍ଠା କରାଯିବ । ରାଜ୍ୟରେ ଡବଲ ଇଞ୍ଜିନର ସରକାର ହେଲେ ଖଣି, ଚିଟଫଣ୍ଡ ଓ ପିସି କାରବାରରେ ଲିପ୍ତ ଥିବା ଲୋକଙ୍କୁ ତିନିମାସ ମଧ୍ୟରେ ସମସ୍ତଙ୍କୁ ଜେଲ୍ ପଠାଯିବ, ୧୫ ବର୍ଷରୁ କମ୍ ଝିଅଙ୍କ ସହ ଅତ୍ୟାଚାର କରୁଥିବା ଲୋକଙ୍କୁ ଫାଶୀ ଦଣ୍ଡ ଦିଆଯିବାର ଆଇନ ଅଣାଯିବ, ୨୦୨୨ ସୁଦ୍ଧା ସବୁ ଗରିବଙ୍କୁ ପକ୍କା ଘର ଦିଆଯିବ । ଏହି ଘରେ ୨୪ ଘଂଟା ପାଣି, ବିଜୁଳି ଓ ଏଲପିଜି ଗ୍ୟାସର ବ୍ୟବସ୍ଥା ରହିବ । ସେହିପରି ୧ ଲକ୍ଷ କୋଟି ଟଙ୍କା ଜଳ ସେଚନ ପାଇଁ ଖର୍ଚ୍ଚ କରାଯିବ, ଆଗାମୀ ୨ ବର୍ଷ ଭିତରେ ଖାଲିଥିବା ସବୁ ସରକାରୀ ପଦବୀ ଗୁଡିକୁ ପୂରଣ କରାଯିବ, ଅଙ୍ଗନବାଡି କର୍ମୀଙ୍କ ମାସିକ ଦରମା ୧୫ ହଜାର ଟଙ୍କାକୁ ବୃଦ୍ଧି କରାଯିବ, ଅଙ୍ଗନବାଡି ସହାୟିକାଙ୍କ ଦରମା ୯ ହଜାର କରାଯିବ, ଏସଏସଜି ମହିଳାଙ୍କ ଋଣ ଛାଡ ସହ ବିନା ସୁଧରେ ଋଣ ଦିଆଯିବ, ଚାଷୀ ମାନଙ୍କୁ ବିନାସୁଧରେ ଋଣ ଦିଆଯିବ, +୨ ଛାତ୍ରୀଙ୍କୁ ସ୍କୁଟି ଦିଆଯିବା ସହ ଉଚ୍ଚଶିକ୍ଷା ପାଇଁ ୫୦ ହଜାର ଟଙ୍କାର ସୁବିଧା ଉପଲବ୍ଧ କରାଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।
ମୋଦି ଆସିଲେ ରାଜ୍ୟରେ ଟଙ୍କିକିଆ ଚାଉଳ ବନ୍ଦ ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ ଅପପ୍ରଚାର କରୁଛନ୍ତି । ଓଡିଶାରେ ବିଜେପି ସରକାର ହେଲେ ଓଡିଶାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମୋଟ ୧ ଟଙ୍କାରେ ୫ କେଜି ଚାଉଳ, ଅଧକେଜି ଲେଖାଁଏ ଡାଲି ଓ ଲୁଣ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ କେହି ଟଙ୍କା ପାଇନାହାନ୍ତି । ଅପରପକ୍ଷରେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପାଇଁ ଓଡିଶାର ୪୫ ଲକ୍ଷ ଚାଷୀଙ୍କ ତାଲିକା ଦିଲ୍ଲୀ ପଠାଇଲେ ନାହିଁ । ଗରିବଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ନିମନ୍ତେ ମୋଦିଙ୍କ ଆୟୁଷ୍ମାନ ଯୋଜନା ରାଜ୍ୟରେ ଲାଗୁ ହେଲା ନାହିଁ ।
ଏଠାରେ ଦୁଇ ପଟ୍ଟନାୟକଙ୍କ ସଲାସୁତୁରା ଅଛି । ଖଣି ମାଫିଆ ନିରଞ୍ଜନ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ଭିତରେ ସୂତ୍ର ବାନ୍ଧିଛି । ସେମାନଙ୍କର ଗୋଟେ ଉଦ୍ଦେଶ୍ୟ ଯେ ବିଜେପିକୁ ଜିତାଇ ଦିଆଯିବ ନାହିଁ, ଓଡିଶାରେ ଡବଲ ଇଞ୍ଜିନ ସରକାର ଗଢାଇ ଦେବନାହିଁ କହି ଧର୍ମେନ୍ଦ୍ର ଜୋରଦାର ଟାର୍ଗେଟ୍ କରିଛନ୍ତି ।
