ନୂଆଦିଲ୍ଲୀ: ୩ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଏବେ ନଜର ଚତୁର୍ଥ ପର୍ଯ୍ୟାୟ ଉପରେ । ପ୍ରତି ପର୍ଯ୍ୟାୟ ଭଳି ଏଥର ମଧ୍ୟ ଧନୀ ଏବଂ ଦାଗୀ ନେତାଙ୍କ ଲିଷ୍ଟ ପ୍ରକାଶ ପାଇଛି । ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍(ADR) ତରଫରୁ ପ୍ରକାଶିତ ତଥ୍ୟ ଅନୁସାରେ ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଓଡ଼ିଶାରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୫୨ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୭ ଜଣ ହେଉଛନ୍ତି କୋଟିପତି ।
ଏହି ଲିଷ୍ଟର ଶୀର୍ଷରେ ଅଛନ୍ତି ପିସିସି ସଭାପତି ନିରଞ୍ଜନଙ୍କ ପୁଅ ତଥା ବାଲେଶ୍ୱର ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ । ତାଙ୍କ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ମିଶି ପ୍ରାୟ ୧୦୪ କୋଟି ଟଙ୍କା ହେବ । ଏହାସହ ସବୁଠୁ ଅଧିକ ଋଣୀ ପ୍ରାର୍ଥୀ ମଧ୍ୟ ନବଜ୍ୟୋତି । ୧୦୭ କୋଟି ଟଙ୍କା ଋଣ କରି ଦେଶରେ ଋଣୀ ପ୍ରାର୍ଥୀ ହିସାବରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ନିରଞ୍ଜନଙ୍କ ପୁଅ ।
ସେହିପରି ଲୋକସଭା ପ୍ରାର୍ଥୀ ନବଜ୍ୟୋତିଙ୍କ ତଳକୁ ଅଛନ୍ତି ବାଲେଶ୍ୱର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନା । ରବୀନ୍ଦ୍ର ଜେନାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ୭୨ କୋଟି ଟଙ୍କା । କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ମଧ୍ୟ କୋଟିପତି ପ୍ରାର୍ଥୀ ତାଲିକା ତୃତୀୟ ସ୍ଥାନରେ ଅଛନ୍ତି । ତାଙ୍କର ଅସ୍ଥାବର ଓ ସ୍ଥାବର ସମ୍ପତ୍ତିର ମୋଟ୍ ମୂଲ୍ୟ ପ୍ରାୟ ୫୭ କୋଟି ଟଙ୍କା ।
ଏହାସହ ଏଡିଆର୍ ରିପୋର୍ଟ ଅନୁସାରେ ୩୩୪ ଜଣ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୮୧ ଜଣ ପ୍ରାର୍ଥୀ କୋଟିପତି ବୋଲି ଜଣାପଡ଼ିଛି । ବିଜେଡ଼ିରେ ସର୍ବାଧିକ ୨୭ ଜଣ, କଂଗ୍ରେସର ୨୩ ଜଣ ଓ ବିଜେପିର ୨୦ ଜଣ ବିଧାୟକ ପ୍ରାର୍ଥୀ କୋଟିପତି । ଏହି ଲିଷ୍ଟରେ ନବଜ୍ୟୋତିଙ୍କ ବାପା ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ସବୁଠୁ ଆଗରେ । ବିଧାୟକ ପ୍ରାର୍ଥୀ ହିସାବରେ ୬୦ କୋଟିରୁ ଅଧିକ ଟଙ୍କାର ସମ୍ପତି ସହ ଆଗରେ ଅଛନ୍ତି ନିରଞ୍ଜନ । ଅନ୍ୟପଟେ ଚିରଞ୍ଜିବୀ ବିଶ୍ୱାଳ ୩୩ କୋଟିରୁ ଅଧିକ ସମ୍ପତ୍ତି ସହ ଦ୍ୱିତୀୟରେ ଥିବା ବେଳେ ପ୍ରଣବ ବଳବନ୍ତରାୟ ୧୭ କୋଟିର ସମ୍ପତ୍ତି ସହ ତୃତୀୟରେ ଅଛନ୍ତି ।
