୨୦୧୫-୧୬ରେ ଆଳୁ ମିଶନ ଆରମ୍ଭ କରିଥିଲେ ରାଜ୍ୟ ସରକାର । ଲକ୍ଷ୍ୟ ଥିଲା ଓଡିଶା ହେବ ଆଳୁ ଉତ୍ପାଦନରେ ସ୍ଵାବଲମ୍ବୀ । ୩ ବର୍ଷ ଅର୍ଥାତ ୨୦୧୭-୧୮ ଆର୍ଥିକ ବର୍ଷ ଭିତରେ ବାର୍ଷିକ ୧୧ ଲକ୍ଷ ୨୫ ହଜାର ଟନ ଆଳୁ ଅମଳ କରିବାର ଲକ୍ଷ୍ୟ ରଖିଥିଲେ ରାଜ୍ୟ ସରକାର ।
କିନ୍ତୁ ରାଜ୍ୟରେ ଦିନକୁ ଦିନ ଆଳୁ ଚାଷ ହ୍ରାସ ହେବାରେ ଲାଗିଛି । ବିଧାନସଭାରେ କୃଷି ମନ୍ତ୍ରୀଙ୍କ ଉତ୍ତରରୁ ମିଳିଥିବା ତଥ୍ୟ ଅନୁସାରେ ୨୦୧୬-୧୭ ମସିହାରେ ୨୫ ହଜାର ୧୮୫ ହେକ୍ଟର ଜମିରୁ ୩ ଲକ୍ଷ ୨ ହଜାର ମେଟ୍ରିକ ଟନ ଆଳୁ ଉତ୍ପାଦନ ହୋଇଥିଲା । କିନ୍ତୁ ୨୦୧୭-୧୮ରେ ୨୫ ହଜାର ୯୦ ହେକ୍ଟର ଜମିରୁ ୨ ଲକ୍ଷ ୯୮ ହଜାର ମେଟ୍ରିକ ଟନ, ୨୦୧୮-୧୯ରେ ୨୪ ହଜାର ୬୮୭ ହେକ୍ଟର ଚାଷ ଜମିରୁ ୨ ଲକ୍ଷ ୯୦ ହଜାର ମେଟ୍ରିକ ଟନ, ୨୦୧୯-୨୦ରେ ୨୪ ହଜାର ୭୧୪ ହେକ୍ଟର ଜମିରୁ ୨ ଲକ୍ଷ ୯୪ ହଜାର ମେଟ୍ରିକ ଟନ ଆଳୁ ଉତ୍ପାଦନ ହୋଇଛି ।
ହେଲେ ଓଡିଶାରେ ବାର୍ଷିକ ଆଳୁ ଚାହିଦା ପ୍ରାୟ ୧୩ ଲକ୍ଷ ମେଟ୍ରିକ ଟନ । ସ୍ଵଳ୍ପ ଉତ୍ପାଦନ ଯୋଗୁଁ ଚାହିଦା ପୂରଣ ପାଇଁ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ବିହାର ଭଳି ରାଜ୍ୟ ଉପରେ ନିର୍ଭର ହେଉଛି ଓଡିଶା । ତଥ୍ୟ ଅନୁସାରେ ରାଜ୍ୟରେ ମୋଟ ୧୨୮ ଟି ଶୀତଳଭଣ୍ଡାର ଥିବା ବେଳେ ସେଥିରୁ ମାତ୍ର ୪୯ଟି ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ଅଛି । ଆଉ ବାକି ୭୯ଟି ଶୀତଳଭଣ୍ଡାର ଅଚଳାବସ୍ଥାରେ ପଡି ରହିଛି । ତେଣୁ ଦିନକୁ ଦିନ ଆଳୁ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ମଧ୍ୟ କମିବାରେ ଲାଗିଛି। ବର୍ଷକୁ ବର୍ଷ ହ୍ରାସ ପାଉଥିବା ଆଳୁ ଉତ୍ପାଦନ ଏବଂ ରାଜ୍ୟର ଶୀତଳ ଭଣ୍ଡାରର ସ୍ଥିତିକୁ ଦେଖିଲେ ସରକାରଙ୍କ ଆଳୁ ମିଶନ କେବଳ ଏକ ଧୂଆଁବାଣ ଥିଲା ବୋଲି କହିଛନ୍ତି ବିରୋଧୀ ।
୨୦୧୪ ସାଧାରଣ ନିର୍ବାଚନ ସମୟରେ ଶାସକ ଦଳର ପ୍ରତିଶ୍ରୁତି ଥିଲା ଯେ ରାଜ୍ୟରେ ସମସ୍ତ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବ । ହେଲେ ବର୍ଷ ପରେ ବର୍ଷ ବିତି ଯାଇଥିଲେ ବି ନୂଆ ଶୀତଳ ଭଣ୍ଡାର ତ ଦୂର କଥା, ପୂର୍ବରୁ ଅଚଳ ହୋଇ ରହିଥିବା ଶୀତଳ ଭଣ୍ଡାର ଗୁଡିକୁ ମଧ୍ୟ ପୁନଃ କାର୍ଯ୍ୟକ୍ଷମ କରି ପାରିନାହାନ୍ତି ରାଜ୍ୟ ସରକାର ।