ସେପଟେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଦେଇଥିବା ଲଗାଣ ବର୍ଷା ଓ ବନ୍ୟା କ୍ଷୟକ୍ଷତିର ରିପୋର୍ଟ କହୁଛି 27 ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ 11 ଜଣଙ୍କ ମୃତ୍ୟୁ ହୋଇଛି ଓ 229 ଟି ଗୃହ ପାଳିତ ପଶୁଙ୍କର ଜୀବନ ଯାଇଛି । ସେହିପରି 570 ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ 9 ହଜାର 123 ଟି ଘର ଆଶିଂକ ଭାଙ୍ଗିଛି । ଆଉ 1 ଲକ୍ଷ 36 ହଜାର 323 ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଥିବା କୁହାଯାଇଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଲାଗି କେନ୍ଦ୍ର ଚଳିତ ବର୍ଷ 674 କୋଟି ଟଙ୍କା ଦେଇଥିବା ବେଳେ ତା ପରେ ବି ବନ୍ୟା ବିପନ୍ନଙ୍କୁ ସେହି ଟଙ୍କା ରାଜ୍ୟ ସରକାର କାହିଁକି ଦେଉନାହାନ୍ତି ବୋଲି ମଧ୍ୟ ପ୍ରଶ୍ନ ଉଠିଛି ।
ଅନ୍ୟପଟେ ଚାଷୀଙ୍କ ସହ ସରକାରୀ ଚଞ୍ଚକତାର ଆଉ ଏକ ପ୍ରମାଣ ଏବେ ସାମ୍ନାକୁ ଆସିଛି । ଅନ୍ତରାଷ୍ଟ୍ରୀୟ କୃଷି ସମ୍ମୀଳନୀରେ ଯୋଗଦେବାକୁ ବିଦେଶ ଭ୍ରମଣ ବାଦ୍ ପଡିଛନ୍ତି । ଚାଷୀଙ୍କ ବଦଳରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବିଦେଶ ଯାଇଛନ୍ତି କୃଷି ବିଭାଗର ସ୍ବତନ୍ତ୍ର ସଚିବ ସଂଜୀବ କୁମାର ଚଢା, ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ସଂଜୀବ ଚୋପ୍ରା । ନେଦରଲ୍ୟାଣ୍ଡରେ ସେପ୍ଟେମ୍ବର 8ରେ ହେବାକୁ ଯାଉଛି ଫ୍ଲୋରିଏଡ୍ ଏକ୍ସପୋ । ଏଥିରେ ଯୋଗଦେବାକୁ ପୁରୀ, ଜଗତସିହଂପୁର ,ଗଞ୍ଜାମ ଓ କୋରାପୁଟ ଜିଲ୍ଲାରୁ 4 ଜଣ ସଫଳ ଚାଷୀଙ୍କୁ ମନୋନିତ କରାଯାଇଥିଲା । ମାତ୍ର ଶେଷ ମୁହୁର୍ତ୍ତରେ ଭିସା ହୋଇନପାରିବା ଦର୍ଶାଇ ବିଦେଶ କାର୍ଯ୍ୟକ୍ରମରୁ ବଞ୍ଚିତ କରାଯାଇଛି । ତେବେ ଏଠାରେ ପ୍ରଶ୍ନ ଚାଷୀଙ୍କ ବଳ ବୋଲି ସ୍ଲୋଗାନ ଦେଉଥିବା ସରକାର କାହିଁକି ଚାଷୀଙ୍କୁ ଏପରି ହତାଦର କରୁଛନ୍ତି । ନା ବନ୍ୟା କ୍ଷୟକ୍ଷତି ସହାୟତା ନା ବିଦେଶ ଯାତ୍ରା ସବୁଥିରେ ଚାଷୀଙ୍କ ପ୍ରତି କରାଯାଉଥିବା ଅବହେଳାକୁ କଣ କୁହାଯିବ ?
ଓଡିଶା ଖବର ଆହୁରି ପଢ଼ନ୍ତୁ ।