ଭୁବନେଶ୍ୱର: ମାର୍ଚ୍ଚ ୭ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା । ସେହିପରି ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍ ହେଲା ଭଳି ଯୁକ୍ତ ୨ ପ୍ରଶ୍ନପତ୍ର ଯେପରି ଭାଇରାଲ୍ ନହେବ ସେଥିପାଇଁ ପରୀକ୍ଷା ହଲକୁ ମୋବାଇଲ୍ ଏବଂ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ନେବା ଉପରେ କଟକଣା ଲାଗିଛି। ଏଥିପାଇଁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ଯେପରି ସୁରକ୍ଷିତ ଭାବେ ପ୍ରଶ୍ନପତ୍ର ହଲରେ ପହଞ୍ଚିବ ସେନେଇ ଯୁକ୍ତ୨ କାଉନସିଲ୍ କର୍ତ୍ତୃପକ୍ଷ ବହୁ ପଦକ୍ଷେପ ନେଇଛନ୍ତି । ଦିନକୁ ଦିନ ଶିକ୍ଷା ବ୍ୟବସ୍ଥାରେ ଯେପରି ମନମୁଖୀ କାର୍ଯ୍ୟ ଦେଖାଯାଉଛି ସେନେଇ ବିଭିନ୍ନ ମହଲରୁ ଶିକ୍ଷା ବ୍ୟବସ୍ଥା ୁପରେ କଟକଣା ଜାରି ହେଉଛି । ସେପଟେ ବିଭିନ୍ନ କଡ଼ାକଡ଼ି ସୁରକ୍ଷା ମଧ୍ୟରେ ବି ପ୍ରଶ୍ନପତ୍ର ଭାଇରାଲ ହେବା ଏକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।ତେବେ ଏନେଇ ଯୁକ୍ତ ୨ ପରୀକ୍ଷାକୁ କଡ଼ାକଡି କରାଯାଇଛି ।
ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପହଞ୍ଚାଇବା ପାଇଁ ୨୦୨ଟି ହବ୍ ହୋଇଥିବାବେଳେ ଏଠାରେ ୨୪ଘଣ୍ଟା ସୁରକ୍ଷା ବ୍ୟବସ୍ଥା ଏବଂ ପୋଲିସ ମୁତୟନ କରାଯାଇଛି । ପରୀକ୍ଷା ଆରମ୍ଭ ହେବାର ଘଣ୍ଟାଏ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବ। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିବ। ଚଳିତବର୍ଷ ୧୦୯୧ଟି ପରୀକ୍ଷା କେନ୍ଦ୍ର ହୋଇଥିବାବେଳେ ୯୩୬ଟିରେ ସିସିଟିଭି ଲାଗିସାରିଛି । ଯେଉଁଠି ସିସିଟିଭି ଲାଗିନପାରିବ ତାହାକୁ ସମ୍ବେଦନଶୀଳ କେନ୍ଦ୍ର ବୋଲି ଘୋଷଣା କରାଯିବ। ସେହି କେନ୍ଦ୍ରଗୁଡ଼ିକୁ ଅଧିକ ସ୍କ୍ୱାଡ଼ ପଠାଇବାକୁ ନିଷ୍ପତ୍ତି ହୋଇଛି।
ସେହିପରି ପରୀକ୍ଷାକେନ୍ଦ୍ର ଭିତରକୁ ଛାତ୍ରଛାତ୍ରୀମାନେ ଯେପରି ମୋବାଇଲ୍, ସ୍ମାର୍ଟ ଘଣ୍ଟା, କ୍ୟାମେରା ପେନ୍ ଏବଂ କୌଣସି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନେଇକି ନଯିବେ ସେଥିପାଇଁ କଡ଼ାକଡ଼ି ଯାଞ୍ଚ କରାଯିବ। କପି ଉପରେ ରୋକ୍ ଲଗାଇବା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ଼ ବ୍ୟବସ୍ଥା କରାଯାଇଛି ।
