
ଗଞ୍ଜାମ: ଗଞ୍ଜାମରେ ପୁଣି ଏନକାଉଣ୍ଟର । ଭଞ୍ଜନଗର ସୋରାଦେବୀ ମନ୍ଦିର ନିକଟରେ ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧି ମୋହମଦ ଇମ୍ରାନ ଆହତ ହୋଇଛି । ମୋହମଦଠାରୁ ଗୋଟେ ବାଇକ, ପିସ୍ତଲ ଆଉ ଗୋଟେ ରାଉଣ୍ଡ ଜୀବନ୍ତ ଗୁଳିକୁ ପୋଲିସ ଜବତ କରିଛି । ଇମ୍ରାନର ଦୁଇଟି ଗୋଡ଼ରେ ଦୁଇଟି ଗୁଳି ବାଜିଛି । ଭଞ୍ଜନଗର ସିରିଜ ବୋମା ବିସ୍ଫୋରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ହେଉଛି ମୋହମଦ ।

ଏନକାଉଣ୍ଟର ସମୟରେ ଇମ୍ରାନର ସହଯୋଗୀ କେଶବ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ, ତାକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ତେବେ ମୋହମଦର ପ୍ରାଥମିକ ଚିକିତ୍ସା ନିମନ୍ତେ ପ୍ରଥମେ ଭଞ୍ଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ବ୍ରହ୍ମପୁର ଏମ୍କେସିଜିକୁ ସ୍ଥାନାନ୍ତର କରାଯାଇଛି । ଏଥିରେ ଦୁଇ ଜଣ ପୋଲିସ ଅଧିକାରୀ ମଧ୍ୟ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି ।
