କେନ୍ଦୁଝର: ସରକାରୀ ସହାୟତାରୁ ବଞ୍ଚିତ କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅର୍ନ୍ତଗତ ରାଇସୁଆଁ ପଞ୍ଚାୟତର ରାଜବନ୍ଧ ଗ୍ରାମର ଲୋକେ । କେନ୍ଦୁଝର ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୫କିଲୋମିଟର ଦୂର ଥିବା ଏହି ଗ୍ରାମକୁ ପ୍ରଶାସନର ଦୃଷ୍ଟି ପଡୁନାହିଁ । ବାରମ୍ବାର ପ୍ରଶାସନକୁ ଅବଗତ କଲେ ମଧ୍ୟ ପ୍ରଶାସନର ଅବହେଳା ପାଇଁ ଏମାନଙ୍କୁ କିଛି ସରକାରୀ ସହାୟତା ମିଳୁନାହିଁ ।
ଏହି ରାଜବନ୍ଧ ଗ୍ରାମଟିର ଲୋକମାନେ ଅଧିକାଂସ ଆଦୀବାସି ସଂପ୍ରଦାୟର ଅଟନ୍ତି । ଏହି ଗ୍ରାମକୁ ଯିବାବେଳେ ମୁଖ୍ୟ ରାସ୍ତାରୁ ପ୍ରାୟ ୨କିଲୋମିଟର ରାସ୍ତା ଏପରି କଦର୍ଯ୍ୟ ହୋଇପଡିଛି ତାହା ନଦେଖିଲେ କେହି ବିଶ୍ୱାସ କରିପାରିବେ ନାହିଁ । ରାସ୍ତା ସାରା ପିଚୁର ଚିହ୍ନ ଅଛି ମାତ୍ର ସବୁଉଠି ଯାଇ ଖାଲ ହୋଇପଡିଛି । ରାସ୍ତାରେ ସବୁ ପଥର ଦେଖାଯାଉଛି । ଏହି ଗ୍ରାମକୁ କୌଣସି ଯାନବାହନ ନେବା ପାଇଁ କେହି ରାଜି ହୁଅନ୍ତି ନାହିଁ । ଯଦି କୌଣସି ଦରକାର ପଡେ ତାହେଲେ ଗ୍ରାମବାସୀମାନେ ବାଧ୍ୟ ହୋଇ ୨ଗୁଣ ଅଧିକ ପଇସା ଦେଇ ଗାଡି ଭଡା କରିଥାନ୍ତି । ଏପରିକି ଆମ୍ବୁଲାନସ ମଧ୍ୟ ସେଠାକୁ ଯିବାକୁ ଭୟ କରନ୍ତି । ଏହି ରାସ୍ତାଟି ୩୦ ବର୍ଷ ହେବ ତିଆରି ହୋଇଥିଲା । ତାପରେ ସେଠାରେ ମାଟି ମୁଠେ ମଧ୍ୟ ପଡି ନଥିବାର ଗ୍ରାମବାସୀ ମାନେ କହିଛନ୍ତି ।
ଶିକ୍ଷା କ୍ଷେତ୍ରରେ କହିବାକୁ ଗଲେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହି ରାଜବନ୍ଧ ଗ୍ରାମକୁ ସରକାରୀ ସହାୟତା ସାତସପନ । ଏଠାରେ ଥିବା ଅଙ୍ଗନୱାର୍ଡି କେନ୍ଦ୍ରଟି ଅର୍ଧଭଗ୍ନ ଅବସ୍ଥାରେ ଥିବାରୁ ପିଲାମାନେ ବାହାରେ ଏବଂ ରୋଷେଇ ଘରେ ପାଠ ପଢା ଚାଲିଛି । ଏହି ଅଙ୍ଗନୱାର୍ଡି କେନ୍ଦ୍ରଟିର ଛାତ ଫାଟି ଆଁ କରିଛି । ବର୍ଷାଦିନେ ସେଠାରେ ପାଣି ପଡୁଛି । ତାହା ପୁଣି ଅସୁରକ୍ଷିତ ଅବସ୍ଥାରେ ପଡ଼ି ରହିଛି । ଏନେଇ ଗ୍ରାମବାସୀମାନେ ପ୍ରଶାସନକୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନାହିଁ ।
ଏହି ରାଜବନ୍ଧ ଗ୍ରାମରେ ଜଳର ଉତ୍କଟ ସମସ୍ୟା ରହିଛି । ପାନୀୟ ଜଳ ଏବଂ ଗାଧୋଇବା ପାଇଁ ଲୋକମାନେ ବହୁତ ହଇରାଣ ହେଉଛନ୍ତି । ଗ୍ରାମରେ ଦୁଇଟି ନଳକୂପ ଏବଂ ଗୋଟିଏ କୂଅ ରହିଛି । ଖରା ଦିନେ ଏହି କୂଅଟିର ପାଣି ଶୁଖିଯାଏ । ଏବଂ ନଳକୂପ ଖରାପ ହେଲେ ପାଖରେ ଥିବା ବନ୍ଧରୁ ପାନୀୟ ଜଳରୂପେ ଲୋକମାନେ ବ୍ୟବହାର କରିବା ପାଇଁ ବାଧ୍ୟ ହୋଇଥାନ୍ତି । ରାଜ ରାଜୁଡା ସମୟରୁ ଏହି ଗ୍ରାମରେ ଗୋଟେ ଛୋଟ ଚେତ ଡ୍ୟାମ ତିଆରି କରାଯାଇଥିଲା । ସେହି ଡ୍ୟାମର ପାଣିକୁ ପ୍ରାୟ ୩ଟି ଗ୍ରାମର କୃଷକମାନେ ଚାଷ କାର୍ଯ୍ୟରେ ଲଗାଇ ପାରୁଥିଲେ । ମାତ୍ର ସେହି ଡ୍ୟାମଟି ବର୍ତମାନ ଭଗ୍ନ ଅବସ୍ଥାରେ ପଡିରହିଛି । ଏହାକୁ ନୂତନ ଭାବେ କାର୍ଯ୍ୟକାରୀ କରିବା ପାଇଁ ପ୍ରଶାସନକୁ ଅନେକ ବାର ଅବଗତ କରିଥିଲେ ମଧ୍ୟ ସରକାର ଏହାର କିଛି ପଦକ୍ଷେପ ନେଉନାହାଁନ୍ତି । ତେଣୁ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।