ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ବିଭାଗ ସହ ଟାଟା ଷ୍ଟ୍ରାଇଭ ଓ ଟେକ୍ ମହିନ୍ଦ୍ରା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏନେଇ ଏକ ଉଚ୍ଚସ୍ତରୀୟ ବୈଠକର ଆୟୋଜନ କରାଯାଇଥିଲା । ଏହି ବୈଠକ ଭୁବନେଶ୍ୱର ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଚୁକ୍ତି ଦ୍ୱାରା ପ୍ରଶିକ୍ଷାର୍ଥୀମାେନ ପ୍ରଶିକ୍ଷଣ ଲାଭ କରି ବିଭିନ୍ନ ଶିଳ୍ପ ସଂସ୍ଥା ଓ ଅନ୍ତର୍ଜାତୀୟ ସ୍ତରରେ ନିଯୁକ୍ତି ସୁବିଧା ପାଇପାରିବେ । ବୁଝାମଣାପତ୍ର ଅନୁସାରେ ରାଜ୍ୟର 49ଟି ସରକାରୀ ଆଇଆଇଟି ରେ ପ୍ରଶିକ୍ଷାର୍ଥୀଙ୍କୁ ଲାଇଫ୍ ସ୍କିଲିଂ ପ୍ରଦାନ କରାଯିବ ବୋଲି ସ୍ଥିର ହୋଇଛି ।
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ସେଣ୍ଟର୍ ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ନେଇ ଟେକ୍ ମହିନ୍ଦ୍ରା, ବିପିୟୁଟି ଓ ସିଇଟି ମଧ୍ୟରେ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହାଦ୍ୱାରା ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ପ୍ରତିବର୍ଷ ଏହି ସେଣ୍ଟର ଅଫ ଏକ୍ସଲେନ୍ସରେ ଏକକାଳିନ 30 ଜଣ ପ୍ରଶିକ୍ଷଣ ପାଇପାରିବେ । ଅନ୍ୟପଟେ ଭୁବନେଶ୍ୱର ଫର୍ଚ୍ୟୁନ ଟାୱାରରେ ଅନ୍ତର୍ଜାତୀୟମାନର ବିପିଓ ପ୍ରତିଷ୍ଠା ପାଇଁ ଇଡ୍କୋ ଓ ଟେକ୍ ମହିନ୍ଦ୍ରା ମଧ୍ୟରେ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି । ଏହା ଦ୍ୱାରା ବିପିଓ ସେବା କ୍ଷେତ୍ରରେ ରାଜ୍ୟରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି ।
