କୋରାପୁଟ: କଥାରେ ଅଛି ‘ସରକାର କା ମାଲ୍ ଦରିଆ ମେ ଡାଲ୍’ । ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା ବିଭିନ୍ନ ଲୋକାଭିମୁଖି ଯୋଜନରେ ଖର୍ଚ୍ଚ ହେଉଛି ସତ । କିନ୍ତୁ ଏହାର ଉପଭୋଗ କରିପାରୁନହାନ୍ତି ସାଧାରଣ ଲୋକ । ସେମିତି ଏକ ଉଦାହରଣ ହେଉଛି କୋଟପାଡ଼ ବସଷ୍ଟାଣ୍ଡ୍ । ସରକାରୀ ପ୍ରୋତ୍ସାହନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ କୋଟ୍ପାଡ଼ ବସ୍ଷ୍ଟାଣ୍ଡ ନିର୍ମାଣ କରାଗଲା । ହେଲେ ସ୍ଥାନୀୟ ପ୍ରଶାସନର ଉଦାସୀନ ମନୋଭାବ ଯୋଗୁଁ ଏହି ବସ୍ଷ୍ଟାଣ୍ଡ ଏବେ ଭୁତ କୋଠିରେ ପରିଣତ ହେଲାଣି ।

ସାଧାରଣ ଲୋକଙ୍କ ବହୁ ଆଶା ଥିଲା ତାଙ୍କ ଅଞ୍ଚଳରେ ଗୋଟିଏ ଭଲ ବସ୍ ଷ୍ଟାଣ୍ଡ ନିର୍ମାଣ ହେଉଛି । ଆଡ଼ମ୍ବର ପୁର୍ଣ୍ଣ ଭାବେ ବସ୍ଷ୍ଟାଣ୍ଡ ନିର୍ମାଣ ମଧ୍ୟ ହେଲା । କିନ୍ତୁ ଏବେ ଦେଖିବାକୁ ଗଲେ ବସଷ୍ଟାଣ୍ଡ ସମ୍ପୁର୍ଣ୍ଣ ଖାଁ ଖାଁ । ଏଠାକୁ ନା ବସ୍ ଅସୁଛି ନା ଯାତ୍ରୀ ଆସୁଛନ୍ତି । ଏଠାରେ ଶୌଚାଳୟଠାରୁ ଆରମ୍ଭ କରି ଯାତ୍ରୀଙ୍କ ପାଇଁ ବିଭିନ୍ନ ସୁବିଧା ରହିଛି । କିନ୍ତୁ ଷ୍ଟାଣ୍ଡକୁ କୌଣସି ବସ୍ ଆସୁନଥିବା ଯୋଗୁଁ ଯାତ୍ରୀମାନେ ଏଠାକୁ ଆସୁନାହାନ୍ତି । ପୂର୍ବରୁ ଏ ନେଇ ବସ୍ ମାଲିକ ସଂଘ ସହ ବୈଠକ ପରେ ବସ୍ ରହଣି ପାଇଁ ନିଷ୍ପତ୍ତି ହୋଇଥିଲା । ମାତ୍ର ତାହା ଫଳପ୍ରଦ ହୋଇ ପାରିଲା ନାହିଁ । ରାତି ହେଲେ ଏଠାରେ ଅସାମାଜିକ ଯୁବକଙ୍କ ଆଡ୍ଡା ଜମୁଛି ।

ସେପଟେ ବସ୍ ଗୁଡିକ ମନ ଇଚ୍ଛା ରାସ୍ତା ଉପରେ ରହୁଥିବାରୁ ଅନେକ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ତେଣୁ ବସ୍ଷ୍ଟାଣ୍ଡରେ ବସ ରହଣି ପାଇଁ ଲୋକେ ଦାବି କରି ଆସୁଛନ୍ତି । ଅନ୍ୟପଟେ ପୁଣି ଥରେ ବୈଠକ କରାଯାଇ ବସ୍ ମାଲିକ ଓ ଲୋକମାନଙ୍କୁ ସଚେତନ କରାଯିବ ବୋଲି ଏନ୍ଏସି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।
