କୋରାପୁଟ: ପୁଣି ଚର୍ଚ୍ଚାରେ ଆଦିବାସୀ ମହିଳା ପଦ୍ମଶ୍ରୀ କମଳା ପୂଜାରୀ । ବିରଳ ଦେଶୀ ଧାନ ପାଇଁ ଦିନେ ଆନ୍ତର୍ଜାତିକ ସ୍ତରରେ ସମ୍ମାନ ପାଇଥିବା କମଳା ଏବେ ସାଧାରଣ ଜୀବନରେ ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ । ଆନ୍ତର୍ଜାତିକ ସ୍ତରରେ ସମ୍ମାନ ଓ ପଦ୍ମଶ୍ରୀ ପୁରଷ୍କାର ହାସଲ କରି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଥିବା କମଳା, ଏବେ ଯେମିତି ଏକ ପ୍ରକାର ଅବହେଳିତ ହୋଇ ରହିଛନ୍ତି । ମନେହୁଏ ରାଜ୍ୟ ସରକାର ଯେମିତି କମଳାଙ୍କୁ ସମ୍ପୁର୍ଣ୍ଣ ଭୁଲି ଯାଇଛନ୍ତି । ବୟସାଧିକ କାରଣରୁ ତାଙ୍କର ଦୁଇ ଆଖିକୁ ଏବେ ଭଲ ଭାବେ ଦିଶୁନାହିଁ । ଏହାସତ୍ତ୍ୱେ ସେ ବଞ୍ଚିବା ପାଇଁ ସଂଗ୍ରାମ ଜାରି ରଖିଛନ୍ତି ।
ପୁରସ୍କାର ପାଇବା ପୂର୍ବରୁ ପ୍ରଶାସନ ଓ ଜନପ୍ରତିନିଧି ଯେଭଳି ତାଙ୍କ ସୁଖଦୁଃଖ ଓ ଅଭାବ ଅସୁବିଧା ଦୂର କରିବା ପାଇଁ ତତ୍ପର ରହୁଥିଲେ, କିନ୍ତୁ ପୁରସ୍କାର ପାଇବା ପରେ ତାହା ବନ୍ଦ ହୋଇଯାଇଛି । ପାରମ୍ପରିକ କଳାଜିରା ଧାନ ସଂରକ୍ଷଣକୁ ନେଇ କମଳା ପଦ୍ମଶ୍ରୀ ପୁରସ୍କାର ପାଇଥିଲେ । କିନ୍ତୁ ସେହି ଧାନ ଏବେ ଆଉ ତାଙ୍କ ପାଖରେ ନାହିଁ ।
ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ତାଙ୍କୁ ଘର ଖଣ୍ଡିଏ ଦେଇ ଅନେକ ବାହାବାହା ସାଉଁଟିଛନ୍ତି । ହେଲେ ପରବର୍ତ୍ତି ସମୟରେ ଏହି ଘର ତାଙ୍କ ସାନ ପୁଅ ନାମକୁ ଚାଲି ଯାଇଥିବା ଜଣାପଡ଼ିଛି । ଫଳରେ ଏବେ ବାସହୀନ ଭାବେ ଦିନ କାଟୁଛନ୍ତି ପଦ୍ମଶ୍ରୀ ପୁରଷ୍କାର ପ୍ରାପ୍ତ କମଳା । ତାଙ୍କର ଏଭଳି ଦୁଃଖ ସମୟରେ ପ୍ରଶାସନ ତାଙ୍କ ଭୁଲି ଯାଇଥିବା କହୁଛନ୍ତି ସ୍ଥାନୀୟ ବାସିନ୍ଦା ।
ପଦ୍ମଶ୍ରୀ ପୁରସ୍କାର ପାଇବା ସହ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟା ମଧ୍ୟ ରହିଛନ୍ତି କମଳା । ରାଜ୍ୟ ସରକାର କମାଳାଙ୍କୁ ନିଜର Brand ସଜାଇଥିବା ବେଳେ ବାସ୍ତବରେ କିନ୍ତୁ କମଳା ଏବେ ଅବହେଳିତ ଅବସ୍ଥାରେ ରହିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ କମଳାଙ୍କୁ ବ୍ରାଣ୍ଡ ଭାବେ ନିମନ୍ତ୍ରଣ କରାଯାଇଥାଏ । କିନ୍ତୁ କମଳା ଏବେ ଜୀବନ ଜିଇଁବା ପାଇଁ ମଧ୍ୟ ସଂଘର୍ଷ କରୁଛନ୍ତି ।
