ଅର୍ଗସ ବ୍ୟୁରୋ: ପର୍ବତାରୋହୀ କଳ୍ପନା ଦାସଙ୍କ ମରଶରୀରକୁ କାଠମାଣ୍ଡୁ ଅଣାଯାଇଛି । ରାଜ୍ୟର ସର୍ବପ୍ରଥମ ଏଭରେଷ୍ଟ ଆରୋହୀ କଳ୍ପନା ଦାସ ଏଭରେଷ୍ଟ ଶିଖରରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଦ୍ୱିତୀୟ ଥର ପାଇଁ ଏଭରେଷ୍ଟ ଆରୋହଣ କରିବାର କଛି ଘଂଟା ପରେ ହିଁ ଏଭଳି ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ୫୩ ବର୍ଷୀୟ କଳ୍ପନା । ଉଦ୍ଧାରକାରୀ ସେର୍ପା ଦଳ ତାଙ୍କ ପାର୍ଥିବ ଶରୀରକୁ ଲୁକଲା ଆଣିବା ପରେ ବିମାନରେ ଏହାକୁ କାଠମାଣ୍ଡୁ ଅଣାଯାଇଛି । ଏବେ ଏହାକୁ ଟିଚିଂ ହସ୍ପିଟାଲର ଶବଗୃହରେ ରଖାଯାଇଛି । ସାଧାରଣ ପରିବେଶରେ ୧୫-୧୬ ଘଂଟା ରହିବା ପରେ ଆଜି ଶବ ବ୍ୟବଚ୍ଛେଦ କରାଯିବ ।
ଏହା ପରେ ଆନୁସଙ୍ଗିକ କାଗଜପତ୍ର କାମ ଶେଷ କରାହେବ । ତେଣୁ ଆସନ୍ତା ଜୁନ୍ ୧ ବା ୨ ତାରିଖରେ କଳ୍ପନା ଦାସଙ୍କ ମରଶରୀର ଓଡିଶା ଅଭିମୁଖେ ବାହାରିବା ସମ୍ଭାବନା ରହିଛି । ରାଜ୍ୟ ସରକାର କଳ୍ପନାଙ୍କ ମର ଶରୀରକୁ ଫେରାଇ ଆଣିବା ପାଇଁ ତତ୍ପରତା ଦେଖାଇ ସ୍ୱତନ୍ତ୍ର ଟିମ୍ ଓଡିଶାରୁ ପଠାଇଥିବା ବେଳେ ଏଭରେଷ୍ଟରୁ ମରଶରୀର ଆଣିବା ପାଇଁ ୧୦ ଜଣିଆ ସେର୍ପା ଟିମ୍ଙ୍କୁ ନିଯୁକ୍ତ କରିଥିଲେ ।
