
ଭୁବନେଶ୍ୱର: ବରଗଡ଼ ଜିଲ୍ଲାର ବିଜେପୁର 2017ରୁ ଚର୍ଚ୍ଚାରେ । କଂଗ୍ରେସର ବରିଷ୍ଠ ନେତା ତଥା 2004ରୁ ବିଜେପୁରର ବିଧାୟକ ଥିବା ସୁବଳ ସାହୁଙ୍କ ଦେହାନ୍ତ 2017ରେ ହୋଇଥିଲା । ତାପରେ ବିଜେପୁରରେ ଆସିଲା ଟ୍ୱିଷ୍ଟ । କାରଣ ସୁବଳ ସାହୁଙ୍କ ଧର୍ମପତ୍ନୀ ବିଜେଡିରେ ସାମିଲ ହେବା ସହ ବିଜେପୁର ଉପନିର୍ବାଚନରେ ଶଙ୍ଖ ଚିହ୍ନରେ ଲଢିଥିଲେ । ସ୍ୱାମୀଙ୍କ ଦବଦବା ଏବଂ ଲୋକଙ୍କ ଅନୁକମ୍ପା ଭୋଟ ହାତେଇ ବିଜୟୀ ହେଲେ ରୀତା ସାହୁ ।
କିନ୍ତୁ 2019 ନିର୍ବାଚନରେ ରୀତାଙ୍କ ବଦଳରେ ପ୍ରାର୍ଥୀ ହେଲେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯଦିଓ ନବୀନଙ୍କ ଘନିଷ୍ଠ ପ୍ରସନ୍ନ ଆଚାର୍ଯ୍ୟ ବରଗଡ଼ ଲୋକଭାରେ ପରାଜୟ ବରଣ କଲେ କିନ୍ତୁ ନବୀନ ଉଭୟ ବିଜେପୁର ଏବଂ ହିଞ୍ଜିଳିରୁ ଜିତିଲେ । ଅନ୍ୟପଟେ ବରଗଡ଼ ଲୋକସଭା ଆସନ ବିଜେପି ଖାତାକୁ ଗଲା । ବିଜେପିର ବରିଷ୍ଠ ନେତା ସୁରେଶ ପୂଜାରୀ ବରଗଡ଼ରୁ ବିଜୟୀ ହେଲେ ।
ଏବେ ନବୀନ କେଉଁ ଆସନ ଛାଡ଼ିବେ ସେନେଇ ଚର୍ଚ୍ଚା ହେଉଛି । କିନ୍ତୁ ଏବେ ନବୀନ ବିଜେପୁର ଛାଡ଼ିବେ ବୋଲି ଶୁଣିବାକୁ ମିଳୁଛି । ତେବେ କଣ ବିଜେପୁର ପୁଣି ଦେଖିବ ଉପନିର୍ବାଚନ ?
ନବୀନ ବିଜେପୁର ଛାଡ଼ିବାର କାରଣ ପଛରେ ରହିଛି ପ୍ୟାକେଜ ଘୋଷଣା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟାରେ ବିଜେପୁର ପାଇଁ 1331 କୋଟିର ପ୍ୟାକେଜ ଘୋଷଣା କରିଛନ୍ତି । କିନ୍ତୁ ତା ପୂର୍ବରୁ 2017 ଅକ୍ଟୋବରରେ ବିଜେପୁର ଉପନିର୍ବାଚନକୁ ଆଖିରେ ରଖି ବଡ଼ ଘୋଷଣା ମଧ୍ୟ କରିଥିଲେ ନବୀନ । ଏହି ଘୋଷଣା ଭିତରେ ଥିଲା ଗଙ୍ଗାଧର ମେହେର ଜଳ ପ୍ରକଳ୍ପ । ଏଥିପାଇଁ 1246 କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା ଘୋଷଣା ମଧ୍ୟ କରିଥିଲେ ନବୀନ ପଟ୍ଟନାୟକ । ନବୀନଙ୍କ ଏହି ଘୋଷଣାକୁ ଦୁଇ ବର୍ଷ ବିତିଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟ ହୋଇନି । କେବଳ ସେତିକି ନୁହେଁ ବିଜେପୁରର ସମସ୍ତ ବ୍ଲକ ଏବଂ ପଞ୍ଜାୟତ କାର୍ଯ୍ୟାଳୟକୁ ସ୍ୱତନ୍ତ୍ର ମରୁଡ଼ି ପ୍ୟାକେଜ୍ ମଧ୍ୟ ଘୋଷଣା କରିଥିଲେ ନବୀନ ।
ଏବେ ପୁଣି ଆଇଆଇଟି, ଦକ୍ଷତା ବିକାଶ କେନ୍ଦ୍ର ଆଦି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ 1331 କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ପ୍ରଶ୍ନ ହେଉଛି ମୁଖ୍ୟମନ୍ତ୍ରୀ ଦୁଇଟି ଆସନରେ ବିଧାୟକ ଅଛନ୍ତି କିନ୍ତୁ କେବଳ ବିଜେପୁର ପାଇଁ କାହିଁକି ପ୍ୟାକେଜ ଘୋଷଣା ହେଲା । ତେଣୁ 2017ର କଥାକୁ ଦେଖିଲେ 2019ରେ ପୁଣି ପ୍ୟାକେଜ୍ ଘୋଷଣା ବିଜେପୁର ପାଇଁ ଉପନିର୍ବାଚନର ସଙ୍କେତ ବୋଲି ଜଣାପଡ଼ୁଛି ।
