ନୟାଗଡ଼: ରାଜ୍ୟ ସରକାରଙ୍କ ପକ୍ଷରୁ ପିଲାଙ୍କ ପାଠ ପଢ଼ିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ ବାସ୍ତବରେ ଏହି ଟଙ୍କା ସ୍କୁଲ ଓ ପିଲାଙ୍କ ପାଠପଢ଼ା କ୍ଷେତ୍ରରେ ଲାଗୁଛି କି ନାହିଁ ତହା ଦେଖିବାକୁ କେହି ନାହାନ୍ତି । କାରଣ ପ୍ରତ୍ୟେକ ଦିନ ଖବର କାଗଜରେ ବିଭିନ୍ନ ସ୍କୁଲରେ ନାନା ଅସୁବିଧା ଥିବା କଥା ସାମ୍ନାକୁ ଆସୁଛି । ହେଲେ ତଥାପି ସରକାରଙ୍କ ନିଦ ଭାଙ୍ଗୁନି ।

ଏଭଳି ଦୁର୍ବିଶହ ଅବସ୍ଥାରେ ପଡ଼ିଥିବା ଏକ ସ୍କୁଲ ହେଉଛି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ କରଡ଼ାପଡ଼ା ପଞ୍ଚାୟତ ନାରାୟଣ ପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ସେଠାରେ ପାନୀୟ ଜଳର ଅଭାବ ରହିଥିବା ବେଳେ ସ୍କୁଲ ପିଲାଙ୍କ ଖେଳିବା ପାଇଁ ପଡ଼ିଆ ମଧ୍ୟ ନାହିଁ । ଏହା ସ୍କୁଲ ଘରର ଅବସ୍ଥା କହିଲେ ନସରେ । ସ୍କୁଲ ପରିସରରେ ଥିବା ନଳ କୂଅଟି ଦୀର୍ଘ ଦିନ ହେବ ଅଚଳ ହୋଇ ପଡିଛି । ଫଳରେ ପାନୀୟ ଜଳ ମୁନ୍ଦାଏ ପାଇଁ ଛାତ୍ରଛାତ୍ରୀମାନେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ସେପଟେ ଜଳ ଅଭାବରୁ ଶୌଚାଳୟର ଅବସ୍ଥା ଶୋଚନୀୟ ହୋଇପଡିଛି । ଶୌଚାଳୟ ଅବସ୍ଥା ଭଲ ନଥିବାରୁ ଛାତ୍ରଛାତ୍ରୀଙ୍କ ସମସ୍ୟା ଦ୍ୱିଗୁଣିତ ହୋଇପଡ଼ିଛି । ପାନୀୟ ଜଳ ପାଇଁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।ସ୍ଥାନୀୟ ପ୍ରଶାସନ ସମସ୍ୟା ପ୍ରତି ଦୃଷ୍ଟି ଦେବା ସହ ନଳକୂଅ ମରାମତି କରି ପାନୀୟ ଜଳ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି ହେଉଛି ।
